ଭୁବନେଶ୍ୱର, ୨୨।୦୫ : ସୃଷ୍ଟି ହେଲା ଲଘୁଚାପ। ୨୪ରେ ନେବ ଅବପାତର ରୂପ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମନୋରମା ମହାନ୍ତି। ସେ କହିଛନ୍ତି ଯେ, ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ବ୍ୟାପିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ଏହା ଅଧିକ ଘନିଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସମୁଦ୍ର ମୁଖ୍ୟତ ଅଶାନ୍ତ ରହିବ। ୨୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।
ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବା ପାଇଁ ମସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ୨୩ ପୂର୍ବରୁ ଉପକୂଳକୁ ଫେରିବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶାର କୌଣସି ଜିଲ୍ଲା ଏତେ ମାତ୍ରାରେ ପ୍ରଭାବିତ ହେବାର ନାହିଁ। ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ଏଥିପାଇଁ ୩ ଦିନ ଯାଏଁ ସତର୍କତା ଜାରି ହୋଇଛି। ୨୫ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ଝଡ ପବନ ହେବ। ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପବନ ବହିବ। ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ସେମିତି ସତର୍କ ସୂଚନା ଜାରି ହୋଇ ନାହିଁ। ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି।