ପୁଣି ୧୪ ଦିନ ବଢିଲା ଚିଦାମ୍ବରମଙ୍କ ହାଜତ ମିଆଦ,କୋର୍ଟଙ୍କ ନିକଟରେ ଦୁଃଖ କରି କହିଲେ-ପୂର୍ବରୁ ବସିବାକୁ ଚୌକି ଥିଲା,କିନ୍ତୁ ଏବେ…

ନୂଆଦିଲ୍ଲୀ,୧୯।୯: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆଜି ଲାଗିଛି ବଡ ଝଟକା। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ କୋର୍ଟ ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆହୁରି ୧୪ ଦିନ ପାଇଁ ବଢାଇ ଦେଇଛନ୍ତି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ଅକ୍ଟୋବର ୩ ତାରିଖ ଯାଏ ବଢ଼ାଇ ଦେଇଛନ୍ତି।  ସିବିଆଇ ରିମାଣ୍ଡରେ ନେବା ପରେ  ଗତ  ୫ ତାରିଖରୁ ଦିଲ୍ଲୀର ତିହାର ଜେଲରେ ଅଛନ୍ତି ଚିଦାମ୍ୱରମ୍।

ଆଜି ଚିଦାମ୍ବରମଙ୍କ ପ୍ରଥମ ବିଚାର ବିଭାଗୀୟ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରିଥିଲା ସିବିଆଇ। କୋର୍ଟରେ ଚିଦାମ୍ବରମଙ୍କୁ ହାଜର କରି ପୁଣି ଥରେ ସିବିଆଇ  ତାଙ୍କର ହାଜତ ଅବିଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲା। ଚିଦାମ୍ୱରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଙ୍ଘଭି ତାଙ୍କର ପକ୍ଷ ରଖିଥିଲେ।  ହାଜତ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରିଥିଲେ। ସିବିଆଇ ଯେଉଁ ଆଧାରରେ ହାଜତ ଅବଧି ବୃଦ୍ଧି ପାଇଁ ଆବେଦନ କରୁଛି ତାହା ଠିକ୍ ନୁହେଁ ବୋଲି ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି କହିଥିଲେ।

ମାମଲାର ଶୁଣାଣି ସମୟରେ ଚିଦାମ୍ୱରମଙ୍କ ଅନ୍ୟତମ   ଓକିଲ କପିଲ ସିବଲ କହିଛନ୍ତି ୭୩ ବର୍ଷୀୟ ଚିଦାମ୍ୱରମ ଅନେକ ରୋଗରେ ପୀଡ଼ିତ। ଜେଲରେ ରହିବା ପରେ ତାଙ୍କ ଓଜନ କମିବାରେ ଲାଗିଛି। ଚିଦାମ୍ୱରମଙ୍କ ପେଟରେ ଯନ୍ତ୍ରଣା ରହିବା ସାଙ୍ଗକୁ ପିଠିରେ ଯନ୍ତ୍ରଣା ରହିଛି । ସେ ବେଡ୍ ଉପରେ ବସିପାରୁ ନାହାନ୍ତି। ବସିବା ପାଇଁ ଚେୟାର ମଧ୍ୟ ନାହିଁ, କେବଳ ସେତିକି ନୁହେଁ ଜେଲ କୋଠରୀରେ ଥିବା ବିଛଣାରୁ ତକିଆ କାଢ଼ି ନିଆଯାଇଛି ଓ ବସିବା ପାଇଁ ଚେୟାର ମଧ୍ୟ ନାହିଁ ବୋଲି ସିବଲ କହିଥିଲେ। ଚିଦାମ୍ବରମ ମଧ୍ୟ କୋର୍ଟରେ କହିଥିଲେ, ୩ ଦିନ ପୂର୍ବେ ହଲରେ ୩ଟି ଚୌକି ଥିଲା, ଦିନରେ ସେଠାରେ ବସୁଥିଲି, କିନ୍ତୁ ମୋ କାରଣରୁ ସେଠାରୁ ଚୌକି ହଟାଇ ନିଆଗଲା। ଏବେ ଓ୍ବାର୍ଡେନ  ପାଖରେ ମଧ୍ୟ ବସିବାକୁ ଚୌକି ନାହିଁ।

ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେତା ଚିଦାମ୍ବରମଙ୍କ ହାଜତ ଅବଧିକୁ ବଢାଇବାକୁ ଦାବି କରିଥିଲେ। ସେ କହିଥିଲେ ଚିଦାମ୍ବରମଙ୍କୁ ଯେଉଁ ଦିନ ପ୍ରଥମ ଥର ପାଇଁ ଜେଲ ପଠାଇଥିଲା, ସେତେବେଳେ ପରିସ୍ଥିତିରେ କୌଣସି ପରିବର୍ତ୍ତନ କରାଯାଇନଥିଲା।  ସିବଲ କହିଥିଲେ, ତିହାର ଜେଲରେ ରହିବା ସମୟରେ ଚିଦାମ୍ବରମଙ୍କ ଉଚିତ ସମୟରେ ମେଡିକାଲ ଯାଞ୍ଚ ଓ ପର୍ଯ୍ୟାପ୍ତ ମରିମାଣରେ ଖାଦ୍ୟ ଦିଆଯାଉ। ଏ​ବେ ସେ ଅସୁସ୍ଥ ଅଛନ୍ତି, ତେଣୁ ତାଙ୍କର ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ଉଲ୍ଲେଖନୀୟ ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମଙ୍କ ବିରୋଧରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ତଦନ୍ତ କରୁଛନ୍ତି। ୨୦୦୭ରେ ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେ     ଳେ ସେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ ବୋଲି ଅଭିଯୋଗ ରହିଛି।ଆଇଏନଏକ୍ସ ମିଡିଆରେ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ଜରିଆରେ ୩୦୭ କୋଟି ଟଙ୍କା ଚିଦାମ୍ୱରମ ଲାଭ ପାଇଥିଲେ ବୋଲି ଅଭିଯୋଗ ରହିଛି।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ