ଡଙ୍ଗାଘାଟ ବଢ଼ାଇବ କରୋନା ସଂକ୍ରମଣ

ପାରାଦୀପ,: ସରକାରଙ୍କ ନିୟମକୁ ଏମିତି ମୋଡ଼ି ମକଚି ଫୋପାଡ଼ି ଦିଆଯାଏ ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ଚଉମୁହାଣୀସ୍ଥିତ ଡଙ୍ଗାଘାଟରେ । ଦିନ ରାତି ଭୁଟୁଭୁଟି ଡଙ୍ଗାରେ ପ୍ରତିଦିନ କେନ୍ଦ୍ରାପଡ଼ାରୁ ହଜାର ହଜାର ଲୋକ ପାରାଦୀପକୁ ଆଣୁଥିବା ବେଳେ କୋଭିଡ୍‌ ନିୟମକୁ ପୂରା ଜଳାଞ୍ଜଳି ଦିଆଯାଉଥିବା ଦେଖିବାକୁ ମିଳିଛି । ଏପରିକି ସରକାରୀ କିମ୍ବା ପ୍ରଶାସନର ଅନୁମତି ନନେଇ ବିନା ଟେଣ୍ଡରରେ ଏଭଳି ବେଆଇନ ଯାତ୍ରୀ ପରିବହନ ଚାଲିଥିବା ବେଳେ ଉଛୁଳା ନଦୀରେ ଲୋକେ ଲାଇଫ୍‌ ଜ୍ୟାକେଟ୍‌ ବ୍ୟବହାର କରୁ ନଥିବାରୁ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ଏପରିକି ଘାଟ ଗୁଡ଼ିକରେ ଚାଲିଥିବା ଡଙ୍ଗା ଗୁଡ଼ିକ ସବୁ ଦିନ କାହା ପାଖରେ ଟଙ୍କା ପୈଠ କରୁଛନ୍ତି ସେନେଇ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି । ଚଉମୁହାଣୀ ଘାଟକୁ ପ୍ରତିଦିନ କେନ୍ଦ୍ରାପଡ଼ା ଜିଲ୍ଲାର ବରକନ୍ଧା ପଞ୍ଚାୟତପଟରେ ଥିବା ମହାନଦୀ ଘାଟରୁ ଯାତ୍ରୀ ଅଣାଯାଉଛି । ଜିଲ୍ଲାର ଦଧିପୁର, ମଙ୍ଗଳପୁର, ଗୁହାଳକଣି, ଗୋଜାବନ୍ଧ, କୁମ୍ଭାରପଡ଼ା, ବରକନ୍ଧା, ଜାଗିସିରି, ଆଖଡ଼ାଶାଳ, ବଉଳପଡ଼ା, ଗୋଖାଘାଟି ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ଲୋକ, ଶତାଧିକ ଗାଡ଼ି ଭୁଟୁଭୁଟି ଡଙ୍ଗାରେ ବସି ପାରାଦୀପକୁ ଆସୁଛନ୍ତି । ହେଲେ ଡଙ୍ଗା(ଭୁଟୁଭୁଟି)ରେ ଆସୁଥିବା ଯାତ୍ରୀ ମାନଙ୍କ ମଧ୍ୟରେ ନା ରହୁଛି ସାମାଜିକ ଦୂରତା ନା କେହି ମାସ୍କ୍‌ ପିନ୍ଧୁଥିବା ଦେଖିବାକୁ ମିଳିଛି ।

ଗୋଟିଏ ପଟେ ସରକାର ସବୁ ପ୍ରକାର ଗମନାଗମନ ଉପରେ କଟକଣା ଲଗାଇ ସର୍ତ୍ତମୂଳକ ଯାତ୍ରୀ ବହନ ପାଇଁ ଜଳପଥ, ସଡ଼କପଥ ଓ ଆକାଶପଥରେ ଅନୁମତି ଦେଉଥିବା ବେଳେ ଚଉମୁହାଣୀ ଡଙ୍ଗା ଘାଟ ଏଥିରେ ବାଦ୍‌ ପଡ଼ିଲା କେମିତି । ଡଙ୍ଗାରେ କୌଣସି ପ୍ରକାର କଟକଣା ରହୁନଥିବା ଦ୍ୱାରା କେନ୍ଦ୍ରାପଡ଼ାରୁ ଆସୁଥିବା ଲୋକେ ଯେ ପାରାଦୀପରେ କରୋନା ସଂକ୍ରମଣ ନବଢ଼ାଇବେ ସେନେଇ ପ୍ରଶ୍ନ ଉଠାଇବାକୁ କେହି ନାହିଁ । ହେଲେ ଯେଉଁ ଡଙ୍ଗା ଚାଲୁଛି ସେସବୁ ବିନା ଘାଟ ନିଲାମରେ ଚାଲିଥିବା ଜଣାପଡ଼ିଛି । ହେଲେ ଡଙ୍ଗା ଗୁଡ଼ିକ ଚାଲିବାକୁ କିଏ ଅନୁମତି ଦେଇଛି ସେନେଇ ଖୋଳତାଡ଼ କରିବାରୁ ଜଣାପଡ଼ିଛି ଯେ ଡଙ୍ଗା ମାଲିକ ମାନେ ସବୁଦିନ ନୂଆଗଡ଼ ପଞ୍ଚାୟତରେ ୧୧୦ ଟଙ୍କା ଓ ବରକନ୍ଧା ପଞ୍ଚାୟତରେ ୧୧୦ ଟଙ୍କା ଯାତ୍ରୀ ପରିବହନ ପାଇଁ ଦାଖଲ କରୁଛନ୍ତି । ତା’ଅର୍ଥ ପଞ୍ଚାୟତ ପକ୍ଷରୁ ଡଙ୍ଗା ଚଳାଚଳ ପାଇଁ ଅନୁମତି ଦିଆଯାଇଛି । କରୋନା ଭଳି ପରିସ୍ଥିତିରେ ଯେତେବେଳେ ଜିଲ୍ଲାରେ ସଂକ୍ରମଣ ହୁ ହୁ ବଢ଼ି ଚାଲିଛି ଓ ବିଶେଷକରି ପାରାଦୀପ ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେଉଛି ସେଭଳି ସମୟରେ ବିନା ପ୍ରଶାସନର ଅନୁମତିରେ ଯ୍ରାତୀବାହୀ ଡଙ୍ଗା ଚଳାଇବାକୁ ଅନୁମତି ଦେବା ଓ ପ୍ରତ୍ୟୋକ ଦିନ ଟଙ୍କା ସଂଗ୍ରହ କରିବାକୁ ପଞ୍ଚାୟତ ଗୁଡ଼ିକୁ କିଏ ଅନୁମତି ଦେଇଛି ସେନେଇ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି । ଏପରିକି ଦୈନିକ ଆସୁଥିବା ହଜାର ହଜାର ଯାତ୍ରୀଙ୍କ ମଧ୍ୟରୁ କେହି ଜଣେ ହେଲେ ଲାଇଫ୍‌ ଜ୍ୟାକେଟ୍‌ ବ୍ୟବହାର କରୁ ନଥିବା ଦେଖିବାକୁ ମିଳିଛି । ଯେଉଁଠି ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଡଙ୍ଗାରେ ଯାତ୍ରୀ ପରିବହନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ସେଭଳି ସ୍ଥଳରେ ନିୟମ ଭାଙ୍ଗିଲେ ମଧ୍ୟ କେହି ଦେଖିବାକୁ ନାହାନ୍ତି ।

 ତେଣୁ ଚଉମୁହାଣୀ ଡଙ୍ଗା ଘାଟରେ ଚାଲୁଥିବା ବେଆଇନ ଯାତ୍ରୀବାହି ଡଙ୍ଗା ଗୁଡ଼ିକ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନେବା ସ୍ଥାନୀୟ ପ୍ରଶାସନ ପାଇଁ ଜରୁରି ହୋଇପଡ଼ିଛି । ଏପରିକି ଏନେଇ କୁଜଙ୍ଗ ତହସିଲଦାର ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପଚରାଯିବାରୁ ଡଙ୍ଗାଘାଟ ଗୁଡ଼ିକ ତହସିଲ ପକ୍ଷରୁ ନିଲାମ ଡକାଯାଇନଥାଏ । ପଞ୍ଚାୟତ ଗୁଡ଼ିକ ନିଜେ ନିଲାମ ଦେଇଥାନ୍ତି । ହେଲେ ଏଥର ନିଲାମ ନଦେଇ ଦୈନିକ କିଛି ଟଙ୍କା ଆଦାୟ କରୁଛନ୍ତି ବୋଲି କହିଥିଲେ । କୋଭିଡ୍‌ କଟକଣା ନିୟମକୁ ପାଳନ କରିବା ସହ ମାତ୍ରାଧିକ ଲୋଡ଼ିଂ ନକରିବାକୁ ଧ୍ୟାନ ଦେବାକୁ ସରପଞ୍ଚଙ୍କୁ କୁହାଯାଇଛି ବୋଲି କହି ସେ ନିଜ ମୁଣ୍ଡରୁ ଦୋଷ ଛଡ଼ାଇଦେଇଥିଲେ ।

   ସମ୍ବନ୍ଧିତ ଖବର


ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ