ଦିନକୁ ଓଡ଼ିଆଙ୍କ ଇଣ୍ଟରନେଟ୍‌ ଖର୍ଚ୍ଚ କୋଟିଏ, ପ୍ରତିଦିନ ୩.୧ ନିୟୁତ ଜିବି ଉଡ଼ୁଛି ଓଡ଼ିଶାରେ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଓଡ଼ିଶାରେ ଦିନକୁ ୩.୧ ନିୟୁତ ଜିବି ମୋବାଇଲ ଡାଟା ବ୍ୟବହାର ହେଉଛି । ଅର୍ଥାତ୍‌ ମୋବାଇଲ ଜରିଆରେ ଇଣ୍ଟରନେଟ୍‌ ଦେଖାରେ ଓଡ଼ିଆମାନେ ପ୍ରତିଦିନ କୋଟିଏ ଟଙ୍କା ଉଡ଼ାଉଛନ୍ତି । ଟେଲିକମ୍‌ ନିୟାମକ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟର ତଥ୍ୟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି ।
ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ‘ଭାରତରେ ୱେରଲେସ୍‌ ଡାଟା ସେବା’ ରିପୋର୍ଟ ମୁତାବକ, ୨୦୧୭ରୁ ୨୦୧୮ ଭିତରେ ଓଡ଼ିଶାର ଗ୍ରାହକଙ୍କ ଦ୍ୱାରା ମୋବାଇଲ ଡାଟା ବ୍ୟବହାର ୧୩୮.୮% ବଢ଼ିଯାଇଛି । ୨୦୧୭ରେ ଓଡ଼ିଆମାନେ ୪୭୪.୯ ନିୟୁତ ଜିବି ମୋବାଇଲ ଡାଟା ବ୍ୟବହାର କରିଥିଲେ । କିନ୍ତୁ ୨୦୧୮ରେ ସେମାନେ ମୋବାଇଲ ଇଣ୍ଟରନେଟ୍‌ ଦେଖାରେ ୧,୧୩୪.୨ ନିୟୁତ ଡାଟା ଉଡ଼ାଇଛନ୍ତି ।

ଏହି ତଥ୍ୟର ସୁକ୍ଷ୍ମ ବିଶ୍ଳେଷଣ ମୁତାବକ, ପ୍ରତିଦିନ ରାଜ୍ୟରେ ୩.୧ ନିୟୁତ ମୋବାଇଲ ଡାଟା ବ୍ୟବହାର ହେଉଛି । ଭାରତୀୟ ଏୟାରଟେଲ ଓ ରିଲାଏନ୍ସ ଜିଓ ଭଳି ଟେଲିକମ୍‌ ଅପରେଟରଙ୍କ ଏବେକାର ଶସ୍ତା ପ୍ଲାନ୍‌ (ଦୈନିକ ୧.୫ ଜିବି ଡାଟା ବିଶିଷ୍ଟ ୮୪ ଦିନକୁ ୩୯୯ ଟଙ୍କା) ଅନୁସାରେ ୧ ଜିବି ଡାଟା ପାଇଁ ୩ ଟଙ୍କା ୧୬ ପଇସା ଖର୍ଚ୍ଚ ହୋଇଥାଏ । ଏଣୁ ପ୍ରତିଦିନ ରାଜ୍ୟରେ ବ୍ୟବହାର ହେଉଥିବା ୩.୧ ନିୟୁତ ଜିବି ଇଣ୍ଟରନେଟ୍‌ ପାଇଁ ପ୍ରାୟ ୧ କୋଟି (୯୭,୯୬,୦୦୦ ଟଙ୍କା) ଖର୍ଚ୍ଚ ହେଉଛି ।

ରିପୋର୍ଟ କହୁଛି, ୨୦୧୮ରେ ରାଜ୍ୟର ଡାଟା ଉପଭୋକ୍ତାଙ୍କ ସଂଖ୍ୟା ୩୯.୯୩% ବଢ଼ି ୧ କୋଟି ୪୨ ଲକ୍ଷ ହୋଇଛି । ୨୦୧୭ରେ ଓଡ଼ିଶାର ୧ କୋଟି ୧ ଲକ୍ଷ ଗ୍ରାହକ ମୋବାଇଲ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ । ମୋବାଇଲ ଡାଟା ଉପଭୋକ୍ତା ବୃଦ୍ଧିରେ ମଧ୍ୟପ୍ରଦେଶ(୬୯.୪୯%), ବିହାର(୫୨.୪୫%), ରାଜସ୍ଥାନ(୪୫.୯୧%) ଓ ପଶ୍ଚିମବଙ୍ଗ(୪୩.୩୫%) ପଛକୁ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି ।

୨୦୧୭ରେ ଓଡ଼ିଶାର ମୋବାଇଲ ଡାଟା ଗ୍ରାହକ ମାସିକ ହାରାହାରି ୩.୯ ଜିବି ଇଣ୍ଟରନେଟ୍‌ ବ୍ୟବହାର କରୁଥିଲା । କିନ୍ତୁ ୨୦୧୮ରେ ଏହି ପରିମାଣ ୯୩.୮% ବୃଦ୍ଧି ଘଟି ୭.୫% ହୋଇଛି । ଅର୍ଥାତ୍‌ ଓଡ଼ିଶାର ଡାଟା ଗ୍ରାହକମାନେ ମାସକୁ ମୋବାଇଲ ଜରିଆରେ ହାରାହାରି ୭.୫ଜିବି ଇଣ୍ଟରନେଟ୍‌ ସର୍ଫ କରୁଛନ୍ତି । ଟେଲିକମ୍‌ ବିଶେଷଜ୍ଞଙ୍କ ସୂଚନା ମୁତାବକ, ରିଲାଏନ୍ସ ଜିଓ ଭାରତର ୪ଜି ଡାଟା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପରେ ମୋବାଇଲ ଡାଟା ବ୍ୟବହାରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି ।

ଟ୍ରାଇ ରିପୋର୍ଟ ଅନୁସାରେ, ୨୦୧୭ରେ ଭାରତରେ ମୋଟ ୪୨ କୋଟି ୪୦ ଲକ୍ଷ ଟେଲିକମ୍‌ ଗ୍ରାହକ ମୋବାଇଲ ଇଣ୍ଟରନେଟ୍‌ ବ୍ୟବହାର କରୁଥିଲେ । ୨୦୧୮ରେ ମୋବାଇଲ ଡାଟା ବ୍ୟବହାରକାରୀଙ୍କ ସଂଖ୍ୟା ୫୭ କୋଟି ୮୨ ଲକ୍ଷରେ ପହଞ୍ଚିଛି । ସେହିଭଳି ୨୦୧୭ ତୁଳନାରେ ୨୦୧୮ରେ ଭାରତୀୟ ଗ୍ରାହକମାନେ ୧୩୧% ଅଧିକ ଅର୍ଥାତ୍‌ ୪୬,୪୦୪ ନିୟୁତ ଜିବି ଇଣ୍ଟରନେଟ୍‌ ବ୍ୟବହାର କରିଛନ୍ତି ।

   ସମ୍ବନ୍ଧିତ ଖବର


ବଢ଼ିଲା ବିଦ୍ୟୁତ୍‌ ଦର …

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା