PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦୟାୱେଷ୍ଟ: ବଞ୍ଚିବ ଜୀବନ, ହସିବ ଫସଲ

ଭୁବନେଶ୍ୱର: ଦୟାୱେଷ୍ଟ କେନାଲ ରାଜଧାନୀ ଭୁବନେଶ୍ୱରର ଜୀବନ ଧାରା । ହେଲେ ଏହି ଜୀବନ ଧାରା ଏବେ ହଳାହଳ ବିଷ ପାଲଟିଛି । ନଦୀର ସ୍ୱଚ୍ଛ ଜଳ ପରିବର୍ତ୍ତେ ଏଥିରେ ଏବେ ନର୍ଦ୍ଦମା ଓ ସ୍ୱେରେଜର ପ୍ରବାହ । ଏହି ଘୋର ପ୍ରଦୂଷିତ ପାଣି ରାଜଧାନୀର ବିସ୍ତୃତ ଇଲାକାରେ ସୃଷ୍ଟି କରି ଚାଲିଛି ଅସ୍ୱାସ୍ଥ୍ୟକର ବାତାବରଣ । ଭୂତଳ ଜଳ ଠାରୁ ଆରମ୍ଭ କରି ଜଳ, ସ୍ଥଳ, ପବନ ସବୁ କିଛି ବିଷ ମୟ। ପରିବର୍ତ୍ତିତ ପରିସ୍ଥିତିରେ ଦୟାୱେଷ୍ଟ କେନାଲର ହାଲତ ବଦଳାଇବା ସମୟ ଆସିଛି । କେନାଲରେ ନଦୀର ସ୍ୱଚ୍ଛ ଜଳ ବୁହାଇ ଜନମୁଖରେ ହସ ଫୁଟାଇବା ବେଳ ଆସିଛି । ସରକାର ଓ ଜନସାଧାରଣଙ୍କ ସହଯୋଗରେ ତାଳଦଣ୍ଡା ଭଳି ଏହି କେନାଲ ତାହାର ହୃତଗୌରବ ଫେରି ପାଇବ ବୋଲି ଆଶା ରହିଛି ।

ପ୍ରାୟ ୩୪ କିମି ଦୈର୍ଘ୍ୟ ବିଶିଷ୍ଟ ଦୟା ୱେଷ୍ଟ କେନାଲ । ବାରଙ୍ଗ କାନପୁର ଠାରେ ପୁରୀ ମୁଖ୍ୟ କେନାଲରୁ ଏହା ବାହାରି ଜଟଣୀ ବ୍ରହ୍ମକୁଣ୍ଡଳ ଯାଏ ପ୍ରବାହିତ । ୧୯୭୦ ମସିହାରେ ଖୋଳା ହୋଇଥିଲା । ରାଜଧାନୀ ମଧ୍ୟ ଦେଇ ପ୍ରାୟ ୧୪ କିମି ହେବ ଏହି କେନାଲ ପ୍ରବାହିତ । କେନାଲ ଖୋଳା ହେବା ବେଳେ ରାଜଧାନୀ ଉପକଣ୍ଠରେ ପ୍ରାୟ ୩୫୦୦ ହେକ୍ଟର ଜମିକୁ ଜଳସେଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା । ପରବର୍ତ୍ତୀ ସମୟରେ ଏହି କେନାଲରୁ ୨ଟି ମାଇନର କେନାଲ ବାହାରି ଚାଷ ଜମି ମଧ୍ୟ ଦେଇ ଯାଇଥିଲା । ଦୟାୱେଷ୍ଟରୁ ବାହାରିଥିବା ସରକନ୍ତରା ଓ ରାଣୀବନ୍ଧ କେନାଲ ବିସ୍ତୃତ ଗହିର ବିଲକୁ ଜଳସେଚିତ କରି ଚାଷୀ ମୁହଁରେ ହସ ଫୁଟାଇ ପାରିଥିଲା । କେନାଲର ସ୍ୱଚ୍ଛ ଜଳରେ ଅନେକ ପ୍ରଜାତିର ମାଛ ଓ ଜଳଜୀବ ବସବାସ କରୁଥିଲେ । ଉଭୟ ଅବବାହିକାରେ ଭୂତଳ ଜଳ ଭଣ୍ଡାର ସଦାସର୍ବଦା ପୂରି ରହିଥିଲା । ଫଳରେ ରାଜଧାନୀର ଜଳଉତ୍ସ ଗୁଡ଼ିକ ଖରାଦିନେ ବି ଶୁଖୁ ନଥିଲା । ଲୋକେ ସରକାରୀ ଜଳ ସଂଯୋଗ ଉପରେ ନିର୍ଭର କରୁ ନଥିଲେ ।

ତେବେ ଅବ୍ୟବସ୍ଥିତ ବିକାଶ ଦୟା ୱେଷ୍ଟ କେନାଲକୁ କାଳକ୍ରମେ ଖାଇଗଲାଣି । ସରକାରୀ ଓ ବେସରକାରୀ ମିଶି ପ୍ରାୟ ୭୦୦୦ ହେବ ସ୍ୱେରେଜ ଓ ଡ୍ରେନ୍‌ ଏହି କେନାଲକୁ ଛଡ଼ା ଯାଇଛି । କେନାଲ ଅବବାହିକାରେ ଅବସ୍ଥିତ ପ୍ରାୟ ସମସ୍ତ କଲୋନିରୁ ବର୍ଜ୍ୟଜଳ ନିଷ୍କାସନ ପାଇଁ ବିଏମସି ୪୦ରୁ ଅଧିକ ଡ୍ରେନ୍‌ ସଂଯୋଗ କରିଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ସମସ୍ତ ବିଷାକ୍ତ ବର୍ଜ୍ୟଜଳ ଚକେଇସିଆଣି ଠାରେ ୨ଟି ବିଶାଳ ଡ୍ରେନ୍‌ ଦ୍ୱାରା ନିର୍ଗମନ ହେଉଛି । ଏହାବାଦ୍‌ ଚକେଇସିଆଣି ଠାରୁ କୋଚିଲାପୁଟ ପର୍ଯ୍ୟନ୍ତ କେନାଲ ବନ୍ଧ ଜବରଦଖଲ ହୋଇ ଅନେକ ବସ୍ତି ଗଢ଼ି ଉଠିଛି । ଏହି ବସ୍ତିବାସିନ୍ଦାଙ୍କ ସ୍ୱେରେଜ ଓ ବର୍ଜ୍ୟଜଳ କେନାଲରେ ପଡ଼ୁଛି । ସେହିଭଳି କେନାଲ ବନ୍ଧକୁ ଲାଗି ଗଢ଼ିଉଠିଥିବା ପ୍ରାୟ ୧୦୦୦୦ ହଜାର କୋଠା ଘର ମଧ୍ୟରୁ ୭୦୦୦ରୁ ଅଧିକ ସ୍ୱେରେଜ ସଂଯୋଗ କେନାଲକୁ ହୋଇଛି । ଫଳରେ କେନାଲରେ ଆଲକାତରା ଭଳି ମୋଟା ମଇଳା ଗ୍ରାମାଞ୍ଚଳରେ ଆଡ଼େ ପ୍ରବାହିତ ହେଉଛି । ଖାଲି ସେତିକି ନୁହେଁ କେନାଲର ଏଭଳି ଅବସ୍ଥାକୁ ଆହୁରି କଦାକାର କରି ପକାଉଛି ଅଳିଆ ଆବର୍ଜନା । ବିଏମ୍‌ସିର ଅନେକ ଅଳିଆ ବୁହା ଟ୍ରାକ୍ଟର କେନାଲ ଭିତରେ ଆବର୍ଜନା ଫୋଫାଡ଼ି ଦେଉଛନ୍ତି । ଆଖପାଖରେ ବସବାସ କରୁଥିବା ଲୋକେ ମଧ୍ୟ କେନାଲକୁ ଡଷ୍ଟ ବିନ୍‌ ଭାବେ ଦେଖୁଛନ୍ତି । ଏହିଭଳି ଭାବେ କେନାଲଟି ନର୍କ କୁଣ୍ଡ ପାଲଟି ଯାଇଛି ।

କେନାଲର ବିକାଶ ଲାଗି ୨୦୧୧ ମସିହାରେ ସରକାର ୩୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହି ଅର୍ଥରେ କେନାଲ ବନ୍ଧରେ ରାସ୍ତା ନିର୍ମାଣ କରାଯିବା ନିଷ୍ପତ୍ତି ହୋଇଥିଲଶ । ତେବେ ରାସ୍ତା ବମିଖାଲ ଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ ଆସି ଅଟକି ଯାଇଛି । ବାକି କେନାଲ ବନ୍ଧତମାମ ଜବରଦଖଲ । ସେତକ ହଟୁନାହିଁ କି କାମ ଆଗକୁ ବଢ଼ି ପାରୁନାହିଁ । ନିକଟରେ ସରକାର ପଟିଆ ଠାରୁ ଚକେଇସିଆଣି ପର୍ଯ୍ୟନ୍ତ କେନାଲ ବନ୍ଧକୁ ରାସ୍ତାରେ ପରିଣତ କରିବା ଲାଗି ଯୋଜନା କରିଛନ୍ତି । ଏଥିରେ ପାଖାପାଖି ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । କେନାଲ ଦାୟିତ୍ୱରେ ରହିଛି ଜଳ ସମ୍ପଦ ବିଭାଗ ଅଧୀନ ଭୁବନେଶ୍ୱରର ପ୍ରାଚୀ ଡିଭିଜନ । କେନାଲ ସମ୍ପର୍କରେ ପ୍ରାଚୀ ଡିଭିଜନ କହୁଛି, କେନାଲର ହୃତଗୌରବ ଫେରାଇ ଆଣିବା ଲାଗି ଆମେ ଚିନ୍ତା କରୁଛୁ । କେନାଲ ବନ୍ଧରୁ ଜବରଦଖଲ ହଟାଇବା ଲାଗି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଇଛୁ । ଜବରଦଖଲ ହଟିଲେ କାମ ଆଗକୁ ବଢ଼ିବ ।

କେନାଲ ପୁନରୁଦ୍ଧାର କାମରେ ମନ୍ଥରତା ହେତୁ ଏପଟେ କେନାଲ ଗର୍ଭରେ ମଇଳାର ଆସ୍ତରଣ ବଢ଼ିବାରେ ଲାଗିଛି । ଏହି ବିଷାକ୍ତ ପ୍ରଦୂଷଣ ଜଟଣୀ ରଥିପୁର ପର୍ଯ୍ୟନ୍ତ ଶସ୍ୟକ୍ଷେତ୍ରକୁ ନଷ୍ଟ କରିଦେଲାଣି । ଏପଟେ ଦୟାନଦୀରୁ ବାହାରିଥିବା ରାଣୀବନ୍ଧ ଓ ସରକନ୍ତରା କେନାଲର ଅବସ୍ଥା ବି ଶୋଚନୀୟ । ରାଣୀବନ୍ଧ କେନାଲ ପଟେ ସ୍ୱେରେଜ ଧାର ମାଡ଼ି ଐତିହାସିକ ମହାଭୋଇ ପୁଷ୍କରିଣୀ ପର୍ଯ୍ୟନ୍ତ ନଷ୍ଟ କରିଦେଲାଣି । ଏବରଙ୍ଗ ଅଞ୍ଚଳରେ ପ୍ରବାହିତ ସରକନ୍ତରା କେନାଲକୁ ଜବରଦଖଲକାରୀ ପୋତି ବିକି ସାରିଲେଣି ।

ଏସବୁ ସତ୍ତେ୍ୱ ଦୟାୱେଷ୍ଟ କେନାଲ ପୁନର୍ଜୀବନ ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେ ନାହିଁ । କଟକ ସହରରେ ପ୍ରବାହିତ ମଳମୂତ୍ର ଭରା ଘୋର ପ୍ରଦୂଷିତ ତାଳଦଣ୍ଡା କେନାଲର ଜଳପ୍ରବାହକୁ ସରକାର ବଦଳାଇ ଦେଇଛନ୍ତି । ତାଳଦଣ୍ଡାରେ ସ୍ୱଚ୍ଛ ନଦୀ ଜଳ ପ୍ରବାହିତ ହେଉଛି । ଦୟାୱେଷ୍ଟ ମଧ୍ୟ ତାଳଦଣ୍ଡା କେନାଲ ଭଳି ନୂଆ ଜୀବନ ପାଇବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି ।