ଏକକ ପିଜି ପ୍ରବେଶିକା ନେଇ ଝୁଲିଲା ନିଷ୍ପତ୍ତି, ଭିସିଙ୍କ ସହ କଥାହେବା ପରେ ଚୂଡାନ୍ତ ପଦକ୍ଷେପ

ଭୁବନେଶ୍ୱର,୧୯/୪: ଚଳିତ ବର୍ଷରୁ ଏକକ ପିଜି ପ୍ରବେଶିକା ହେବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଥିଲା ହୋମ୍‌ ୱାର୍କ । ହେଲେ କରୋନା ପାଇଁ ଲକ୍‌ ଡାଉନ୍‌ ଏବେ ସବୁ ବିଗାଡି ଦେଇଛି । ଚଳିତ ବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ କିମ୍ବା ନାହିଁ ତାକୁ ନେଇ ଦେଖା ଦେଇଛି ସନ୍ଦେହ । ତେବେ ଚଳିତ ବର୍ଷ ପିଜିରେ ଏକକ ପ୍ରବେଶିକା ହେବ କି ନାହିଁ ତାହା ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।

ସାମ୍ବାଦିକଙ୍କୁ ସୂଚନା ଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ, କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକୁ ଜୁନ୍‌ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟର୍‌ ପରୀକ୍ଷା ଓ ଫାଇନାଲ୍‌ ସେମିଷ୍ଟର୍‌ ପରୀକ୍ଷା ବାତିଲ ରହିଛି । ମାତ୍ର ଜୁନ୍‌ ୧୭ରେ ଛୁଟି ଖୋଲିବା ପରେ ଯେ କୌଣସି ସମୟରେ ଛାତ୍ରଛାତ୍ରୀଙ୍କର ବାକି ଥିବା ପରୀକ୍ଷା ହେବ ବୋଲି ମନ୍ତ୍ରୀ ଡ. ସାହୁ ଏକ ସମୀକ୍ଷା ବୈଠକ ପରେ କହିଛନ୍ତି । ସେହିପରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଲକ୍‌ ଡାଉନ୍‌ ଛୁଟି ସମୟରେ ଛାତ୍ରଛାତ୍ରୀ ଘରେ ରୁହନ୍ତୁ । ମାତ୍ର ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଯେ କୌଣସି ସମୟରେ ପରୀକ୍ଷା କରାଯିବାକୁ ଯୋଜନା ଥିବାରୁ ଛାତ୍ରଛାତ୍ରୀ ଏଥି ପାଇଁ ପ୍ରସ୍ତୁତ ରହିବା ଜରୁରୀ । ସେମାନେ ପାଠପଢ଼ାରେ ଧ୍ୟାନ ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ଅପରପକ୍ଷେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ୭ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି କରିଛି । ଏହି କମିଟି ନୂଆ ଏକାଡେମିକ୍‌ କ୍ୟାଲେଣ୍ଡର୍‌ ପ୍ରସ୍ତୁତ କରିବା ସହିତ ପରୀକ୍ଷା ପରିଚାଳନା ଓ ଛୁଟି ବାବଦରେ ୟୁଜିସି କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛି । ହରିଆଣାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆର୍‌ ସି କୁହାଡଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଗତ ୧୩ ତାରିଖରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ପ୍ରଦାନ କରିଥିଲା । ତେବେ ଏହି କମିଟି ରିପୋର୍ଟ ବାବଦରେ ବିସ୍ତୃତ ଭାବେ ଜାଣିବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନ୍ୟ ନିଷ୍ପତ୍ତି ନେବ ବୋଲି ବିଭାଗୀୟ ମନ୍ତ୍ରୀ ଡ. ସାହୁ କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗକୁ ଆଂଶିକ ବା ପାର୍ସିଆଲି କ୍ରିଟିକାଲ୍‌ ବିଭାଗ ଭାବେ ଘୋଷଣା କରିଛନ୍ତି । ତେଣୁ ଗ୍ରୁପ୍‌ ‘ଏ’ର ସମସ୍ତ ଅଧିକାରୀ ଆସିବେ । ମାତ୍ର ଗ୍ରୁପ୍‌ ‘ସି’ଓ ‘ଡି’ର ହାତଗଣତି କିଛି କର୍ମଚାରୀ ଆସିବେ । ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପରେ ଯେ କୌଣସି ସମୟରେ ପରୀକ୍ଷା ହେବ ବୋଲି ଡ. ସାହୁ କହିଛନ୍ତି ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା