ବିଦେଶୀ ପରେ ଏବେ ଘରେ ପହଞ୍ଚିବ ଦେଶୀ ମଦ: ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ହୋମ୍‌ ଡେଲିଭରି

ଡେଲିଭରି ଚାର୍ଜ ୧୦ରୁ ୫୦ ଟଙ୍କା

ଭୁବନେଶ୍ୱର ୩୦/୦୬ : ଏଥର ଘରେ ପହଞ୍ଚିବ ଦେଶୀ ମଦ । ଗୋଟିଏ ଫୋନ୍‌ କଲ୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ଦେଶୀ ମଦ ପାଇ ପାରିବେ ଗ୍ରାହକ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶୀ ମଦ ହୋମ୍‌ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ଏମିତି ମଦ ବିକ୍ରି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି, ବିଦେଶୀ ମଦ ଭଳି ଏଥର ହୋମ୍‌ ଡେଲିଭରି ଯୋଗେ ଦେଶୀ ମଦ ବିକାଯିବ। ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଏହି ହୋମ୍‌ ଡେଲିଭରି ଜାରି ରହିବ। ରାଜ୍ୟରେ ଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ଯଥା ଆଉଟ୍‌ ଷ୍ଟିଲ୍‌(ଓଏସ୍‌) ଓ କଣ୍ଟ୍ରି ଲିକର (ସିଏଲ୍‌)ଙ୍କ ଏହି ମଦ ବିକି ପାରିବେ। ପ୍ରତି କାଉଣ୍ଟର ସାମ୍ନାରେ ଡିସ୍‌ପ୍ଲେ ବୋର୍ଡ ମରାଯିବ। ଏଥିରେ ମଦ ଦୋକାନୀ ଓ କର୍ମଚାରୀଙ୍କ ଫୋନ୍‌ ନମ୍ବର ଓ ହ୍ୱାଟସ୍‌ଅପ୍‌ ନମ୍ବର ଉଲ୍ଲେଖ ରହିବ। ଯେଉଁଥିରେ ଗ୍ରାହକମାନେ ବିଭିନ୍ନ ବ୍ରାଣ୍ଡର ଦେଶୀ ମଦ ଅର୍ଡର କରିପାରିବେ।

ତେବେ ହୋମ୍‌ ଡେଲିଭରି ବ୍ୟବସ୍ଥାରେ ସରକାର କିଛି ସର୍ତ୍ତ ରଖିଛନ୍ତି। ହୋମ୍‌ ଡେଲିଭରି ବାବଦରେ କମ୍‌ ମୂଲ୍ୟର ଦେୟ ରଖିଛନ୍ତି । ଜଣେ ଦୋକାନୀ ଗୋଟିଏ ବୋତଲ ଦେଶୀ ମଦ ପାଇଁ ମାତ୍ର ୧୦ ଟଙ୍କା ଡେଲିଭରି ଚାର୍ଜ ନେଇପାରିବ । ଏହି ଦେୟ ଅତି ବେଶୀରେ ୫୦ ଟଙ୍କା ଯାଏଁ ନିଆ ଯାଇପାରିବ। କୌଣସି ମତେ ଦୋକାନ ପରିସରରେ ଦେଶୀ ମଦ ଦୋକାନୀ ମଦ ବିକ୍ରି କରିବେନି। ତେବେ ରାଜ୍ୟର ବିଭିନ୍ନ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ଦୋକାନ ଗୁଡିକ ଖୋଲିବନି କି ହୋମ୍‌ ଡେଲିଭରି ଦେଇ ପାରିବେନି।

ସୂଚନା ଥାଉ କି, ମେ ମାସ ୨୩ରେ ବିଦେଶୀ ମଦର ଅନ୍‌ଲାଇନ୍‌ ବିକ୍ରିକୁ ସରକାର ଅନୁମତି ଦେଇଥିଲେ। କିନ୍ତୁ ମଦ କିଣାରେ କୋଭିଡ୍‌ ଚାର୍ଜ ଲଗାଇ ଥିଲେ। ପ୍ରତି ମଦ ବୋତଲର ଦାମକୁ ୫୦ ପ୍ରତିଶତ ବଢ଼ାଇ ଦେଇଥିଲେ। ଏହି କୋଭିଡ୍‌ ଚାର୍ଜରୁ ମିଳିଥିବା ଅର୍ଥ କରୋନା ପରିଚାଳନାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏହାର ପ୍ରଭାବ ମଦ ବିକ୍ରିରେ ପଡିଛି। ମାତ୍ରାଧିକ ଟଙ୍କା ଯୋଗୁଁ ଅଧିକାଂଶ ଗ୍ରାହକ ବିଦେଶୀ ମଦ କିଣି ପାରୁନାହାନ୍ତି। ପାଖାପାଖି ୯୦ ପ୍ରତିଶତ ମଦ ବିକ୍ରି କମିଯାଇଛି। ଏଥିପାଇଁ ଦେଶୀ ମଦ ବିକିବାକୁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୪ଟି ଲାଇସେନ୍ସପ୍ରାପ୍ତ ଦେଶୀ ମଦ କାଉଣ୍ଟର ରହିଛି।

   ସମ୍ବନ୍ଧିତ ଖବର


୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା

ଟ୍ୟୁସନ୍‌ ନ କଲେ ଫେଲ୍‌ ହେବାର ଧମକ! ରିପୋର୍ଟ ତଲବ

ପୁଅ ମୃତ୍ୟୁକୁ ନେଇ ବିଷ ଖାଇଲେ ମା’