ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ

ମୁମ୍ବାଇ,୨୩ା୩(ଏଜେନ୍ସି): ଚଳିତ ଆଇପିଏଲ୍‌-୧୨ରେ ୩ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବାକୁ ଯାଉଛି । ଇତି ମଧ୍ୟରେ ଉଭୟ ଦଳ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳରେ ପ୍ରତିଭାବାନ୍‌ ଖେଳାଳି ରହିଛନ୍ତି । ତେଣୁ ଏହି ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର । ଅବଶ୍ୟ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିକାଂଶ ଖେଳାଳି ଦୀର୍ଘ ଦିନ ହେଲା ଏକତ୍ର ଖେଳୁଛନ୍ତି । ଅନ୍ୟ ପଟରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଦକ୍ଷ ଖେଳାଳିଙ୍କ ଅଭାବ ନଥିଲେ ହେଁ ଏକ ସନ୍ତୁଳିତ ଦଳ ଗଠନ କରିବା ପାଇଁ ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କୁ ଯଥେଷ୍ଟ ସମୟ ଲାଗିବ ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସର୍ବଦା ଧିମା ଆରମ୍ଭ କରିଥାଏ ହେଲେ ଶେଷରେ ସମସ୍ତଙ୍କୁ ଚକିତ କରି ଟାଇଟଲ ଦୌଡରେ ପହଞ୍ଚି ଯାଏ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ୩ଥର ଚାମ୍ପିଅନ୍‌ ହୋଇସାରିଛି । କେବଳ ସେତିକି ନୁହେଁ ଚାମ୍ପିଅନ୍ସ ଲିଗ୍‌ରେ ମୁମ୍ବାଇ ଥରେ ଟାଇଟଲ ଜିତି ସାରିଛି । ଗତ ସିଜିନ୍‌ରେ ମୁମ୍ବାଇ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।

ଗତ ସିଜିନ୍‌ରେ ଦଳର ଦଳର ଷ୍ଟାର୍‌ ଖେଳାଳିମାନେ ବିଫଳ ହୋଇଥିଲେ । ବୋଲରମାନଙ୍କ ପ୍ରଦର୍ଶନ ଭଲ ରହିଥିଲା । ମୁମ୍ବାଇ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଗୁଡ଼ିକରେ ଝୁଣ୍ଟି ଥିଲା । ଦଳର ବ୍ୟାଟିଂ ବିଭାଗ ସର୍ବଦା ଶକ୍ତିଶାଳୀ ରହିଆସିଛି । ଏଥର ବ୍ୟାଟିଂ ବିଭାଗ ଅଧିକ ସନ୍ତୁଳିତ ହୋଇଛି । ଦକ୍ଷିଣ ଆଫ୍ରିକାର ୱିକେଟ୍‌ କିପର କ୍ୱିଣ୍ଟନ ଡି କକ୍‌ ଏଥର ମୁମ୍ବାଇ ଦଳରେ ରହିଥିବାରୁ ଓପନିଂ ଚିନ୍ତା ଦୂର ହୋଇଯାଇଛି । ଏହା ବ୍ୟତୀତ ଯୁବରାଜ ସିଂହଙ୍କ ଭଳି ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ମମ୍ବାଇ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ୨ନୂଆ ଖେଳାଳିଙ୍କ ବ୍ୟତୀତ ଦଳରେ ଏଭିନ ଲୁଇସ୍‌, ସୂର୍ଯ୍ୟ କୁମାର ଯାଦବ, କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଷନଙ୍କ ଭଳି ଖେଳାଳି ରହିଛନ୍ତି ।

ଦଳର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଅବଶ୍ୟ ପ୍ରାରମ୍ଭରୁ ଦଳ ଅସୁବିଧାର ସମ୍ମୁଖୀନ ହେବ । ଅଭିଜ୍ଞ ଲସିଥ ମାଲିଙ୍ଗା ପ୍ରଥମ ୬ଟି ମ୍ୟାଚ୍‌ ଖେଳିପାରିବେ ନାହିଁ । ସେହିପରି ପେସ୍‌ ବୋଲର ଆଡାମ ମିଲ୍‌ନେ ଆହତ ହୋଇ ଓହରି ଯାଇଛନ୍ତି । ଏମାନଙ୍କ ବ୍ୟତୀତ ଜଶପ୍ରୀତ ବୁମରା, ମିଚେଲ ମ୍ୟାକ୍‌କ୍ଲେହ୍ନାନ, ଜାସନ ବେହରନଡ୍ରଫ୍‌, କୃନାଲ୍‌ ପାଣ୍ଡ୍ୟା, ମୟଙ୍କ ମାର୍କଣ୍ଡେଙ୍କ, ରାହୁଲ ଚହର, ବେନ୍‌ କଟିଂଙ୍କ ଭଳି ବୋଲର ରହିଛନ୍ତି ।
ସମ୍ଭାବ୍ୟ ଏକାଦଶ: ରାହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ସୂର୍ଯ୍ୟ କୁମାର ଯାଦବ, ଯୁବରାଜ ସିଂହ/ଇଶାନ କିଷନ, କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍‌ ପାଣ୍ଡ୍ୟା, ମିଚେଲ ମ୍ୟାକ୍‌କ୍ଲେହ୍ନାନ/ଜାସନ ବେହରନଡ୍ରଫ, ମୟଙ୍କ ମାର୍କଣ୍ଡେ, ଜଶପ୍ରୀତ ବୁମରା, ବରିନ୍ଦର ସ୍ରାନ୍‌ ।

ଦିଲ୍ଲୀ କ୍ୟାପିଟାଲ୍ସ: ଏଥର ଦିଲ୍ଲୀ ଦଳ ନୂଆ ରୂପରେ ଆଇପିଏଲ୍‌କୁ ଓହ୍ଲାଇବ । ପ୍ରଥମ ୧୧ ବର୍ଷ ଦିଲ୍ଲୀ ଡେୟାର ଡେଭିଲ୍ସ ନାମରେ ଖେଳିଥିବା ଦଳ ନୂଆ ସିଜିନ୍‌ରେ ନୂଆ ନାମରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି । ସର୍ବଦା ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ କିଣିବାରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ର ସ୍ୱତନ୍ତ୍ର ପରିଚୟ ରହିଛି । ତଥାପି ଦଳ ଏପର୍ଯ୍ୟନ୍ତ ଚାମ୍ପିଅନ ହୋଇପାରି ନାହିଁ । ଗତ ସିଜିନ୍‌ରେ ଦଳ ୧୪ଟି ମ୍ୟାଚ୍‌ ଖେଳି ୫ଟି ମ୍ୟାଚ୍‌ ଜିତିଥିଲା । ହେଲେ କିଛି ଖେଳାଳି ଅବିଶ୍ୱସନୀୟ ପ୍ରଦର୍ଶନ ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ସେମାନଙ୍କ ମଧ୍ୟରେ ରିଶବ ପନ୍ତ, ପୃଥ୍ୱୀ ଶ’, ଶ୍ରେୟାସ ଆୟର ଅନ୍ୟତମ ।
ଏଥର ମଧ୍ୟ ବେଶ୍‌ ଶକ୍ତିଶାଳୀ । ପନ୍ତ, ଶ’ ଓ ଆୟରଙ୍କ ଭଳି ପ୍ରତିଭାବାନ୍‌ ଯୁବ ତାରକା ଦଳର ଭାଗ୍ୟ ନିର୍ଦ୍ଧାରଣ କରିବା ନିଶ୍ଚିତ । ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ ଦଳକୁ ଫେରିଥିବାବେଳେ କଲିନ୍‌ ଇନ୍‌ଗ୍ରାମ୍‌ ଓ କଲିନ୍‌ ମନ୍‌ରୋ ଦଳରେ ରହିଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଦଳରେ ଈଶାନ୍ତ ଶର୍ମା, କାଗିସୋ ରାବାଡା, ଟ୍ରେଣ୍ଟ ବାଉଲ୍ଟ, କିମୋ ପଲ୍‌ଙ୍କ ଭଳି ପେସ୍‌ ବୋଲର ରହିଛନ୍ତି । ସ୍ପିନ ବିଭାଗ ସାମାନ୍ୟ ଦୁର୍ବଳ । ହେଲେ ଦଳ ମୋଟ୍‌ ଉପରେ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରିବ ।
ସମ୍ଭାବ୍ୟ ଏକାଦଶ: କଲିନ ମନ୍‌ରୋ, ପୃଥ୍ୱୀ ଶ’, ଶିଖର ଧାୱନ, ଶ୍ରେୟାସ ଆୟର(ଅଧିନାୟକ), କଲିନ୍‌ ଇନ୍‌ଗ୍ରାମ୍‌, ରିଶବ ପନ୍ତ, ଅକ୍ଷର ପଟେଲ, ସନ୍ଦିପ ଲାମିଚେନ, କାଗିସୋ ରାବାଡା/ଟ୍ରେଣ୍ଟ ବାଉଲ୍ଟ, ଅଭେଶ ଖାନ୍‌, ଈଶାନ୍ତ ଶର୍ମା ।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା