ଶିଶୁ ପୁତ୍ରକୁ ବିକ୍ରି ପରେ ବାପାର ଆତ୍ମହତ୍ୟା ଘଟଣା: ଉଦ୍ଧାର ହେଲା ବିକ୍ରି ଶିଶୁପୁତ୍ର

ଗୋବିନ୍ଦପାଲ୍ଲୀ,୧୪/୦୧: ‘ଦାରିଦ୍ର‌୍ୟର କରୁଣ ଚିତ୍ର: ଶିଶୁପୁତ୍ରକୁ ବିକିବା ପରେ ବାପାର ଆତ୍ମହତ୍ୟା’ ଶୀର୍ଷକ ଖବର ‘ପ୍ରମେୟ’ରେ ପ୍ରକାଶ ପାଇବା ପରେ ମା’ କୋଳକୁ ଫେରିଛି ଶିଶୁ । ଜିଲ୍ଲା ପ୍ରଶାସନ ତାକୁ ଉଦ୍ଧାର କରିଛି । ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ସପ୍ତଧାରା ଗାଁରେ ରହୁଥିବା ଶିଶୁର ପରିବାରକୁ ଥଇଥାନ କରାଯାଇଛି ।

କୁଡୁମୁଲୁଗୁମ୍ମା ତହସିଲଦାର, ପୁଲିସ୍‌ ଏବଂ ଚାଇଲ୍ଡଲାଇନ୍‌ର କର୍ମକର୍ତ୍ତାଙ୍କୁ ନେଇ ଗଠିତ କମିଟି ଶେଷରେ ରାଜାର ସନ୍ଧାନ ପାଇଥିଲା । କୁଡୁମୁଲୁଗୁମ୍ମା ଗାଁର ବନମାଳି ଖିଲଙ୍କ ଘରୁ ରାଜାକୁ ଉଦ୍ଧାର କରାଯାଇଛି । କିନ୍ତୁ ଶିଶୁବିକ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବନମାଳି ।

ସେ କହିଛନ୍ତି, ରାଜାକୁ ସେ କିଣି ନଥିଲେ । ସୋମନାଥ ତାଙ୍କ ସମ୍ପର୍କୀୟ ଥିବାରୁ ଏବଂ ତାଙ୍କ ପରିବାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଶିଶୁଟିକୁ ନିଜ ପାଖକୁ ଆଣି ରଖିଥିଲେ । ତଥାପି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କୌଣସି ଶିଶୁକୁ ପାଖରେ ରଖିବା ଆଇନ ବିରୋଧ । ଏହାର ଅଧିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି । ଯାହାବି ହେଉ, ଶିଶୁପୁତ୍ରଟି ଉଦ୍ଧାର ହୋଇଥିବାରୁ ମାଆ କୁନି ହନ୍ତାଳଙ୍କ ମୁହଁରେ ହସ ଫେରିଛି ।