ସାଇକେଲ୍ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

କପିଲାଭଟା/ବଙ୍ଗୋମୁଣ୍ଡା/ଭାଲୁମୁଣ୍ଡା -ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ହନୁମାନ ମନ୍ଦିର ରାସ୍ତାରେ ଆଜି ସକାଳେ ଫେବ୍ରିକେସନ ଦୋକାନ ମାଲିକ ଜଣେ ୱେଲଡିଂ ମିସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମିସ୍ତ୍ରୀ ଜଣକ ଦୋକାନ ମାଲିକଙ୍କ ସାଇକେଲ ନେଇ ବନ୍ଧକ ପକାଇଥିଲା । ସେ ବାବଦ ଅର୍ଥ ଫେରସ୍ତ ନକରିବାର ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି । ଖବର ପାଇ ପୁଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୋକାନ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ ସୂଚନାନୁଯାୟୀ, ଭାଲୁମୁଣ୍ଡା ଗାଁ କଲୋନୀ ପଡ଼ାର ବୈକୁଣ୍ଠ ମେହେରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୩୦)ଙ୍କ ଏକ ଫେବ୍ରିକେସନ ଦୋକାନ ରହିଥିଲା । ଏହି ଦୋକାନରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁର ଲାଲମନ କୈବର୍ତ୍ତ ୱେଲଡିଂ ମିସ୍ତ୍ରୀ ଭାବେ କାମ କରୁଥିଲେ । ଜଣେ ଭଲ ୱେଲଡିଂ ମିସ୍ତ୍ରୀ ଭାବେ ଅଂଚଳରେ ତାର ନା ଥିଲା । ଲାଲମନ କାମ କରୁଥିବା ବେଳେ ପୂର୍ଣ୍ଣ ତାକୁ ଏକ ସାଇକେଲ ଦେଇଥିଲା । ସେହି ସାଇକେଲରେ ସେ ଯାତାୟାତ କରୁଥିଲା । ତେବେ ଲାଲମନ ଉକ୍ତ ସାଇକେଲକୁ ବନ୍ଧକ ପକାଇଦେଇଥିଲା । ଏ କଥା ଜାଣିବା ପରେ ପୂର୍ଣ୍ଣ ଏବଂ ଲାଲମନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିସହ କାମ କରୁଥିବା ବେଳେ ଲାଲମନ କୁଆଡେ ପୂର୍ଣ୍ଣ ପାଖରୁ ଅନେକଥର ଟଙ୍କା ନେଇ ଫେରାଇ ନଥିଲା । ଏଣେ ବହୁଦିନ ପରେ ମଧ୍ୟ ସାଇକେଲ କିମ୍ବା ନେଇଥିବା ଟଙ୍କା ଫେରସ୍ତ ନକରି ପୂର୍ଣ୍ଣ ଦୋକାନ ଛାଡ଼ି ଲାଲମନଅନ୍ୟ ଦୋକାନରେ କାମ କରୁଥିଲା । ଏ ନେଇ ପୂର୍ଣ୍ଣ ରାଗରେ ଜଳୁଥିଲା ।
ସକାଳେ ଲାଲମନ ଭାଲୁମୁଣ୍ଡାର ହନୁମାନ ମନ୍ଦିର ରାସ୍ତାରେ ଯାଉଥିବା ବେଳେ ପୂର୍ଣ୍ଣ ସହ ମୁହାଁମୁହିଁ ଭେଟ ପଡିଥିଲା । ସେହି ସାଇକଲ ଏବଂ ଟଙ୍କାକୁ ନେଇ ଯୁକ୍ତିତର୍କ ଆରମ୍ଭ ହେବା ପରେ ପୂର୍ଣ୍ଣ ଉତ୍ତ୍ୟକ୍ତ ହୋଇ ଲାଲମନକୁ ଏକ ଛୁରୀରେ ଭୁସି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଲାଲମନର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୂର୍ଣ୍ଣ ଫେରାର୍ ହେବାକୁ ଯୋଜନା କରୁଥିବା ବେଳେ ଖଡିଆଳ ପାଖରୁ ପୁଲିସ ତାକୁ କାବୁ କରିଥିଲା ।
କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର, ବଙ୍ଗୋମୁଣ୍ଡା ଥାନାଧିକାରୀ ପଞ୍ଚାନନ ନାୟକ ଏବଂ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପ୍ରକାଶ ଥାଉକି ମୃତକଙ୍କ ପରିବାରେ ପତ୍ନୀ ଗୀତା ଏବଂ ଏକ ୧୨ବର୍ଷର ପୁଅ ଅଛନ୍ତି । ସେମାନେ ରାୟପୁରରେ ରହୁଥିବା ଜଣାପଡ଼ିଛି । ଏନେଇ ବଙ୍ଗୋମୁଣ୍ଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୂର୍ଣ୍ଣ ମେହେରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।