ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଜୁଇରୁ ମୃତଦେହ ଉଠାଇ ନେଲା ପୋଲିସ…

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି । ସମ୍ପତ୍ତି ଲୋଭରେ ମୋ ସ୍ବାମୀଙ୍କୁ ତାଙ୍କ ଭାଇମାନେ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସ୍ବାମୀଙ୍କ ଶବଦାହ କରାଯାଉଥିବା ବେଳେ ପୋଲିସକୁ ଫୋନକରି ଘଟଣାସ୍ଥଳକୁ ଡାକିଥିଲେ ସ୍ତ୍ରୀ । ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହକୁ ଜୁଇ ଉପରୁ ଉଠାଇ ନେଇଛି ।

ଏହି ମାମଲାରେ ପୋଲିସ କହିଛି ଯେ ଡାଏଲ ୧୧୨କୁ ଏନେଇ ଏକ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି କହିଥିଲେ କି ପୋଲିସକୁ ନଜଣାଇ ହତ୍ୟାର ଶିକାର ହୋଇଥିବା ଜଣେ ବ୍ୟକ୍ତିକୁ ଅନ୍ତିମ ସଂସ୍କାର କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ପୋଲିସ ତଦେହକୁ ଆଣ୍ଟୋପ୍ସି ପାଇଁ ପଠାଇ ଦେଇଛି । ମୃତକ ଜଣକ ହେଲେ ବିଲାରୀ ନିବାସୀ ମୁନେଶ । ମୁନେଶଙ୍କ ପତ୍ନୀ ପୁନମ ମୁନେଶଙ୍କ ଦୁଇଭାଇ ସୌରଭ ଏବଂ ସୁଶୀଲ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ସଂପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ସମ୍ପତ୍ତିକୁ ନେଇ ତାଙ୍କ ସ୍ବାମୀ ଏବଂ ପରିବାର ମଧ୍ୟରେ ବାରମ୍ଭାର ଝଗଡା ହେଉଥିଲା । ଏଥିପାଇଁ ବାରମ୍ବାର ପୋଲିସର ସହାୟତା ନେବାକୁ ପଡୁଥିଲା । କିନ୍ତୁ ପୋଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା । ଏନେଇ ଏବେ ପୋଲିସ କହିଛି ଯେ ଘଟଣାର ଗମ୍ଭୀରତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।