ଭୟାନକ ହେଉଛି ‘ଫୋନି’

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଭୟଙ୍କର ରୂପ ନେଉଛି ବାତ୍ୟା ‘ଫୋନି’ । ସମୁଦ୍ର ଭିତରେ ବଳ ଜୁଟାଇ ଶକ୍ତିଶାଳୀ ହେବାରେ ଲାଗିଛି । ବାରମ୍ବାର ଦିଗ ବଦଳାଇବାର ସଙ୍କେତ ଦେଉଛି । ସମ୍ଭାବ୍ୟ ଗତିପଥ ଯାହା, ଫୋନି ଓଡ଼ିଶା ଉପକୂଳ ପାଖାପାଖି ଆସିପାରେ । ଓଡ଼ିଶା ଉପକୂଳ ନ ଛୁଇଁଲେ ବି କଡ଼େ କଡ଼େ ଯାଇପାରେ । ଫୋନିର ଝାସ ରାଜ୍ୟର ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଉପକୂଳ ଓଡ଼ିଶାରେ । ୨ରୁ ୪ ତାରିଖ ଯାଏଁ ବର୍ଷା ଲାଗି ରହିବ । ପବନ ବି ପିଟିବ । ସମୁଦ୍ର ଅଶାନ୍ତ ରହିବ ।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫୋନି ଆଜି ଅପରାହ୍ନ ସାଢ଼େ ୨ଟାବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିଲା । ଚେନ୍ନାଇଠାରୁ ଦକ୍ଷିଣ ପୂର୍ବରେ ୯୯୦ କିମି, ମଚ୍ଛଲିପଟ୍ଟନମଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୧୭୦ କିମି ଓ ପୁରୀଠାରୁ ଦକ୍ଷିଣ ପୂର୍ବରେ ୧୩୩୬ କିମି ଦୂରରେ ରହିଥିଲା । ଘଣ୍ଟା ପ୍ରତି ୧୦ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରୁଛି ।

ପାଣିପାଗ ବିଭାଗ କହୁଛି, ଆଜି ରାତି ଭିତରେ ‘ଫୋନି’ ସିଭିୟର ସାଇକ୍ଲୋନି ଷ୍ଟର୍ମ (ଭୀଷଣ ବାତ୍ୟା)ରେ ପରିଣତ ହେବ । ଆହୁରି ବଳ ଜୁଟାଇ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ (ଅତି ଭୀଷଣ ବାତ୍ୟା) ଓ ପରେ ଏକ୍ସଷ୍ଟ୍ରିମ୍‌ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ (ଅତି ଭୟାନକ ବାତ୍ୟା) ରୂପ ନେଇପାରେ । ଯଦିଓ ୩ ତାରିଖବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇ ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ତଥାପି ଏହା ସାଂଘାତିକ ପ୍ରଭାବ ପକାଇପାରେ ।

୨ ତାରିଖରୁ ଓଡ଼ିଶାରେ ବାତ୍ୟା ପ୍ରଭାବ ଅନୁଭୂ୍‌ତ ହେବ । ଦକ୍ଷିଣ ଓଡ଼ିଶା ଉପକୂଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ । ୩ରେ ବର୍ଷାର ତୀବ୍ରତା ବଢ଼ିବ । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨ ତାରିଖରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା ଅଛି । ମଝିରେ ମଝିରେ ପବନର ଧକ୍କା ଘଣ୍ଟା ପ୍ରତି ୬୦ କିମି ଛୁଇଁପାରେ । ୩ରେ ପବନର ବେଗ ଆହୁରି ବଢ଼ିବ । ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ପିଟିବ । ପବନର ଧକ୍କା ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ୨ରୁ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ଆସନ୍ତା ମେ’ ପହିଲାବେଳକୁ ‘ବାତ୍ୟା’ ଫୋନି ତାମିଲନାଡ଼ୁର ମହାବଳୀପୁରମଠାରୁ ୪୫୬ କିମି ଦୂରରେ ରହିପାରେ । ସେଠାରୁ ବାତ୍ୟା ଦିଗ ବଦଳାଇବ । ପ୍ରଥମେ ଉତ୍ତର ଦିଗରେ ମୁହାଁଇବ । ପୁଣି ଉତ୍ତର-ପୂର୍ବ ଦିଗରେ ଗତି କରିବ । ୨ ତାରିଖ ରାତିରେ ଏହା ଆନ୍ଧ୍ରର ଅନ୍‌ଗୋଲ୍‌ଠାରୁ ୫୫୨ କିମି ଦୂରରେ ଥିବ । ମେ’ ୩ ତାରିଖ ସକାଳ ସାଢ଼େ ୧୧ଟାବେଳେ ‘ଫୋନି’ କାକିନାଡ଼ା-ମଛଲିପଟ୍ଟନମ ମଝିରେ ଥାଇପାରେ ।

ବାତ୍ୟା ଓଡ଼ିଶା ଛୁଇଁନପାରେ । ମାତ୍ର ଏହାର ପ୍ରଭାବ ୨ରୁ ଅନୁଭୂତ ହେବ ରାଜ୍ୟରେ । ୭୨ ଘଣ୍ଟା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩ରେ ଗଞ୍ଜାମ, ଗଜପତି, ନୟାଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ । ୪ରେ ସମଗ୍ର ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏହା ପରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇପାରେ । କିନ୍ତୁ, ଆମେରିକାର ଜଏଣ୍ଟ ଟାଇଫୁନ୍‌ ସେଣ୍ଟରର ଆକଳନ ହେଲା, ସମୁଦ୍ର ଭିତରେ ରହିଲେ ବି ‘ଫୋନି’ ଉପକୂଳ ଅଞ୍ଚଳ ସମେତ ରାଜ୍ୟର ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିପାରେ । ୧ ତାରିଖରୁ ହିଁ ଏହାର ପ୍ରଭାବ କିଛି କିଛି ମାତ୍ରାରେ ଅନୁଭୂତ ହେବ ।

୨ ତାରିଖବେଳକୁ ସମୁଦ୍ର ଭିତରେ ଫୋନି ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍‌ ଅବସ୍ଥାରେ ଥିବ । ସେତେବେଳେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୨୧୨ କିମି ବେଗରେ ପବନ ବହିପାରେ । ଆଉ ପବନର ଧକ୍କା ୨୬୦ କିମି ଛୁଇଁପାରେ । ସିଧାସଳଖ ନ ହେଲେ ବି ଓଡ଼ିଶାରେ ଏହାର ଝାସ ବାଜିବ । ୩ ତାରିଖବେଳକୁ ‘ଫୋନି’ ଓଡ଼ିଶା ଉପକୂଳର ଆହୁରି ନିକଟତର ହେବ । ଦିନ ସାଢ଼େ ୧୧ଟାବେଳେ ବିଜୟୱାଡାଠାରୁ ଦୂରରେ ସମୁଦ୍ର ଭିତରେ ଥିବ । ସମୁଦ୍ର ଭିତରେ ପବନର ବେଗ ସେତେବେଳକୁ ଘଣ୍ଟା ପ୍ରତି ୧୮୫ କିମି ରହିପାରେ । ପବନର ଧକ୍କା ୨୩୦ କିମି ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଏଭଳି ଭୟାନକ ବାତ୍ୟାର ପ୍ରଭାବିତ କରିପାରେ ଉପକୂଳ ଅଞ୍ଚଳକୁ । ତେବେ ବାତ୍ୟା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ନା ଉପକୂଳ କଡ଼େ କଡ଼େ ଆଗକୁ ବଢ଼ିବ, ଏଯାଏଁ ଆକଳନ କରିହେଉନି । ସମ୍ଭବତଃ ଓଡ଼ିଶା ଉପକୂଳ ପାଖରୁ ଏହା ମ୍ୟାଁମାର ଆଡ଼କୁ ମୁହାଁଇପାରେ ।