ପ୍ରମୁଖ ଖବର
  • ଯାଜପୁର,ଯୋକଡିଆ ନିକଟ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସିଯାଇ ୨ ଭାଇ ନିଖୋଜ
  • ||
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

ସମ୍ୱଲପୁରର ଏହି ଦମ୍ପତ୍ତି ରାଜରାସ୍ତାର ଖାଲ ଖମାକୁ ନିଜସ୍ୱ ଉଦ୍ୟମରେ କରୁଛନ୍ତି ତିଆରି

ସମ୍ବଲପୁର,: ସମୟ ପୂର୍ବାହ୍ନ ପ୍ରାୟ ୧୧ଟା । ସମ୍ବଲପୁର ଓଭର୍‌ ବ୍ରିଜ୍‌ ଉପରେ ଚିରାଚରିତ ଢ଼ଙ୍ଗରେ ଗଡ଼ୁଛି ଯାନବାହନ । ଲାଗି ରହିଛି ଲୋକଙ୍କ ଯାତାୟାତ । ହେଲେ ଏକ ନବ ଦମ୍ପତି ଓଭର୍‌ ବ୍ରିଜ୍‌ର ଖାଲଖମାକୁ ଭରି କଂକ୍ରିଟ୍‌ କରୁଥିବା ଦେଖିବାକୁ ମିଳିଥିଲା । କରଣି କି ଅନ୍ୟ କୌଣସି ନିର୍ମାଣ ସାମଗ୍ରୀ ସେମାନଙ୍କ ପାଖରେ ନଥିଲା । ଖାଲି ହାତରେ ସେମାନେ କାମ କରୁଥିଲେ । ସେମାନଙ୍କ ବେଶ ପରିପାଟି ଓ ହାବଭାବରୁ ସେମାନେ ସାଧାରଣ ଶ୍ରମିକ ଶ୍ରେଣୀର ଲାଗୁ ନଥିଲେ । କେହି ସେମାନଙ୍କ କାମକୁ ଧ୍ୟାନ ଦେଉନଥିଲେ । କଚ୍ଚା କଂକ୍ରିଟ୍‌କୁ ମଡ଼ାଇ ଚାଲିଯାଉଥିଲେ ସମସ୍ତେ । ହେଲେ ସେମାନେ ନିର୍ବିକାର ଭାବେ ତାଙ୍କ କାମ କରି ଚାଲିଥିଲେ । ଗେଟି, ବାଲି ଓ ସିମେଣ୍ଟ ମିଶାଇ ବ୍ରିଜ୍‌ ମଧ୍ୟ ଭାଗରେ ଥିବା ଗର୍ତ୍ତ ଭରୁଥିଲେ । କୌତୁହଳ ବଶତଃ ତାଙ୍କୁ ପଚାରିବାରୁ ସାମାଜିକ ଉତ୍ତରଦାୟିତ୍ୱ ନିଭାଉଛୁ ବୋଲି ସରଳ ଭାବେ ଉତ୍ତର ଦେଇଥିଲେ । ଅନୁମାନ ସତ ଥିଲା । ଉକ୍ତ ଦମ୍ପତି ସାଧାରଣ ଶ୍ରମିକ ଶ୍ରେଣୀର ନଥିଲେ । ସେମାନେ ହେଲେ ସମ୍ବଲପୁର ଗୁଜରାତି କଲୋନିର ଶିବ ଭଗବାନ ସାରଡ଼ା ଓ ସାଧନାଙ୍କ ପୁଅ-ବୋହୂ ରିତେଶ ଓ ସୁପ୍ରିୟା । ୬ ମାସ ହେବ ରିତେଶ ଓ ସୁପ୍ରିୟାଙ୍କ ବିବାହ ହୋଇଛି ।

ରିତେଶ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର । ସେ ଚେନ୍ନାଇରେ ଚାକିରି କରନ୍ତି । କରୋନା ମହାମାରୀ ଲକ୍‌ଡାଉନ୍‌ ଯୋଗୁଁ ସେମାନେ ୩ ମାସରୁ ଅଧିକ ହେବ ସମ୍ବଲପୁର ସ୍ଥିତ ଘରକୁ ଫେରି ଆସିଛନ୍ତି । ଆଉ ଘରେ ଥାଇ ଅଫିସ୍‌ କାମ ବି କରୁଛନ୍ତି । ଉକ୍ତ ଦମ୍ପତି ବିଭିନ୍ନ ଅଞ୍ଚଳକୁ ଯିବା ସମୟରେ ସେଠାରେ ଥିବା ସାଧାରଣ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରନ୍ତି । କେଉଁଠି ଅଭାବୀଙ୍କୁ ସାହାଯ୍ୟ କରନ୍ତି ଆଉ କେଉଁଠି କିଛି ନହେଲେ ବୃକ୍ଷରୋପଣ କରିଥାନ୍ତି । ମାସେ ତଳେ ସହରର ସାକ୍ଷୀପଡ଼ା ବନ୍ଧରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୩୦ରୁ ୩୫ଟି ଚାରା ଲଗାଇଛନ୍ତି । ଉକ୍ତ ଦମ୍ପତିଙ୍କ ଉଦ୍ୟମରେ ବରେଇପାଲି ଗୋପାଲପାଲି ଠାରେ ୫୦୦ରୁ ଅଧିକ ଚାରା ମାହେଶ୍ୱରୀ ସମାଜ ପକ୍ଷରୁ ଲଗାଯାଇଛି । କିଛି ଦିନ ତଳେ ରିତେଶ ଫାଟକ ଓଭର୍‌ ବ୍ରିଜ୍‌ ଦେଇ ଯାଉଥିବା ବେଳେ ଖାଲଖମା ଦେଖିଥିଲେ । ଖାଲରେ ପଡ଼ି ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଥିବାରୁ ଏହାର ମରାମତି କରିବାକୁ ରିତେଶ ମନସ୍ଥ କରି ଆଜି ପତ୍ନୀ ସୁପ୍ରିୟାଙ୍କ ସହ ବାହାରି ପଡ଼ିଥିଲେ । ଖାଲର କେତେକ ସ୍ଥାନରେ ସ୍ୱାମୀ-ସ୍ତ୍ରୀ କଂକ୍ରିଟ୍‌ କରିଥିଲେ । ରିତେଶ ସାମାଜିକ କାର୍ଯ୍ୟ କରିବାକୁ ତାଙ୍କ ମା’ଙ୍କ ଠାରୁ ପ୍ରେରଣା ପାଇଛନ୍ତି । ମା’ ସାଧନା ବିଭିନ୍ନ ବୃଦ୍ଧାଶ୍ରମ ଓ ଅନାଥାଶ୍ରମକୁ ଯାଇ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଅନ୍ତି । ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଚାରା ଲଗାଇଥାନ୍ତି ।

ମା’ଙ୍କ ଏହି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରିତେଶ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଚେନ୍ନାଇରେ ମଧ୍ୟ ରିତେଶ ଅଞ୍ଚଳର ସମସ୍ୟା ସମାଧାନ ଦିଗରେ କାମ କରନ୍ତି । ବିବାହ ପୂର୍ବରୁ ସେ ଏକୁଟିଆ ଏହି ସବୁ କାର୍ଯ୍ୟ କରୁଥିଲେ । ବିବାହ ପରେ ଦମ୍ପତି ମିଶି ଏପରି କାର୍ଯ୍ୟ କରୁଛନ୍ତି । ସପ୍ତାହକରେ ଦିନେ ସାରଡା ଦମ୍ପତି ସମୟ ବାହାର କରି ବିଭିନ୍ନ ଅଞ୍ଚଳରେ ରହିଥିବା ସମସ୍ୟା ଦୂର କରିବାକୁ ଉଦ୍ୟମ କରିଥାନ୍ତି । ସମାଜ ଓ ଅଞ୍ଚଳର ଉନ୍ନତି ପାଇଁ କିଛି କରିବା ସମସ୍ତଙ୍କ କର୍ତ୍ତବ୍ୟ । ନିଜେ ସଚେତନ ହେଲେ ଯାଇ ଦେଶ ଉନ୍ନତି ପଥେ ଆଗେଇବ । ଛୋଟମୋଟ ସାଧାରଣ ସମସ୍ୟା ନେଇ ଅନ୍ୟ ଠାରେ ଅଭିଯୋଗ କରିବା ପରିବର୍ତ୍ତେ ସାଧ୍ୟ ମତେ ନିଜେ ସମାଧାନ ପାଇଁ ଆଗେଇ ଆସିଲେ ସ୍ଥିତି ସୁଧରିବା ସହ ସାମାଜିକ ସହାବସ୍ଥାନ ବେଶ ଆରାମପ୍ରଦ ହେବ । ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ରିତେଶ ଓ ସୁପ୍ରିୟା କହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.