ସ୍ୱାଭାବିକ ହେଉଛି ଦିଲ୍ଲୀ: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି, ୬୩୦ ଗିରଫ

ନୂଆଦିଲ୍ଲୀ ୨୯/୨: ହିଂସା ଉପଦ୍ରୁତ ଉତ୍ତର-ପୂର୍ବ ଦିଲ୍ଲୀ କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରିଆସୁଛି । ପୁଲିସର ଲଗାତର ଫ୍ଲାଗ ମାର୍ଚ୍ଚିଂ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଅତିରିକ୍ତ ପୁଲିସ ମୁତୟନ କରିବା ଫଳରେ ଶୁକ୍ରବାର ଆଉ କୌଣସି ସ୍ଥାନରେ ହିଂସାକାଣ୍ଡ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ତେବେ ଆହତଙ୍କ ମଧ୍ୟରୁ ଶୁକ୍ରବାର ହସ୍ପିଟାଲରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ହିଂସାଜନୀତ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛି । ୩୦୦ରୁ ଊଦ୍ଧ୍ୱର୍ ଲୋକ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି । ଇତିମଧ୍ୟରେ ବରିଷ୍ଠ ପୁଲିସ ଅଧିକାରୀ ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂତନ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି ।

ହିଂସା ଯୋଗୁ ଅଣାୟତ୍ତ ହୋଇଯାଇଥିବା ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା, ମୌଜପୁର,କରୱାଲ ନଗର, ଜାଫରାବାଦ, କରଦାମପୁରୀ, ଗୋକୁଲପୁରୀ, ଖଜୁରୀ ଏବଂ ଚାନ୍ଦବାଗ ଆଦି ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହୋଇଛି । କିଛିଦିନ ହେବ ବନ୍ଦ ପଡ଼ି ରହିଥିବା ଦୋକାନ ବଜାର ଖୋଲିବା ସହ ରାସ୍ତାରେ ଗାଡ଼ିମଟର ଦେଖିବାକୁ ମିଳିଛି । ଶୁକ୍ରବାର କୌଣସି ବି ସ୍ଥାନରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇନାହିଁ । ବୋର୍ଡ ପରୀକ୍ଷାର୍ଥୀଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇଦେବା ସହ ସୁରୁଖୁରୁରେ ପରୀକ୍ଷା ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଏଏକୁ ନେଇ ଉପୁଜିଥିବା ହିଂସାରେ ରାଷ୍ଟ୍ରବିରୋଧୀ ଶକ୍ତିମାନଙ୍କର ହାତ ଥିବା ସନ୍ଦେହ କରି ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କୋର୍ଟ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ଭଳି କେତେକ ନେତା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି । ଏ ସଂକ୍ରାନ୍ତରେ ଆଗତ ଆବେଦନ ଉପରେ ହାଇକୋର୍ଟ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୩୦ରେ ହେବ।

ବର୍ତ୍ତମାନର ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୯ ତାରିଖରେ ଶେଷ ହେବାକୁ ଥିବା ବେଳେ ତାଙ୍କ ସ୍ଥାନରେ ଏସ୍‌ଏନ୍‌ ଶ୍ରୀବାସ୍ତବଙ୍କୁ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆସନ୍ତାକାଲି (ଶନିବାର) ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସିଏଏକୁ ନେଇ ଦିଲ୍ଲୀସ୍ଥିତି ଅଣାୟତ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ କମିଶନର ନିଯୁକ୍ତି ଦେଇଥିଲେ । ଶ୍ରୀବାସ୍ତବ ୧୯୮୫ ବ୍ୟାଚ ଗୋଆ-ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ଅଧିକାରୀ । ସେ ୨୦୨୧ ଜୁନ ୩୦ ଯାଏଁ ଦିଲ୍ଲୀ ପୁଲିସ କମିଶନର ଭାବେ ଦାୟିତ୍ୱ ତୁଲାଇବେ । ସେ ବର୍ତ୍ତମାନ ଦିଲ୍ଲୀ ପୁଲିସର ଆତଙ୍କବାଦ ନିରୋଧୀ ସେଲର ବିଶେଷ ଅଧିକାରୀ ଭାବେ କାମ କରୁଛନ୍ତି । ଏହା ପୂର୍ବରୁ ସେ ସିଆରପିଏଫର ପୂର୍ବାଞ୍ଚଳ ଜୋନର ଏଡିଜି ଥିଲେ । କମିଶନର ଭାବେ ଶ୍ରୀବାସ୍ତବଙ୍କ ନାଁ ଘୋଷଣା କରାଯିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, ଲୋକଙ୍କୁ ସୁରକ୍ଷା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ ରହିବ । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା । କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଫେବ୍ରୁଆରୀ ୨୯ ତାରିଖ ଯାଏଁ ବଢ଼ାଇ ଦେଇଥିଲେ ।

ହିଂସାକୁ ନେଇ ରାଜନୀତି ସରଗରମ ହୋଇଛି । ଶୁକ୍ରବାର କଂଗ୍ରେସର ୫ ଜଣିଆ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଗୁରୁବାର କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । କେନ୍ଦ୍ର ସରକାର ନିଜ ରାଜଧର୍ମ ପାଳନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଥିଲା । ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ନେଇ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । କହିଛନ୍ତି, କଂଗ୍ରେସ ଆମକୁ ରାଜଧର୍ମ ପାଳନ ସମ୍ପର୍କରେ ଭାଷଣ ଦେବା ପୂର୍ବରୁ ରାଜଧର୍ମ ଦର୍ପଣରେ ନିଜ ଚେହେରା ଦେଖିବା ଆବଶ୍ୟକ । ସେପଟେ ଏନ୍‌ସିପି, ସିପିଆଇ, ଆର୍‌ଜେଡି, ଏଲ୍‌ଜେଡି, ଡିଏମ୍‌କେ ଏବଂ ଆପ୍‌ ପ୍ରମୁଖ ବିରୋଧୀ ଦଳ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରପତିଙ୍କୁ ଅପିଲ କରିଛନ୍ତି । ଦିଲ୍ଲୀ ପୁଲିସ ବର୍ତ୍ତମାନ ସୁଦ୍ଧା ହିଂସା ଘଟଣାରେ ୧୨୩ଟି ମାମଲା ରୁଜୁ କରିଥିବା ବେଳେ ୬୩୦ ଜଣଙ୍କୁ ଗିରଫ କରିଛି ।

   ସମ୍ବନ୍ଧିତ ଖବର


ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ