ଦେବାଶିଷଙ୍କ ଶତକ, ଓଡ଼ିଶାର ବିଶାଳ ସ୍କୋର

ଭୁବନେଶ୍ୱର, ୧୩ା୨ (ବ୍ୟୁରୋ): ଘରୋଇ ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ର ଅନ୍ତିମ ରାଉଣ୍ଡ ମୁକାବିଲାରେ ଓଡ଼ିଶାର ଆଧିପତ୍ୟ ଜାରି ରହିଛି । ଦ୍ୱିତୀୟ ଦିବସରେ ଦେବାଶିଷ ସାମନ୍ତରାୟଙ୍କ ଦ୍ୱିତୀୟ ଶତକ ପରେ ଓଡ଼ିଶା ବୋଲର ଝାଡ଼ଖଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି । ଘରୋଇ ଦଳ ପ୍ରଥମ ଇନିଂସ୍‌ରେ ବିଶାଳ ୪୩୬ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଜବାବରେ ଝାଡ଼ଖଣ୍ଡ ପ୍ରଥମ ଇନିଂସ୍‌ ଆରମ୍ଭ କରି ୨ ୱିକେଟ୍‌ ବିନିମୟରେ ୭୧ରନ୍‌ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କୁମାର ସୁରଜ ୪୨ ଓ ଉତ୍କର୍ଷ ସିଂହ ୧୦ରନ୍‌ କରି ଅପରାଜିତ ଅଛନ୍ତି ।
କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ଓଡ଼ିଶା ଅସମାପ୍ତ ପ୍ରଥମ ଇନିଂସ୍‌ ୪/୨୦୫ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଦେବାଶିଷ (୬୭) ଓ ବିପ୍ଳବ ସାମନ୍ତରାୟ (୧୬) ସତର୍କତାର ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ପ୍ରଥମ ଅଧିବେଶନ ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କ ନାମରେ ରହିଥିଲା । ଏଥିରେ ଉଭୟ ଅସମାପ୍ତ ଅପରାଜିତ ୨୯ରନ୍‌ ଭାଗିଦାରୀରେ ଆଉ ୫୭ରନ୍‌ ଯୋଗ କରିଥିଲେ । ବିପ୍ଳବ ଅର୍ଦ୍ଧଶତକ ହାସଲ କରିଥିଲେ । ପ୍ରଥମ ଅଧିବେଶନ ଶେଷ ସୁଦ୍ଧା ଦଳୀୟ ସ୍କୋର ୪/୨୬୨ରେ ପହଞ୍ଚି ଯାଇଥିଲା ।
ଦ୍ୱିତୀୟ ଅଧିବେଶନରେ ଝାଡ଼ଖଣ୍ଡ ବୋଲର ଆଶିଷ କୁମାର ସେଟ୍‌ ବ୍ୟାଟ୍ସମ୍ୟାନ୍‌ ବିପ୍ଳବଙ୍କୁ ପାଭିଲିୟନ ପଠାଇ ଯୋଡ଼ି ଭାଙ୍ଗିଥିଲେ । ବିପ୍ଳବ ୭୪ ରନ୍‌ କରିଥିବାବେଳେ ସେଥିମଧ୍ୟରେ ୧୦ଟି ଚୌକା ସାମିଲ ଥିଲା । ଏହାପରେ ୱିକେଟ୍‌ କିପର ରାଜେଶ ଧୂପର ଅପରାଜିତ ଦେବାଶିଷଙ୍କ ସହ ମିଶି ସ୍କୋରକୁ ଆଗେଇ ନେଇଥିଲେ । ଦେବାଶିଷ ସିଜନରେ ଦ୍ୱିତୀୟ ଶତକ ପୂରଣ କରିଥିଲେ । ପୂର୍ବରୁ ସେ ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ୧୯୫ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିଲେ । ମଧ୍ୟାହ୍ନଭୋଜନ ବିରତି ସୁଦ୍ଧା ଦଳୀୟ ସ୍କୋର ୫/୩୧୫ରେ ପହଞ୍ଚି ସାରିଥିଲା । ତୃତୀୟ ଅଧିବେଶନରେ ଦଳର ନିୟମିତ ୱିକେଟ୍‌ ପତନ ଘଟିଥିଲା । ଧୂପର ୨୦, ନବାଗତ ଅଙ୍କିତ ଯାଦବ ୧୨ରନ୍‌ କରି ସହଳ ପାଭିଲିୟନ ଫେରିଥିଲେ । ଦେବାଶିଷ ୧୫୦ରନ୍‌ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ । ସେତେବେଳକୁ ଦଳୀୟ ସ୍କୋର ୪୦୦ଅତିକ୍ରମ କରି ସାରିଥିଲା । ଦେବାଶିଷ ୩୪୯ ବଲ୍‌ରୁ ୨୬ଚୌକା ଓ ୧ଛକା ସହାୟତାରେ ୧୫୬ ରନ୍‌ କରିଥିଲେ ।

ଏହାପରେ ଦେବବ୍ରତ ପ୍ରଧାନ ୨୬, ବସନ୍ତ ମହାନ୍ତି ୮ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଅପରାଜିତ ୧୨ରନ୍‌ ଯୋଗ କରିବାକୁ ଦଳୀୟ ସ୍କୋର ୪୩୬ରେ ପହଞ୍ଚି ଯାଇଥିଲା । ଝାଡ଼ଖଣ୍ଡ ପକ୍ଷରୁ ଆଶିଷ କୁମାର ସର୍ବାଧିକ ୬ଟି ୱିକେଟ୍‌ ନେଇଥିଲେ ।
ଜବାବରେ ଝାଡ଼ଖଣ୍ଡ ପ୍ରଥମ ଇନିଂସ୍‌ ଆରମ୍ଭ କରି ମାତ୍ର ୩ରନ୍‌ ମଧ୍ୟରେ ଓପନର ଅର୍ଣ୍ଣବ ସିହ୍ନା (୧)ଙ୍କୁ ହରାଇଥିଲା । ପେସ୍‌ ବୋଲର ବସନ୍ତ ତୃତୀୟ ଓଭରରେ ତାଙ୍କୁ ଆଉଟ୍‌ କରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ ସୁରଜ ଓ ଅନ୍ୟ ଓପନର ଦେଓବ୍ରତ ଦ୍ୱିତୀୟ ୱିକେଟ୍‌ରେ ୫୧ରନ୍‌ ଯୋଗ କରିବା ପରେ ଦେଓବ୍ରତ ବ୍ୟକ୍ତିଗତ ୧୬ରନ୍‌ କରି ସୂର୍ଯ୍ୟକାନ୍ତଙ୍କ ପ୍ରଥମ ଶିକାର ସାଜିଥିଲେ । ଏହାପରେ ସୁରଜ ଓ ଉତ୍କର୍ଷ ଦଳୀୟ ସ୍କୋରକୁ ୨/୭୧ରେ ପହଞ୍ଚାଇଥିଲେ । ଓଡ଼ିଶା ପକ୍ଷରୁ ବସନ୍ତ ଓ ସୂର୍ଯ୍ୟକାନ୍ତ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ବିଶ୍ରାମ

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠିକୁ ଗାଭାସ୍କଙ୍କ ୫୯ ଲକ୍ଷର ସହାୟତା

ଆଜିଠୁ ଡିଡି ସ୍ପୋର୍ଟରେ ଦେଖିପାରିବେ ୨୦ ବର୍ଷ ପୁରୁଣା ସ୍ମରଣୀୟ କ୍ରିକେଟ ମ୍ୟାଚ୍, ଲକ୍ଷ୍ମଣଙ୍କ ୨୮୦ ରନର ଇଂନିସ ଦେଖନ୍ତୁ ଏହି ଦିନ

‘IPL ନହେଲେ ଡିପ୍ରେସନକୁ ଯାଇପାରନ୍ତି ଅନେକ କ୍ରିକେଟର୍ସ’