ରାତି ପାହିଲେ ବିପଦ: ଆଉ ୪୦ ଟ୍ରେନ୍ ବାତିଲ, ଟ୍ୱିନସିଟିରେ ପବନର ବେଗ ୧୦୦ ଟପିବ

ଭୁବନେଶ୍ୱର ୨/୫:  ରାତି ପାହିଲେ ବାତ୍ଯା । ବାତ୍ୟା ଫୋନି ଆଜି ରାତିସାରା ଓଡିଶା ମୁହାଁ ହେବ । ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ମାଡିଆସୁଛି ଫୋନି । କିଛି ଘଣ୍ଟା ପୂର୍ବରୁ ଏହାର ବେଗ ଘଣ୍ଟାପ୍ରତି ୧୭  କିମି ଥିଲା । ତେବେ ଅପରାହ୍ନ ଅପେକ୍ଷା ସାମାନ୍ଯ ଧୀର ଗତିରେ ଆସୁଛି ଫୋନି ।  ଏବେ ଏହା ପୁରୀ ଠାରୁ ୨୪୦ କିମି ଦୂରରେ ରହିଛି ।  ଆସନ୍ତାକାଲି ସକାଳ ୮ ଟାରୁ ୧୦ଟା ଭିତରେ ପୁରୀରେ ଲାଣ୍ଡଫଲ କରିବ ଫୋନି । ଏହି ସମୟରେ ଘଣ୍ଟାପ୍ରତି ସର୍ବାଧିକ ୧୭୦ ରୁ ୧୮୦ କିମି ବେଗରେ ପବନ ବହିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଲାଣ୍ଡଫଲ ସମୟରେ ଦେଢ ଫୁଟ ଜୁଆର ମଧ୍ଯ ଉଠିବା ସମ୍ଭାବନା ରହିଛି ।

ଫୋନି ପ୍ରଭାବରେ ଜୋରରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ସମେତ ଗଞ୍ଜାମର ଉତ୍ତରାଞ୍ଚଳରେ ଫୋନିର ପ୍ରଭାବ ଅଧିକ ପଡ଼ିବ । ସେହିପରି କଟକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ବାତ୍ୟା ଅନୁଭୂତ ହେବ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫୋନି’ର ପ୍ରଭାବରେ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ପ୍ରଭାବ ଦୃଷ୍ଟିରୁ ଫୋନି ତିତ୍‌ଲିରୁ ବଡ ଓ ଫାଇଲିନ୍‌ରୁ ସାନ ବୋଲି ଭାରତୀୟ ପାଣିପାଗ ବିଭାଗ କହୁଛି ।

ସୂଚନା ଅନୁସାରେ ଆସନ୍ତାକାଲି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ୧୪୦ ରୁ ୧୬୦ କିମି ବେଗରେ ପବନ ବହିବ । ଗଜପତି ଓ ଖୋର୍ଦ୍ଧାରେ ୯୦ ରୁ ୧୧୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ୱରରେ ପବନର ବେଗ ୧୦୦ ଟପିବ । ଯାଜପୁର, ଭଦ୍ରକ, ବାଲେଶ୍ୱରରେ ମଧ୍ଯ ପ୍ରବଳ ବର୍ଷା ସହ ୬୦ ରୁ ୮୦ କିମି ବେଗରେ ପବନ ବହିବ । ନୟାଗଡ, ଢେଙ୍କାନାଳ, ଅନୁଗୋଳ, ମୟୁରଭଞ୍ଜ, କେନ୍ଦୁଝରରେ ମଧ୍ଯ ପ୍ରଭାବ ରହିବ । ଏହି ଜିଲ୍ଲାମାନଙ୍କରେ ୫୦ କିମି ବେଗରେ ପବନ ବହିବ ।

ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଫନିର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଲେଣି ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାଠାରୁ ଆରମ୍ଭ କରି ବାତ୍ୟାବେଳେ ଓ ପରେ ଲୋକମାନଙ୍କ ଜରୁରୀ ଜିନିଷ କିଭଳି ଉପଲବ୍ଧ ହେବ ସେନେଇ ମଧ୍ଯ ବ୍ୟବସ୍ଥା କରାଯାଉଛି । ତେବେ ବାତ୍ଯାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସିଙ୍କ କାର୍ଯ୍ଯାଳୟରେ ସ୍ଥିତି ସମୀକ୍ଷା ପରେ ମୁଖ୍ଯମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଧ୍ଯାନରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲି କେହି ଜନସାଧାରଣ ଘରୁ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅନ୍ଯପଟେ ଆହୁରି ୪୦ ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଲୱେ । ପୂର୍ବରୁ ୧୦୭ଟି ଟ୍ରେନ୍ ବାତିଲ କରାଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୧ ଟି ଓ ୪ ତାରିଖରେ ୧୬ଟି ଟ୍ରେନ୍ ବାତିଲ କରାଯାଇଛି । ଆଜି ମଧ୍ଯରାତ୍ରରୁ ୨୪ ଘଣ୍ଟାଯାଏ ଭୁବନେଶ୍ୱରରୁ ବିମାନ ଉଡିବନି । ଫୋନି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପଦକ୍ଷେପ ନେଇଛି । ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଡିଜିସିଏର ଆଡଭାଇଜରୀ ଜାରି ହୋଇଛି । ଆଜି ମଧ୍ୟରାତ୍ରିରୁ ୨୪ ଘଣ୍ଟା ପର୍ୟ୍ୟନ୍ତ ଭୁବନେଶ୍ୱରରୁ କୌଣସି ବିମାନ ଉଡିବନି ।

ଏବେ ସୁଦ୍ଧା ୭୨ ରୁ ୭୫ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ମୁଖ୍ଯ ଶାସନ ସଚିବ ପ୍ରେସମିଟରେ ସୂଚନା ଦେଇଛନ୍ତି । ପୂରୀ ସହରରେ ଲାଣ୍ଡଫଲ କରିବା ସମ୍ଭାବନା ଅଧିକ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ମୁକାବିଲା ପାଇଁ ରାଜ୍ଯ ସରକାର ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ସରକାରୀ, ଘରୋଇ ଅଫିସ ସହ ଦୋକାନ, ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଟାର୍ଗେଟ୍ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ସ୍ଥାନାନ୍ତର ସରିଛି । ବାକି କାମ ରାତି ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ଯ ଶାସନ ସଚିବ ।

ଅଧିକ ପଢନ୍ତୁ ଭୟଙ୍କର ଭାବେ ମାଡିଆସୁଛି ‘ଫୋନି’, ଜାଣନ୍ତୁ ଟିକିନିଖି ଖବର

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ

ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?