ଏବେ ମତ୍ସ୍ୟଜୀବୀଙ୍କୁ ସମସ୍ତ ସୂଚନା ଦେବ ‘ମଛ୍‌ଲି ଆପ୍‌’

ପୁରୀ ୨୨।୧୧: ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗ ଓ ରିଲାଏନ୍ସ ଫାଉଣ୍ଡେସନ ସହ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ସହଯୋଗରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ପୁରୀ ପେଣ୍ଠକଟା ଗଙ୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ କର୍ମଶାଳାରେ ‘ମଛଲି ଆପ୍‌’ ଲୋକାର୍ପିତ ହୋଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର କୁମାର ବେହେରା, ସହକାରୀ ମତ୍ସ୍ୟ ଅଧିକାରୀ ବି ନିଗମକୁମାର, ତଟସୁରକ୍ଷା ବାହିନୀର କ୍ୟାପଟେନ ଚନ୍ଦନ କୁମାର ପାଣି, ଏ ଭେଙ୍କଟ ରାଓ, ରିଲାଏନ୍ସ ଫାଉଣ୍ଡେସନ ରାଜ୍ୟ ସଂଯୋଜକ ଦିବ୍ୟକାନ୍ତ ନାୟକ, ଶାନ୍ତନୁ ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି ଆପ୍‌କୁ ବ୍ୟବହାର କରି ସମଗ୍ର ଦେଶରେ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛର ଅବସ୍ଥିତି ସ୍ଥାନ, ସାମୁଦ୍ରିକ ପାଣିପାଗ, ବଜାର ଦର, ମତ୍ସ୍ୟଜୀବୀଙ୍କ ନିମନ୍ତେ ହେଉଥିବା ସରକାରୀ ଯୋଜନା ସମ୍ପର୍କରେ ଜାଣିପାରିବେ ବୋଲି ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏଥିସହ ସମୁଦ୍ର ଓ ସମୁଦ୍ରକୂଳକୁ ସଫା ରଖିବା ସହ ଏହା ଭିତରେ ଅବ୍ୟବହୃତ ଜାଲ, ପଲିଥିନ ପ୍ରଭୃତି ବର୍ଜ୍ୟବସ୍ତୁ ନ ପକାଇବାକୁ ସଚେତନ ବାର୍ତ୍ତା ଦେଇଥିଲେ । ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ । ହି ଅବସରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ଉପକରଣ ଡାଟ୍‌, ଲାଇଫବୟ, ଲାଇଫ ଜ୍ୟାକେଟ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା ।