ଦିଲ୍ଲୀ ହିଂସାକାଣ୍ଡ : ସନ୍ଦେହ ଘେରରେ ଫ୍ୟାକ୍ଟ୍ରି, ଗଙ୍ଗାଜଳ ଲେଖା ହୋଇଥିବା ଗ୍ୟାଲନରେ ପଠାଯାଇଥିଲା ଏସିଡ୍

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ହିଂସାକାଣ୍ଡ ଥମିବାର ପ୍ରାୟ ୧ ସପ୍ତାହ ହୋଇଛି। ହିଂସାକାଣ୍ଡ ମାମଲାର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି। ତଦନ୍ତ ବେଳେ ଏକ କେମିକାଲ ଫ୍ୟାକ୍ଟ୍ରିକୁ ସନ୍ଦେହର ପରିସରକୁ ଅଣାଯାଇଛି। ଏହି ଫ୍ୟାକ୍ଟ୍ରି ଶିବ ବିହାର ଅଞ୍ଚଳରେ ରହିଛି। ଏହା ହେଉଛି ସେହି ଅଞ୍ଚଳ, ଯେଉଁଠି ସବୁଠାରୁ ଅଧିକ ହିଂସା ହୋଇଥିଲା। ଅଞ୍ଚଳର ଲୋକଙ୍କର ଅଭିଯୋଗ ରହିଛି ଯେ, ଯେତେବେଳେ ହିଂସା ହୋଇଥିଲା ସେତେବେଳେ ଫ୍ୟାକ୍ଟ୍ରି ଭିତରେ ଗ୍ୟାଲନ୍ ଭର୍ତ୍ତି ଏସିଡ୍ ଓ କେମିକାଲ ବାହାରକୁ ପଠାଯାଇଥିଲା। ଏବେ ପୋଲିସ ମାମଲାର ଯାଞ୍ଚ କରୁଛି।

ଲୋକଙ୍କର ଅଭିଯୋଗ ଅନୁସାରେ, ଫ୍ୟାକ୍ଟ୍ରି ଭିତରୁ ଗ୍ୟାଲେନରେ ଭର୍ତ୍ତି କରି ଏସିଡ୍ ରଖାଯାଇଥିଲା। ଯାହା ଉପରେ ଗଙ୍ଗାଜଳ ଲେଖା ହୋଇଥିଲା। ଫ୍ୟାକ୍ଟ୍ରି ବାହାରେ ଦିଲ୍ଲୀ ପୋଲିସର ଜଣେ ଇନ୍ସପେକ୍ଟରଙ୍କ ବୋର୍ଡ ମଧ୍ୟ ଲଗାଯାଇଥିଲା,ଯାହାକି ଏବେ ଭାଙ୍ଗି ଯାଇଛି। ଫ୍ୟାକ୍ଟ୍ରି ମାଲିକଙ୍କର ନାଁ ହେଉଛି ଫିରୋଜ୍ ଖାନ୍। ଅଭିଯୋଗ ହେଉଛି ଯେ, ଫ୍ୟାକ୍ଟ୍ରି ଭିତରେ ପ୍ରଚୁର ପରିମାଣରେ ଏସିଡ୍ ଓ କେମିକାଲ ରହିଛି। ଏହି ଏସିଡର ବ୍ୟବହାର ଦଙ୍ଗା ସମୟରେ କରାଯାଇଥିଲା।

ଦିଲ୍ଲୀର ନର୍ଥ-ଇଷ୍ଟ ଅଞ୍ଚଳରେ ହିଂସାକାଣ୍ଡ ଆରମ୍ଭ ଶିବ ବିହାରରୁ ହୋଇଥିଲା।ଏହି ଫ୍ୟାକ୍ଟ୍ରି ବାହାରେ ୨୪ ଫେବୃଆରୀ ରାତିରେ ହଙ୍ଗାମା ମଧ୍ୟ ହୋଇଥିଲା ଓ ଫ୍ୟାକ୍ଟ୍ରି ବାହାରେ ଥିବା ଟ୍ରକରେ ନିଆଁ ଲାଗିଯାଇଥିଲା। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ, ଫ୍ୟାକ୍ଟ୍ରିରେ କେମିକାଲ ଓ ଏସିଡ୍ କିଏ ରଖିଥିଲା। ହିଂସାକାଣ୍ଡ ବେଳେ ଏସିଡ୍ ଓ କେମିକାଲ ଗ୍ୟାଲନରେ ଭର୍ତ୍ତି କରି ବାହାରକୁ ପଠାଯାଇଥିଲା।

ଦିଲ୍ଲୀ ହିଂସା ବେଳେ ଉପଦ୍ରବକାରୀ ପୋଲିସ ସହିତ ଅର୍ଦ୍ଧାସାମରିକ ବଳ ଉପରକୁ ଟେକା ପଥର ମାଡ କରିଥିଲେ। ଏହାଛଡା କରାଓ୍ବଲ ନଗର ଶିଭପୁଲି ପାଖରେ ଉପଦ୍ରବକାରୀମାନେ ଅର୍ଦ୍ଧସାମରୀକ ବଳର ଯଓ୍ବାନଙ୍କ ଉପରକୁ ଏସିଡ୍ ମାଡ କରିଥିଲେ। ତୁରନ୍ତ ଯବାନଙ୍କୁ ଜିଟିବି ହସ୍ପିଟାଲ ପଠାଯାଇଥିଲା।

ହିଂସାରେ ମୃତ ଇଣ୍ଟେଲିଜେନ୍ସି ଅଫିସର ଅଙ୍କିତ ଶର୍ମାଙ୍କ ପରିବାର ଲୋକ କାଉନସିଲର ତାହିର ହୁସେନଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ। ତାହିରଙ୍କ ଉପରେ ଏହି ଅଭିଯୋଗ ରହିଛି ଯେ, ସେ ୨୫ ଫେବୃଆରେ ତାଙ୍କର ଚାନ୍ଦବାଗ୍ ସ୍ଥିତ ଘରୁ ଉପଦ୍ରବୀମାନେ ଲୋକଙ୍କ ଉପରକୁ ଟେକା ପଥର ମାଡ କରିଥିଲେ ଓ ପେଟ୍ରୋଲ ବମ୍ ଓ ତେଜାବ୍ ଫୋପାଡିଥିଲେ। ତାହିରଙ୍କ ଘରର ଛାତରୁ ବହୁ ପରିମାଣରେ ପଥର, ପେଟ୍ରୋଲ ବମ୍ ଓ ଏସିଡ୍‌ ମିଳିଥିଲା। ତେବେ ତାହିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଦେଇଥିଲେ।