ସାଇବର ଠକେଇ ମହିଳାଙ୍କ ଆକାଉଣ୍ଟରୁ ୨୮ ହଜାର ଲୁଟିନେଲେ -ଫୋନ୍ ପେ’ରେ ଟିଭି ରିଚାର୍ଜ ବେଳେ ଠକ ହାବୁଡ଼ରେ ପଡ଼ିଗଲେ

ଅନୁଗୁଳ,୧୮ା୩(ବ୍ୟୁରୋ): କିଛି ଦିନର ବ୍ୟବଧାନ ପରେ ଅନୁଗୁଳ ଜିଲ୍ଲାରେ ଆଉ ଏକ ସାଇବର ଠକେଇ ସାମ୍ନାକୁ ଆସିଛି । ଫୋନ୍ ପେ’ରେ ଟିଭି ରିଚାର୍ଜ କଲା ବେଳେ ଠକ ହାବୁଡ଼ରେ ପଡ଼ି ଜଣେ ମହିଳା ଲୁଟ୍ର ସମ୍ମୁଖୀନ ହୋଇଛନ୍ତି । ସାଇବର ଠକ ତାଙ୍କୁ ମିଛ ଜାଲରେ ଫସାଇ ତାଙ୍କ ଆକାଉଣ୍ଟରୁ ୨୮ ହଜାର ଟଙ୍କା ଖାଲି କରି ଦେଇଛି । ଏନେଇ କଣିହାଁ ବ୍ଲକ ଏନ୍ଟିପିସି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି ।
ପୁଲିସ୍ ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ ନିଧି ପାଣ୍ଡେ । ସେ ଏନ୍ଟିପିସି ସିଆଇଏସ୍ଏଫ୍ କଲୋନୀରେ ରହୁଛନ୍ତି । ସେ ଗତ ମଙ୍ଗଳବାର ତାଙ୍କ ଟାଟା ସ୍କାଏରେ ୩୪୩ ଟଙ୍କା ରିଚାର୍ଜ୍ କରିଥିଲେ । ମାତ୍ର ତାହା ସଫଳ ହୋଇନଥିଲା । ଆକାଉଣ୍ଟରୁ ଟଙ୍କା କଟିଥିବା ବେଳେ ରିଚାର୍ଜ କିନ୍ତୁ ପେଣ୍ଡିଂ ହୋଇରହିଥିଲା । ଦିନେ ପରେ ମଧ୍ୟ ଟଙ୍କା ଆକାଉଣ୍ଟ୍କୁ ନଫେରିବାରୁ ବୁଧବାର ଦିନ ସେ ଟଙ୍କା ଫେରି ପାଇବା ପାଇଁ ଗୁଗୁଲ୍ରେ ଫୋନ୍ ପେ’ ଗ୍ରାହକ ସହାୟତା ନମ୍ବର ଅଣ୍ଡାଳିଥିଲେ । ଏମିତିକି ସେ ଫୋନ୍ ପେ’ର ଗ୍ରାହକ ସହାୟତା ନମ୍ବର ପାଇ ଯୋଗାଯୋଗ କରିବା ପରେ ଟଙ୍କା ଫେରସ୍ତ ପାଇଥିଲେ । ମାତ୍ର କିଛି ସମୟ ପରେ ତାଙ୍କ ପାଖକୁ ଅନ୍ୟ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ନିଜକୁ ଫୋନ୍ ପେ’ କର୍ମଚାରୀ ବୋଲି ପରିଚୟ ଦେବା ସହ ଫୋନ୍ରେ ‘ଏନିଡେକ୍ସ’ ମୋବାଇଲ୍ ଆପ୍ ଇନଷ୍ଟଲ୍ କରିବାକୁ କହିଥିଲା । ନିଧି ଠକର କଥାରେ ଭାସି ଯାଇ ମୋବାଇଲ୍ରେ ଏହି ଆପ୍କୁ ଇନ୍ଷ୍ଟଲ କରିଥିଲେ । କ୍ଷଣିକ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୨୭ ହଜାର ୯୯୦ ଟଙ୍କା ଦୁର୍ବୃତ୍ତ ଖାଲି କରି ଦେଇଥିଲା । ନିଧି ତୁରନ୍ତ ଫୋନ୍ରୁ ଉକ୍ତ ଆପ୍କୁ କାଟିଥିଲେ । ଠକାମିରେ ପଡ଼ିଥିବା ଜାଣିବା ପରେ ସେ ଏନ୍ଟିପିସି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।