ଉତ୍କଳ ବିଶ୍ୱବିଦ୍ୟାଳୟର ବିଚିତ୍ର ନିଷ୍ପତ୍ତି: ପାଠପଢ଼ା ଅଧାରୁ ପରୀକ୍ଷା

କଟକ,୨୧ା୪(ବ୍ୟୁରୋ): ନିର୍ବାଚନ ପାଇଁ ତାଲିମ ଓ ବିଭିନ୍ନ ପରୀକ୍ଷାକୁ ନେଇ ଦ୍ୱିତୀୟ ବର୍ଷର ସ୍ନାତକ ପାଠପଢ଼ା ଅଧାରେ ବନ୍ଦ ରହିଥିବା ବେଳେ ଏବେ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଛାତ୍ରଛାତ୍ରୀ । ତୃତୀୟ ସେମିଷ୍ଟାର ପରୀକ୍ଷାର ଇଣ୍ଟରନାଲ୍‌ ପେପର୍‌ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଏବେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ହେବାକୁ ନେଇ ଛାତ୍ରଛାତ୍ରୀମାନେ ଦୃଢ଼ ବିରୋଧ କରିଛନ୍ତି । ଖରା ଛୁଟିରେ ପରୀକ୍ଷା ପରିଚାଳନା ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ଆଉ ଗୋଟିଏ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାୟର କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହୋଇଛି । ଏନେଇ ରାଜ୍ୟପାଳ, ବିଭାଗୀୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ସ୍ନାତକ କଲେଜଗୁଡ଼ିକରେ ସ୍ନାତକ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଆସନ୍ତା ମାସ ୪ ତାରିଖରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଜାନୁଆରୀରେ ସ୍ନାତକ ଦ୍ୱିତୀୟ ବର୍ଷର ତୃତୀୟ ସେମିଷ୍ଟାର ଓ ଫେବ୍ରୁଆରୀରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ଏହାପରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ଓ ସ୍ନାତକ ଷଷ୍ଠ ସେମିଷ୍ଟାର ପରୀକ୍ଷା ହୋଇଥିଲା । ମାର୍ଚ୍ଚରେ ଯୁକ୍ତ ଦୁଇ ଓ ସ୍ନାତକ ପଞ୍ଚମ ସେମିଷ୍ଟାର ଖାତା ଦେଖା ଆରମ୍ଭ ହୋଇଥିଲା । ଏହିସବୁ କାମ ଭିତରେ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଥିବାରୁ ସେମାନେ ପରୀକ୍ଷା ପରିଚାଳନାରେ ୩ ମାସ ବ୍ୟସ୍ତ ରହିଥିଲେ । ସ୍ନାତକ ଦ୍ୱିତୀୟ ବର୍ଷର କ୍ଲାସ କରିବାକୁ ଆଉ ସମୟ ମିଳିନଥିଲା । ଫଳରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅଧାରେ ଅଟକି ରହିଥିଲା । ଏହାରି ଭିତରେ ପୁଣି ଅଧ୍ୟାପକମାନଙ୍କୁ ସାଧାରଣ ନିର୍ବାଚନରେ ନିୟୋଜିତ କରାଯାଇଛି । ଏଭଳି ଭାବେ ଅଧ୍ୟାପକମାନଙ୍କୁ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ବ୍ୟସ୍ତ ରଖାଯାଇଥିବା ବେଳେ ସ୍ନାତକ ପିଲାଙ୍କର କ୍ଲାସ କରିବାକୁ ଆଉ ସମୟ ଦିଆଯାଇନାହିଁ । ଏବେ ମଧ୍ୟ ଯୁକ୍ତ ଦୁଇ ଖାତା ଦେଖା ଚାଲୁରହିଥିବା ବେଳେ ନିର୍ବାଚନର ବିଭିନ୍ନ ପର୍ଯ୍ୟାୟ ମତଦାନରେ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି । ତେବେ ଏପରି ଭାବେ ବିଭିନ୍ନ ପରୀକ୍ଷା କାର୍ଯ୍ୟରେ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଥିବାରୁ ସ୍ନାତକ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପାଠପଢ଼ା ଅଧାରେ ରହିଯାଇଛି । କ୍ଲାସ ସଂପୂର୍ଣ୍ଣ କରିବାକୁ ସମୟ ମିଳିନାହିଁ

ଏପଟେ ଏହି ମାସ ୭ ତାରିଖରୁ ଖରା ଛୁଟି ଆରମ୍ଭ ହୋଇଯାଇଥିବାରୁ ସ୍ନାତକ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅଧାରେ ରହିଯାଇଛି । ଗୋଟିଏ ପଟେ ପାଠପଢ଼ା ଶେଷ ହୋଇନଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମେ’ ୪ତାରିଖରେ ପରୀକ୍ଷା କରିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । କାରଣ ଗୋଟିଏ ସେମିଷ୍ଟାର ପାଠପଢ଼ା ପାଇଁ ପାଖାପାଖି ୫ ମାସରୁ ୬ ମାସ ସମୟ ଲାଗିଥାଏ । ତେବେ ତୃତୀୟ ସେମିଷ୍ଟାର ପରୀକ୍ଷା ଶେଷ ହେବାର ୩ ମାସ ନପୂରୁଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଉ ଏକ ସେମିଷ୍ଟାର ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବାରୁ ପିଲାଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି ବହୁ ଶିକ୍ଷାବିତ୍‌ ମତ ପ୍ରକାଶ କରିଛନ୍ତି । ନିର୍ଦ୍ଧାରିତ ପରୀକ୍ଷା ତାରିଖକୁ ପରିବର୍ତ୍ତନ ନହେଲେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ