ଭୋକରେ ଡହଳ ବିକଳ ‘କାଳିଆ’ର କରୁଣ କାହାଣୀ, ମା ଦୁଇମାସ ହେଲା ଲକ୍‌ଡାଉନ୍‌ରେ ଶୋଇଯାଇଛି…

ଭୁବନେଶ୍ବର ୧୫/୫: ୨୧୬ ନମ୍ବର ଜାତୀୟ ରାଜପଥ ମା’ ଢାବାକୁ କିଏ ନ ଚିହ୍ନେ । ଏଇ ଢାବା ହେଉଛି ମୋ ବୋଉ, ବାପା । ଏହାର ସୁକୃତରେ ମୁଁ କ’ଣ ନଖାଇଛି । ସବୁ ସୁଆଦିଆ ଜିନିଷ ମୋ ପାଟିରେ ବାଜିଛି । ମାଛ, ମାଉଁସ, କବାବ, ବିରିୟାନୀ, କ୍ଷୀରି, ପୁରି, ଚକୁଳି ସବୁ ପରଶିଛି ମୋ ବୋଉ । ହେଲେ ମୋ ବୋଉ ଦେଢ଼ ମାସ ହେବ ଶୋଇ ପଡ଼ିଛି । ଯେତେ ଡାକିଲେ ବି ଶୁଣୁନାହିଁ । ବହୁ ଦିନ ହେବ ପେଟରେ ଦାନା ନପଡ଼ି ମୁଁ ଅସ୍ଥିକଙ୍କାଳସାର ହୋଇଗଲିଣି । ଶୋଇବାରୁ ଚମକି ପଡ଼ି ଉଠି ଯାଉଛି । ସତେ ଯେମିତି ମୋ ବୋଉର ସ୍ନେହଭରା ଡାକ ଶୁଭୁଛି ଆ.. କାଳିଆ… ଆ…ଆ… । କିନ୍ତୁ ଉଠିଲା ବେଳକୁ ସବୁ ନିଶଦ୍ଦ, ଶୂନଶାନ ।

ଏଇ ଢାବା କଡ଼ରେ ମୋ ଜନ୍ମ । ମୋତେ ମିଶାଇ ମୋ ମା’ ୬ ଭାଇ ଭଉଣୀଙ୍କୁ ଜନ୍ମ ଦେଇଥିଲା । ଢାବାରୁ ମିଳୁଥିବା ଅଇଁଠା ପତ୍ରରୁ ଯାବତୀୟ ଭଲ ଜିନିଷ ଖାଇ ଆମେ ଭାଇ ଭଉଣୀ ସୁସ୍ଥସବଳ ହୋଇ ବଢ଼ି ଯାଇଥିଲୁ । କଳା ମଚମଚ ଶରୀରରେ ସବୁଠାରୁ ତାଗଡ଼ା କୁକୁର ଥିଲି ମୁଁ । ଢାବା ମାଲିକ ଠାରୁ ଆରମ୍ଭ କରି ଗରାଖ ଓ କାମିକା ଲୋକେ ମୋତେ ଭଲ ପାଉଥିଲେ । ଯାହା ଭଲ ଜିନିଷ ଛାଡ଼ି ଯାଉଥିଲେ, ଆଗ ମୋ ପାଟିରେ ପଡ଼ିଲେ ଯାଇ ଅନ୍ୟମାନେ ଖାଉଥିଲେ । କେବଳ ମୁଁ ନୁହେଁ, ଢାବାକୁ ଆଶ୍ରୟ କରି ମୋ ମା’ ଭାଇଭଉଣୀ ସମେତ ପ୍ରାୟ ୩୦ ହେବ କୁକୁର ପେଟପୂରା ଖାଇ ଏଇଠି ପଡ଼ି ରହିଥିଲେ । ଆକାରରେ ସବୁଠାରୁ ବଡ଼ ଥିବାରୁ ମୋତେ ଦଳପତି ଭାବେ ମାନୁଥିଲେ । ମନେ ପଡ଼ୁଛି, ଗତ ବର୍ଷ ଏଇ ଟାଇମ୍‌ରେ ଭୀଷଣ ଝଡ଼ତୋଫାନରେ ଆମ ଆଦରର ଢାବା ଭାଙ୍ଗି ଛାରଖାର ହୋଇ ଯାଇଥିଲା । ମୋ ମା’ ଉପରେ ଗଛ ଡାଳ ପଡ଼ିଯିବାରେ ସେ ଚିରଦିନ ପାଇଁ ଆଖି ବୁଜି ଦେଇଥିଲା । ମୁଁ ଦୁଇ ଦିନ କାନ୍ଦିଥିଲି । ଭୋକଶୋଷ ଭୁଲି ଶୋଇ ରହିଥିଲି । ତେବେ ଢାବା ଘର କିଛି ଦିନ ଭିତରେ ମାଲିକ ସଜାଡ଼ି ଦେଲେ । ପୁଣି ରୋଷେଇଶାଳରେ ଖାଦ୍ୟର ସୁଗନ୍ଧ ଭାସିଲା । ମାଲିକ ମୋତେ ଆଦରରେ ଡାକି କେତେ କ’ଣ ଖୁଆଇଲେ । କିଛି ଦିନ ଭିତରେ ମା’କୁ ହରାଇବା ଦୁଃଖ ମୁଁ ଭୁଲି ଯାଇଥିଲି ।

ଏବେ ସେଇ ଖରାଦିନେ ପୁଣି ଅକାଳ ମାଡ଼ି ଆସିଲା । ହଠାତ୍‌ ଦିନେ ସନ୍ଧ୍ୟାରେ ମାଲିକ ଢାବା ଖୁଆଡ଼ ବନ୍ଦ କରିଦେଲେ। କର୍ମଚାରୀମାନେ ବି କୁଆଡ଼େ ପଳାଇଲେ । ତା’ ପରଦିନ ଠାରୁ ଗାଡ଼ି ଲାଗିଲାନି କି ଗରାଖ ଆସିଲେନି । ରାସ୍ତାରେ ବି ଗାଡ଼ିମୋଟର, ମଣିଷ ଗୋଟାଏ ଦେଖାଦେଲେ ନାହିଁ । ଦିନେ ୨ ଦିନ ଉପାସ ରହିବା ପରେ ମୋର ଅନେକ ସାଙ୍ଗସାଥୀ କୁଆଡ଼େ ପଳାଇଲେ । ଆମେ ହଠାତ୍‌ କିଛି ଠଉରାଇ ପାରିଲୁ ନାହିଁ । ୪ ଦିନ ଉପାସ ରହିବା ପରେ କିଛି ଲୋକେ ଏକ ଟ୍ରଲିରେ ଭାତ ଡାଲମା ଆଣି ପହଞ୍ଚିଲେ । ରାସ୍ତା କଡ଼ରେ ପତ୍ରରେ ବାଢ଼ି ଦେଲେ । ସେ ଲୋକଙ୍କ କଥାବାର୍ତ୍ତାରୁ ଜାଣିଲୁ ଯେ ମଣିଷକୁ ମାରିବା ଲାଗି କରୋନା ବୋଲି ଅଚିହ୍ନା ବ୍ୟାଧି ମାଡ଼ି ଆସିଛି । ସେଇଦିନ ଯାହା ପେଟପୂରା ଖାଇଥିଲି । ତା’ ପରଠୁ ଆଉ କାହାର ଦେଖାନାହିଁ । ରାସ୍ତା କଡ଼ ନୟନଜୋରିରୁ ପାଣି ପିଇ ଆମେ ଭାଇଭଉଣୀ ଏଠାରେ ପଡ଼ି ରହିଛୁ। ଖାଦ୍ୟ ଅଭାବରୁ ଶରୀର କ୍ଷୀଣ ହୋଇଗଲାଣି । ତଥାପି ଜଗିରହିଛୁ, କେବେ ଆମ ବୋଉ ଉଠିବ, ଆମକୁ ଭଲ ଜିନିଷ ଖାଇବାକୁ ଦେବ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି