ବିଜେପିରେ ମିଶିବା ନେଇ ଦାମଙ୍କ ଜବାବ: କହିଲେ ବିଜେପି ହେଉ କି କଂଗ୍ରେସ, ଯିଏ ଦୁର୍ନୀତି ହଟାଇବ ତାକୁ ସହଯୋଗ କରିବି

source:www.jagran.com
ଭୁବନେଶ୍ୱର ୧୦/୩: ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ଦାମୋଦର ରାଉତ । ଦାମ କହିଛନ୍ତି ଯେ ବିଜେପିରେ ମିଶିବା ନେଇ ନିଷ୍ପତ୍ତି ଅମୀମାଂସିତ । ସେ କହିଛନ୍ତି ‘ମୁଁ ମିଶିବା ପାଇଁ ହଁ କରିନି କି ନାଁ ମଧ୍ଯ କରିନି ।’ କିଛିଦିନ ତଳେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଦାମ ମଧ୍ଯ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏନେଇ ଦାମ ମୁହଁ ଖୋଲିଛନ୍ତି ।
ସେ କହିଛନ୍ତି ‘ଯିଏ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢିବ, ମୁଁ ତାକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି । ବିଜେପି ଯଦି ବିକାଶ ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ ଆଗେଇ ଆସିବ, ବିଜେପିରେ ମିଶିବାରେ କୌଣସି ଆପତ୍ତି ନାହିଁ । ସେହିପରି କଂଗ୍ରେସ ଯଦି ଦୁର୍ନୀତି ବିରୁଦ୍ଧରେ ଲଢେ, ମୁଁ ପୂର୍ଣ୍ଣ ସହଯୋଗ କରିବି ।’
ଦାମ ପୁଣି କହିଛନ୍ତି ଯେ, ତାଙ୍କର ଏକମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ସରକାରର ଅବସାନ । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ହୋଇଛି, ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ଦାମ ସ୍ପଷ୍ଟ କରିଛନ୍ତି । ଦାମ କହିଛନ୍ତି ‘ମୋ ପାଖରେ ଜ୍ଞାନ, ବିଜ୍ଞାନ ସବୁ ରହିଛି । ମୁଁ ଚାହିଁଲେ ପାରାଦୀପରେ ପଦ୍ମ ଫୁଟିବା ଅସମ୍ଭବ ନୁହେଁ ।’ ତେବେ ଅନ୍ଯପଟେ ଦାମଙ୍କ ପୁଅ ସମ୍ବିତ୍ କହିଛନ୍ତି ଯେ ବାପା ଏବେ ସ୍ବାଧୀନ ଅଛନ୍ତି ଏବଂ ତାଙ୍କର ନିଜସ୍ବ ନିଷ୍ପତ୍ତି ନେବାର ଅଧିକାର ରହିଛି । ସେ ଯାହା ନିଷ୍ପତ୍ତି ନେବେ ସେତେବେଳେ ରଣନୀତି କଣ ହେବ ଦେଖାଯିବ ।