ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତାହାତୀ

ଚୌଦ୍ୱାର-ଗୁରୁଡିଝାଟିଆ,୨୩ା୨ (ଆପ୍ର): ଗୁରୁଡିଝାଟିଆ ଥାନା ଅଧୀନ କୁସପଙ୍ଗୀ ରାଉଳ ସାହିରେ ଘର ଭିତରେ ପଶି ଶୋଇଥିବା ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି ଦନ୍ତାହାତୀ । ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ପୂର୍ଣ୍ଣଚନ୍ଦ୍ର ରାଉଳ (୭୦) । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ତୁରନ୍ତ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀ ବୃଦ୍ଧଙ୍କ ମୃତଦେହ ୫୫ ନଂ ଜାତୀୟ ରାଜପଥ କଡ଼ରେ ରଖି ଧାରଣାରେ ବସିଥିଲେ । ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସହିତ କ୍ଷତିପୂରଣ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦକାରୁ ୨୫ଟି ହାତୀ ଆସି ଖୁଣ୍ଟୁଣୀ ରେଞ୍ଜରେ ରହୁଥିବାବେଳେ କିଛି ଦିନ ହେବ ଆଠଗଡ ଅଞ୍ଚଳକୁ ପଳାଇଛନ୍ତି । ହେଲେ ୨ଟି ଦନ୍ତାହାତୀ ରେଞ୍ଜ୍ର ଓରନ୍ଦା ସେକ୍ସନ୍ ଅଞ୍ଚଳରେ ଘୂରି ବୁଲୁଛନ୍ତି । ତା’ ମଧ୍ୟରୁ ଗୋଟିଏ ଏବେ ହିଂସ୍ର ପାଲଟି ଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଉକ୍ତ ଦନ୍ତାହାତୀ ବଉଳ ସଂରକ୍ଷିତ ଜଙ୍ଗଲରୁ ଆସି କୁସପଙ୍ଗୀ ପଞ୍ଚାୟତ ରାଉଳସାହିରେ ପଶିଥିଲା । ହାତୀ ପଶିବା ଦେଖି ସାହିର ଲୋକେ ତାହାକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀଟି ଅଧିକ ହିଂସ୍ର ହୋଇ ଆକ୍ରମଣ କରିବାକୁ ଗୋଡାଇଥିଲା । ଫଳରେ ସାହି ଲୋକେ ଦୌଡାଦୌଡି ହୋଇ ଉଚ୍ଚ ସ୍ଥାନରେ ରହିଥିଲେ । ହେଲେ ସାହିର ପୂର୍ଣ୍ଣଚନ୍ଦ୍ର ରାଉଳ ରୋଗାକ୍ରାନ୍ତ ଥିବାରୁ ଘରେ ଶୋଇଥିଲେ । ହାତୀ ଚାଳ ଭାଙ୍ଗି ଘର ଭିତରେ ପଶି ପୂର୍ଣ୍ଣଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଳା । ଦନ୍ତାର ଏପରି ହିଂସ୍ର ରୂପ ଦେଖି ସାହି ଲୋକେ କୁସପଙ୍ଗୀ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମରୁ ଅଧିକ ସଂଖ୍ୟକ ଲୋକ ଆସି ମିଶି ହାତୀକୁ ଘଉଡାଇଥିଲେ । ପରେ ହାତୀଟି ରାଉଳସାହି କଡରେ ଥିବା ପାହାଡ ମଧ୍ୟକୁ ଚାଲିଯାଇଥିଲା । ପରିବାର ଲୋକ ଘରେ ଆସି ଦେଖିବା ବେଳକୁ ପୂର୍ଣ୍ଣଙ୍କର ଗୋଡ ସହ ବିଭିନ୍ନ ସ୍ଥାନକୁ ହାତୀ ଦଳି କ୍ଷତାକ୍ତ କରି ମାରିଦେଇଥିଲା ।
ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି । ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଦନ୍ତା ହାତୀଟି କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡାଉଛି । ସେ କ’ଣ ପାଇଁ ଏତେ ହିଂସ୍ର ହୋଇଛି ତାହାର କାରଣ ଜଣା ପଡିନାହିଁ । ଅପରପକ୍ଷେ ଅଞ୍ଚଳବାସୀ ପୂର୍ଣ୍ଣଙ୍କ ମୃତ ଦେହକୁ ରାଜପଥ ପାଶ୍ୱର୍ରେ ରଖି ବସିଥିବା ବେଳେ ଘଟଣା ସ୍ଥଳରେ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ପାଲସିଂ ମାଥୁର, ଓରନ୍ଦା ବନପାଳ ରାକେଶ ଦଳାଇ ଓ ଗୁରୁଡିଝାଟିଆ ଆଇଆଇସି ସମୀର ପଣ୍ଡା ପହଞ୍ଚି ବୁଝାଶୁଝା କରିଥିଲେ । ବନ ବିଭାଗ ପକ୍ଷରୁ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ମୃତ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାରକୁ ତୁରନ୍ତ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଗୁରୁଡିଝାଟିଆ ପୁଲିସ ମୃତଦେହକୁ ଜବତ କରି ଆଠଗଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି । ହାତୀକୁ ଘଉଡାଇବା ପାଇଁ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଘଟଣାସ୍ଥଳରେ ନିୟୋଜିତ ହେବା ସହ ହାତୀର ଗତିବିଧି ଉପରେ ନଜର ରଖିଥିବା ରେଞ୍ଜର୍ ଶ୍ରୀ ମାଥୁର୍ କହିଛନ୍ତି ।