ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଦାରିଙ୍ଗିବାଡ଼ି, ୨୫/ ୧୧: ମୃତ ବାପାଙ୍କ ସ୍ଥାନରେ ଚାକିରି ପାଇଁ ପୁଅ ଆବେଦନ କଲେ । ହେଲେ କାଗଜପତ୍ର କାମ ପାଇଁ ୫ ହଜାର ଲାଞ୍ଚ ମାଗିଲେ ବିଇଓ ଅଫିସର ମୁଖ୍ୟକିରାଣି । ଲାଞ୍ଚ ନେବାବେଳେ ଗିରଫ ହୋଇଛନ୍ତି ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି ଚିତ୍ତରଞ୍ଜନ ସିଂ । ଶିବ ଶଙ୍କର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ବିଇଓଙ୍କ କାର୍ଯ୍ୟାଳୟରେ ଚଢ଼ଉ କରି ତାଙ୍କୁ ଧରିଥିଲାବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଅନୀଲ ପାତ୍ର ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଶିବଶଙ୍କରଙ୍କ ବାପା ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ଦାରିଙ୍ଗବାଡ଼ି ବ୍ଲକ୍‌ର ଶ୍ରାନିକେତା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ହେଲେ, ୨୦୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଶିବଶଙ୍କର ପୁନଃସ୍ଥାପନ ପାଇଁ ଆବେଦନ କରିଥିଲେ । ହେଲେ କାଗଜପତ୍ର କାମ ପାଇଁ ମୁଖ୍ୟ କିରାଣି ଚିତ୍ତରଞ୍ଜନ ସିଂ ୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ଶିବଶଙ୍କର ବ୍ରହ୍ମପୁର ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାବେଳେ ଶିବଶଙ୍କର ଦାରିଙ୍ଗବାଡ଼ି ବିଇଓଙ୍କ କାର୍ଯ୍ୟଳୟକୁ ଯାଇଥିଲେ ।

ସେଠାରେ ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ସିଂଙ୍କୁ ଭେଟି ତାଙ୍କୁ ରସାୟନ ବୋଳା ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ମୁଖ୍ୟ କିରାଣି ଟଙ୍କା ଧରି ପ୍ୟାକେଟ୍‌ରେ ଭର୍ତ୍ତି କରିବା ସଙ୍ଗେ ସଙ୍ଗେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିବା ସହ ସମସ୍ତ କାଗଜପତ୍ର ଜବତ କରିଥିଲେ । ପରେ ସେ ରହୁଥିବା ବାଲିଗୁଡ଼ା ସ୍ଥିତ ବାସଭବନରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ଭିଜିଲାନ୍ସ । ଏ ନେଇ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଛି ।