PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାଜିଲା ବିଗୁଲ: ଏପ୍ରିଲ ୧୧, ୧୮, ୨୩, ୨୯ରେ ଓଡ଼ିଶା ଭୋଟ୍

ଭୁବନେଶ୍ୱର,୧୦ ।୩(ବ୍ୟୁରୋ): ବାଜିଲା ଭୋଟ ଘଣ୍ଟି । ୭ଟି ପର୍ଯ୍ୟାୟରେ ହେବ ଲୋକସଭା ମତଦାନ । ପ୍ରଥମ ୪ଟିି ପର୍ଯ୍ୟାୟରେ ଓଡ଼ିଶାରେ । ରାଜ୍ୟର ୨୧ ଲୋକସଭା ସହ ୧୪୭ ବିଧାନସଭା ଆସନ ପାଇଁ ଏକାଠି ଭୋଟ ଗ୍ରହଣ ହେବ । ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ଭୋଟ ।
ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରା ଆଜି ଏକଥା ଘୋଷଣା କରିଛନ୍ତି । ଫଳାଫଳ ପାଇଁ ୨୪ ଦିନ ଅପେକ୍ଷା କପରିବାକୁ ପଡ଼ିବ । ଭୋଟ ଗଣତି ହେବ ମେ ୨୩ ତାରିଖରେ । ଏଥିସହିତ ରବିବାର (ମାର୍ଚ୍ଚ ୧୦)ଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
ଓଡ଼ିଶା ଭୋଟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଯେଉଁ ଦିନ ଲୋକସଭା ଆସନ ପାଇଁ ଭୋଟ୍‌ ହେବ, ସଂପୃକ୍ତ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟରେ ୪ ଲୋକସଭା କ୍ଷେତ୍ର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ସହ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ମତଦାନ ହେବ ।
ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ରେ ୫ ଲୋକସଭା ଆସନ କନ୍ଧମାଳ, ଆସ୍କା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର ପାଇଁ ଭୋଟ ହେବ । ଏହାସହ ସଂପୃକ୍ତ ୩୫ ବିଧାନସଭା ସିଟ୍‌ ପାଇଁ ପ୍ରତିନିଧି ବାଛିବେ ଜନତା ।
୨୩ ଏପ୍ରିଲରେ ୬ ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ୪୨ ବିଧାନସଭା ପାଇଁ ମତଗ୍ରହଣ କରାଯିବ ।
ଶେଷ ପର୍ଯ୍ୟାୟ ଭୋଟ ୨୯ ଏପ୍ରିଲରେ ଅନୁଷ୍ଠିତ ହେବ । ଏ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଲୋକସଭା ସହ ୪୨ ବିଧାନସଭା ସିଟ୍‌ ପାଇଁ ଭୋଟ ଗ୍ରହଣ ହେବ ।
ପ୍ରଥମ ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲ କରିବା ଶେଷ ତାରିଖ ୨୫ ତାରିିଖ । ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ମାର୍ଚ୍ଚ ୧୯ ତାରିଖରେ ପ୍ରକାଶ ପାଇବ । ମନୋନୟନ ପତ୍ର ଦାଖଲ ସରିବ ୨୬ ମାର୍ଚ୍ଚ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ ୪ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ଏପ୍ରିଲ ୯ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଆସନ୍ତା ନିର୍ବାଚନ ଯେଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ଭାବରେ ଅନୁଷ୍ଠିତ ହେବ ତାକୁ ଆଖିରେ ରଖି କମିଶନଙ୍କ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଓଡ଼ିଶାରେ ଆସନ୍ତା ନିର୍ବାଚନ ପାଇଁ ୩ କୋଟି ୧୮ ଲକ୍ଷ ୭୮୭ (ଜାନୁଆରୀ ସୁଦ୍ଧା) ଭୋଟର ଥିଲା ବେଳେ ୩୭ ହଜାର ୬୦୬ ବୁଥ୍‌ ଚିହ୍ନଟ ହୋଇଛି । ତେବେ ଭୋଟର ଓ ବୁଥ୍‌ ସଂଖ୍ୟାରେ ବୃଦ୍ଧି ହେବ ବୋଲି ସିଇଓ କହିଛନ୍ତି । ନାମାଙ୍କନପତ୍ର ଦାଖଲର ୧୦ ଦିନ ପୂର୍ବ ଯାଏ ଭୋଟର ତାଲିକାରେ ନୂଆ ଭୋଟରଙ୍କ ନାମ ଯୋଡ଼ି ହେବ । ଏହାଛଡ଼ା ତାଲିକାରେ ନାମ ଯୋଗ, ବିୟୋଗ ଓ ସଂଶୋଧନ ପାଇଁ କମିଶନଙ୍କ ନିକଟରେ ୭ ଲକ୍ଷ ୫୧ ହଜାର ଆବେଦନ ମିଳିଛି । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି ।
କେନ୍ଦ୍ରୀୟ ଫୋର୍ସକୁ ଠିକଣା ଭାବେ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୪ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ରବିବାର ସନ୍ଧ୍ୟାରୁ ନେତାଙ୍କ ଛବି ଥିବା ସମସ୍ତ ପ୍ରକାର ହୋର୍ଡିଂ, ବ୍ୟାନର ହଟାଇନେବା ସହ ସରକାରୀ ଅର୍ଥରେ ବିଜ୍ଞାପନ ପ୍ରଚାର ଓ ପ୍ରସାରଣ ଉପରେ ରୋକ ଲାଗିଛି । ଆଚରଣ ବିଧି ଉଲ୍ଲଂଘନ ଉପରେ ପୂର୍ଣ୍ଣ ନଜର ରଖାଯିବ । ଏଥିପାଇଁ ସମସ୍ତ ବିଭାଗ ନୋଡାଲ ଅଫିସର ନିଯୁକ୍ତି କରିବାକୁ ଆଗରୁ ନିର୍ଦ୍ଦେଶ ଜାରି ହୋଇଛି । ନିର୍ବାଚନ ପ୍ରକ୍ରିୟା ସହ ସଂପୃକ୍ତ କର୍ମଚାରୀଙ୍କ ବଦଳି ନିଷେଧ ସହ ନୂଆ କାର୍ଯ୍ୟକ୍ରମ କିମ୍ବା ଯୋଜନା ଘୋଷଣାକୁ ନିଷେଧ କରାଯାଇଛି ।