
କଟକ,୨୮/୧୧: ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇ ଦୀର୍ଘ ଦିନ ହେଲା କଟକ ସହରରେ ଧଳା ଜହର ବେପାର କରି ଆସୁଥିବା ଜଣେ କୁଖ୍ୟାତ ନିଶା ବେପାରୀକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା ଭୁବନେଶ୍ୱର ପଟିଆ ଅଞ୍ଚଳର ରାମଚନ୍ଦ୍ର ପାତ୍ର । ତା’ ନିକଟରୁ ୪୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗର୍ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ହେବ । ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସେ ଏହି ନିଶା କାହାକୁ ଓ କେଉଁଠାରେ ବେପାର କରୁଥିଲା ସେନେଇ ତଦନ୍ତ ଜାରି ରହିଛି ।
ଗଲା କିଛି ମାସ ଧରି ଅଭିଯୁକ୍ତ ରାମଚନ୍ଦ୍ର କଟକରେ ବ୍ରାଉନ୍ସୁଗର୍ ବେପାର କରିଆସୁଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ୟୁନିଟ୍-୨କୁ ସୂଚନା ମିଳିଥିଲା । ରାମଚନ୍ଦ୍ରକୁ ଗିରଫ କରିବା ପାଇଁ ଅବକାରୀ ବିଭାଗର ଏକ ଟିମ୍ ଗଲା ୧୫ ଦିନ ହେଲା କଟକର ବିଭିନ୍ନ ସ୍ଥାନରେ ଡେରା ପକାଇଥିଲା । ମାତ୍ର ସେ ତାର ରୁଟ୍ ବଦଳାଇ କଟକରେ ପ୍ରବେଶ କରୁଥିବାରୁ ତାକୁ ଅବକାରୀ ଟିମ୍ ଧରିପାରୁ ନଥିଲା । ଆଜି ଭୋର୍ ସମୟରେ ଅବକାରୀ ଟିମ୍ ତ୍ରିଶୁଳିଆ ଛକଠାରୁ କିଛି ଦୂରରେ ଡେରା ପକାଇ ରହିଥିଲା । ଏକ ବାଇକ୍ରେ ରାମଚନ୍ଦ୍ର ଆସୁଥିବା ଦେଖି ଅବକାରୀ ଟିମ୍ ତାକୁ ମାଡ଼ି ବସିଥିଲା ।ଯାଞ୍ଚ୍ କରିବାରୁ ଅଭିଯୁକ୍ତ ରାମଚନ୍ଦ୍ରଠାରୁ ପ୍ରାୟ ୪୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗର୍ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ହେବ ବୋଲି ଆକଳନ କରାଯାଇଛି । ପରେ ରାମଚନ୍ଦ୍ରକୁ ଗିରଫ କରାଯାଇଛି । ଭୁବନେଶ୍ୱରର ଜଣେ ବଡ଼ ନିଶା ମାଫିଆଠାରୁ ଅଳ୍ପ ଅଳ୍ପ ବ୍ରାଉନ୍ସୁଗର୍ ଆଣି ସେ ବିକୁଥିଲା । ତାର ଗତିବିଧି ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗର ସ୍କାନର୍କୁ ସେ ଚାଲି ଆସିଥିଲା ।