ବାତ୍ୟା ବୁଲ୍‌ବୁଲ ପାଇଁ ୧୦ ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌: କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୯/୧୧: ବାତ୍ୟା ପାଇଁ ୧୦ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜରେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା । ଏହି ସବୁ ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ବାତ୍ୟା ସମୟରେ ଘରୁ ବାହାରକୁ ନ ବାହାରିବାକୁ ସତର୍କତା ଜାରି ହୋଇଛି । ସେପଟେ କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ବାତ୍ୟା ପାଇଁ ଏସ୍‌ଆରସି ସତର୍କତା ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ସହ ସମ୍ବନ୍ଧୀୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍କୁଲ ଓ କଲେଜ ଛୁଟି ଘୋଷଣା ହୋଇଛି । ଏସ୍‌ଆରସି ଆଜି ସମୁଦ୍ର ତଟବର୍ତ୍ତୀ ଓ ସମୁଦ୍ର ସଂଲଗ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଉପକୂଳ ଜିଲ୍ଲାର କଚ୍ଚା ଘରେ ଓ ଖାଲୁଆ ଅଞ୍ଚଳରେ ବିପଜ୍ଜନକ ଭାବେ ରହୁଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳ ସହ ଆଲୋକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ରଖିବାକୁ କୁହାଯାଇଛି। ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ସୁବିଧା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ଜିଲ୍ଲା ଓ ସମସ୍ତ ବିଭାଗରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ ଚାଲୁ ରହିଛି ବୋଲି ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ବସିଥିଲା । ସେ ସମ୍ଭାବ୍ୟ ବୁଲ୍‌ବୁଲ୍‌ ବାତ୍ୟା ପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ହୋଇଥିବା ପ୍ରସ୍ତୁତିକୁ ତଦାରଖ କରିଥିଲେ । ଓଡିଶାର ରିଲିଫ କମିଶନରଙ୍କ ସହ ଭିଡିଓ କନଫରେନ୍ସିଂରେ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି ସେ କହିଥିଲେ । ତଟରକ୍ଷୀ ବାହିନୀ ଓ ନୌସେନାକୁ ଆଲର୍ଟ କରାଯାଇଛି । ଆବଶ୍ୟକ ପଡିଲେ ବାୟୁ ସେନା ଓ ସ୍ଥଳ ସେନାକୁ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ୍‌ ଟିମ୍‌ ମୃତୟନ କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୬ଟି ଏନ୍‌ଡିଆରଏଫ ଟିମ୍‌କୁ ମୃତୟନ କରାଯାଇଛି । ଅଗ୍ନିଶମ ଟିମ୍‌ ବି ନିୟୋଜିତ ହୋଇଛନ୍ତି । ସମୁଦ୍ର ତଟବର୍ତ୍ତୀ ୬ଟି ଜିଲ୍ଲାକୁ ବାହାର ଜିଲ୍ଲାରୁ ଅଗ୍ନିଶମ ଟିମ୍‌ ଆଣି ନିୟୋଜିତ କରାଯାଇଛି । ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀ ଉପକରଣ ଓ ଗାଡ଼ି ସହ ପ୍ରସ୍ତୁତ ହୋଇ ଅଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଗତ ‘ଫୋନି’ରେ ଅନେକ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଥିଲା। ସେ ସବୁକୁ ତରବରିଆ ଭାବେ ମରାମତି କରାଯାଇଥିଲା। ସେ ସବୁ ପୁଣି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ଏସଆରସି ସତର୍କତା ଜାରି କରିଛନ୍ତି । ସେସୁ, ନେସ୍କୋ କର୍ମଚାରୀମାନେ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଉପସ୍ଥିତ ରହିବାକୁ କୁହାଯାଇଛି। ଶକ୍ତି ବିଭାଗକୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଏଥିସହ ବିଦ୍ୟୁତ ମରାମତି କରୁଥିବା ଠିକାଦାର ନିଜ କର୍ମଚାରୀ ଓ ଶ୍ରମିକଙ୍କ ସହ ଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଓ ଲଗାଣ ବର୍ଷାରୁ ଫଲସ ରକ୍ଷା ପାଇଁ ଚାଷୀଙ୍କୁ ଅବଗତ କରାଯାଉଛି। ଏଥିପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଚାଲିଛି ।

   ସମ୍ବନ୍ଧିତ ଖବର


ଏଣିକି ଦୋକାନ ନାଁ ଓଡ଼ିଆରେ ନଲେଖିଲେ ଦେବାକୁ ପଡିବ ଜୋରିମାନା

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ

ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…