ଡିଜିପିଙ୍କ ପତ୍ନୀଙ୍କ ଦେହାନ୍ତ, ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ଥିଲେ

ଭୁବନେଶ୍ୱର,୭ା୪(ବ୍ୟୁରୋ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ(ଡିଜି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ରବିବାର ସକାଳ ୪ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ନୂଆଦିଲ୍ଲୀସ୍ଥିିତ ଶ୍ରୀଗଙ୍ଗାରାମ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ।

ସୂଚନା ଅନୁସାରେ, ଡିଜିପିଙ୍କ ପତ୍ନୀଙ୍କ ଦୀର୍ଘ ଦିନ ଧରି ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡି଼ତ ଥିଲେ । ଦେହ ଅଧିକ ଅସୁସ୍ଥ ହୋଇପଡିବାରୁ ଗତ ୨୩ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ କିଛି ଦିନ ପରେ ସେ ଘରକୁ ଫେରିଥିଲେ । ମାତ୍ର ଗତ ୩୧ ତାରିଖରେ ଶ୍ରୀମତୀ ଶର୍ମା ଗୁରୁତର ପୁଣି ହୋଇପଡିବାରୁ ପୁନର୍ବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏଠାରେ କୌଣସି ସୁଧାର ଆସିନଥିଲା । ଗତ ୨ ତାରିଖରେ ତାଙ୍କୁ ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀସ୍ଥିତ ଶ୍ରୀଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ଶତ ପ୍ରଚେଷ୍ଠା କରିବା ସତ୍ତେ୍ୱ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ମୃତ୍ୟୁଶର୍ଯ୍ୟା ନିକଟରେ ତାଙ୍କ ସ୍ୱାମୀ ଡା. ଶର୍ମା, ଦୁଇ ଝିଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟାରେ ରାଜସ୍ଥାନ ସ୍ଥିତ ଡିଜିପି ଡା. ଶର୍ମାଙ୍କ ଗାଁରେ ପତ୍ନୀ ତୁଷାରଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ପତ୍ନୀଙ୍କ ପରଲୋକ ଖବର ଡିଜି ଡା. ଶର୍ମାଙ୍କ ସହଯୋଗୀ ଓ ବନ୍ଧୁଙ୍କୁ ଗଭୀର ମର୍ମାହତ କରିଛି । ଗତ ମାସ ୯ ତାରିଖରେ ଏହି ଦମ୍ପତ୍ତି ବିବାହ ବାର୍ଷିକି ପାଳିଥିଲେ । ପୁଲିସ ବାହିନୀରେ ଶୋକର ଛାୟା ଖେଳାଇ ଦେଇଛି । ବିଭିନ୍ନ ମହଲରୁ ଡା. ଶର୍ମୀଙ୍କ ପାଖକୁ ସମବେଦନାର ସୁଅ ଛୁଟିଛି । ଗୁଇନ୍ଦା ଡିଜି ସୁନୀଲ୍‌ ରାୟଙ୍କ ସମେତ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି, ଆଇଜି ଅମିତାଭ ଠାକୁର, ସେଣ୍ଟ୍ରାଲ୍‌ ରେଞ୍ଜ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ହେଡ୍‌ କ୍ୱାର୍ଟର ଆଇଜି ଅସିତ୍‌ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ପୁଲିସ୍‌ ପଦାଧିକାରୀ ଶୋକ ପ୍ରକାଶ କରିଛନ୍ତି ।

ପତ୍ନୀଙ୍କ ଦେହ ଅସୁସ୍ଥ ଥିବାରୁ ଡିଜି ୧୦ ତାରିଖ ଯାଏ ଛୁଟିରେ ଥିଲେ । ମାତ୍ର ଏବେ ପତ୍ନୀଙ୍କ ମୃତ୍ୟୁ ପରେ ଡିଜିଙ୍କ ଛୁଟି ଆହୁରି ବଢ଼ିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଡିଜି ଡାକ୍ତର ଶର୍ମାଙ୍କ ଅନୁପସ୍ଥିତିରେ ଏବେ ସୁନୀଲ୍‌ ରାୟ କାମଚଳା ଦାୟିତ୍ୱ ତୁଲାଉଛନ୍ତି ।

ସୂଚନାଯୋଗ୍ୟ, ଡିଜି ଡା. ଶର୍ମା ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଟନ୍ତି । ସେ ଅନୁଗୁଳ ଓ ଭୁବନେଶ୍ୱରର ପୁଲିସ ଟ୍ରେନିଂ ସେଣ୍ଟରରେ ଏଏସ୍‌ପି ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ରାୟଗଡା ଜିଲ୍ଲାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୦ରୁ ୨୦୦୧ ମସିହା ଯାଏଁ କଳାହାଣ୍ଡି, ବ୍ରହ୍ମପୁର, ଢ଼େଙ୍କାନାଳ ଓ ବାଲେଶ୍ୱରରେ ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି । ଭୁବନେଶର-କଟକ କମିଶନରେଟ ପୁଲିସର କମିଶନର ଭାବେ କାର୍ଯ୍ୟ କରିଛନ୍ତି ।