‘ଡ୍ୟାନ୍ସ ଦିୱାନେ-୨’ରେ ଓଡ଼ିଆ ପୁଅ ଓମ୍‌ ଶୁଭମଙ୍କ ଜଲୱା,ଫାଇନାଲ୍‌ ରାଉଣ୍ଡକୁ ଉତ୍ତୀର୍ଣ୍ଣ

ବାରିପଦା ୧୮/୯: ଘରୋଇ ଟିଭି ଚ୍ୟାନେଲ୍‌ କଲର୍ସର ଅନ୍ୟତମ ଜାତୀୟସ୍ତରୀୟ ରିଅଲିଟି ଶୋ ‘ଡ୍ୟାନ୍ସ ଦିୱାନେ -୨’ ପ୍ରତିଯୋଗିତାରେ ବାରିପଦାର ୧୦ ବର୍ଷର ବାଳକ ଓମ୍‌ ଶୁଭମ ମହାପାତ୍ର ଫାଇନାଲ୍‌ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଏହି ଲୋକପ୍ରିୟ ଚ୍ୟାନେଲ୍‌ର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ଲାଭ କରି ବାରିପଦା ତଥା ରାଜ୍ୟବାସୀଙ୍କ ଗୌରବ ଆଣିଛନ୍ତି । ଡ୍ୟାନ୍ସ ଦିୱାନେ-୨ରେ ଏହି କୁନି ନୃତ୍ୟଶିଳ୍ପୀଙ୍କ ଜଲୱା ବଲିଉଡ୍‌ ସୁପରଷ୍ଟାର ମାଧୁରୀ ଦୀକ୍ଷିତ, ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି ବହୁ ନାମୀଦାମୀ କଳାକାରମାନଙ୍କର ହୃଦୟ ଜିଣିଛି ।

ଗତ ମେ ମାସରୁ ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ଦେଶର ୧୦୦ରୁ ଅଧିକ କୁନି ନୃତ୍ୟଶିଳ୍ପୀ ଭାଗ ନେଇଥିଲେ । ଓମ୍‌ ସମସ୍ତଙ୍କୁ ପଛରେ ପକାଇ ଫାଇନାଲ ରାଉଣ୍ଡ ଯାଇଥିବା ୬ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ପ୍ରକାଶ ଥାଉକି, ସେମି ଫାଇନାଲ ରାଉଣ୍ଡର ସୁଟିଂ ସରିଥିବାବେଳେ ଏହାର ପ୍ରସାରଣ ଆସନ୍ତା ଶନିବାର ଓ ରବିବାର କରାଯିବ । ଫାଇନାଲ ରାଉଣ୍ଡରେ ଥିବା ୬ କୁନି ପ୍ରତିଯୋଗୀଙ୍କୁ ନେଇ ଏବେ ସୁଟିଂ ଚାଲିଛି । ଏହା ଆସନ୍ତା ୨୮ ଓ ୨୯ ତାରିଖରେ ଲାଇଭ୍‌ ଟେଲିକାଷ୍ଟ କରାଯିବ ବୋଲି ଓମ୍‌ଙ୍କ ବାପା ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ବ୍ଲକ୍‌ର ଅରବିନ୍ଦ ମହାପାତ୍ର ଓ କୁଞ୍ଜଲତା ମହାପାତ୍ରଙ୍କ ପୁଅ ଓମ୍‌ ଶୁଭମ୍‌ । ଓମ୍‌ ବାରିପଦାର ଲକ୍ଷ୍ମୀପୋଷି କେନ୍ଦ୍ରୀୟ ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ ୬ରେ ପଢ଼ୁଛନ୍ତି । ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ପୁଅର ଏଭଳି ସଫଳତା ପାଇଁ ବାପା ଅରବିନ୍ଦ ବହୁତ ଗର୍ବିତ ଓ ଉତ୍ସାହିତ ଥିବା କହିଛନ୍ତି । ପିଲା ଦିନରୁ ନୃତ୍ୟକୁ ଆପଣାଇଥିବା ଓମ୍‌ ଶୁଭମ୍‌ ଦିନେ ଜାତୀୟ ଟିଭି ଚ୍ୟାନେଲ୍‌ ଭାଗ ନେଇ ମୟୂରଭଞ୍ଜ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ସୁନାମ ଆଣିବେ ବୋଲି ସେ କେବେ ଭାବି ନଥିଲେ ବୋଲି କହିଛନ୍ତି ।

ପ୍ରକାଶ ଥାଉକି, ଡ୍ୟାନ୍ସ ଦିୱାନେ -୨ ପ୍ରତିଯୋଗିତାର ଫାଇନାଲ୍‌ ରାଉଣ୍ଡରେ ଚାମ୍ପିଅନ ହେବାକୁ ହେଲେ ଓମ୍‌ ଶୁଭମଙ୍କୁ ଦର୍ଶକଙ୍କ ଭୋଟ୍‌ର ଆବଶ୍ୟକତା ରହିଛି । ଏଣୁ ଭିଓଓଟି’ କିମ୍ବା ‘ମାଇଁ ଜିଓ’ଆପ୍‌ରେ ଶନିବାର କିମ୍ବା ରବିବାର ରାତି ୧୦ଟାରୁ ଦିନ ୧୦ଟା ମଧ୍ୟରେ ଭୋଟ ଦେଇ ଓମ୍‌କୁ ଜୟଯୁକ୍ତ କରାଇବାକୁ ପିତା ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ଚା’ ବଗିଚାରେ ଭୂମିକା

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି