ଭାରତ-ପାକ୍ ଭିତରେ ଚାଲିଛି ସାଇବର ଯୁଦ୍ଧ

ନୂଆଦିଲ୍ଲୀ,୨୩।୨: କଶ୍ମୀରର ପୁଲଓ୍ବାମାରେ ସିଆରପିଏଫର କନଭୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସାଇବର ଯୁଦ୍ଧ ଚାଲିଛି। ଶୁଣିବାକୁ ମିଳୁଛି ଯେ ଏହି ଆକ୍ରମଣ ପୂର୍ବରୁ ଇଣ୍ଡିଆନ ହ୍ୟାକର୍ସମାନେ ପାକିସ୍ତାନର ୨୦୦ରୁ ଅଧିକ ଓ୍ବେବସାଇଟ୍ ହ୍ୟାକ୍ କରିଦେଇଛନ୍ତି। ଯାହାର ଜବାବରେ ପାକିସ୍ତାନୀ ହ୍ୟାକର ଛତିଶଗଡ ବିଜେପିର ଓ୍ବେବସାଇଟ୍  ସହିତ ୧୦୦ଟି ଓ୍ବେବସାଇଟ୍ ହ୍ୟାକ୍ କରିଚନ୍ତି। ହ୍ୟାକ୍ କରିବାର ଦାୟିତ୍ବ ନେଇଛନ୍ତି ’ଫୈଜଲ ୧୩୩୭’  ଆଇଡି ଥିବା ପାକିସ୍ତାନୀ ହ୍ୟାକର। ଏହି ହ୍ୟାକରଙ୍କ ଫେସବୁକରେ ଅଫିସିଆଲ ପାକ୍ ସାଇବର ଆଟାକର୍ସ ନାମରେ ଏକ ପେଜ୍ ରହିଛି। ଯାହା ଉପରେ ଦୁଇଜଣ ଲୋକ କାମ କରନ୍ତି। ପ୍ରଥମ ଜଣକ ଫୈଜଲ ଏବଂ ଦ୍ବିତୀୟଟି ହେଉଛି ମହମ୍ମଦ ହସନ। ଏକ ଖବର କାଗଜକୁ ଦେଇଥିବା ଇଣ୍ଟରଭ୍ୟୁରେ ସେମାନେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ଘଟଣା ପରେ ଦୁଇ ଦେଶ ମଧ୍ୟରେ ସାଇବର ଓ୍ବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ସେମାନେ କେବଳ ନିଜର ପାଠପଢାରେ ଧ୍ୟାନ ଦେଉଥିଲେ।  ୧୫ ଜଣ ଲୋକ ତାଙ୍କ ଗ୍ରୁପରେ ଥିବା ବେଳେ ସେମାନେ କେବଳ ଭାରତ ନୁହେଁ ଅନ୍ୟ ଦେଶର ଓ୍ବେବସାଇଟ୍ ମଧ୍ୟ ହ୍ୟାକ୍ କରନ୍ତି। ତାଙ୍କର କହିବା ଅନୁସାରେ ସେମାନେ କେବଳ ଭାରତର ସାଇବର ହ୍ୟାକରଙ୍କୁ ଯବାନ ଦେବାକୁ ଏଭଳି କରୁଛନ୍ତି।