ମିଠା ଖୁଆଇ ହାତରେ ସୁତୁଲି ବାନ୍ଧି କରିଥିଲା ଧରମ ଭଉଣୀ: ୨ ଲକ୍ଷ ଟଙ୍କାର ଲଲିପପ୍ ଦେଖାଇ ୩୦ ହଜାର ଚୁନ ଲଗାଥିଲା ଧରମ ଭାଇ..ଏବେ ବନ୍ଧା ହେଲା

ଭୁବନେଶ୍ୱର,୨୩/୦୨: ମନ୍ଦିରରେ ମିଠା ଖୁଆଇ ହାତରେ ସୁତୁଲି ବାନ୍ଧି ଧରମ ଭଉଣୀ କରିଥିଲା । ୨ ଲକ୍ଷ ଟଙ୍କା ଦେବାର ଲୋଭ ଦେଖାଇ ୩୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲା । ଶେଷରେ ପୁଲିସ ହାତରେ ଧରାପଡ଼ିଲା । ଗିରଫ ଯୁବକଙ୍କ ନାମ ବସନ୍ତ କୁମାର ସ୍ୱାଇଁ(୪୪) । ଘର ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଓଳିକଣା । ଖାରବେଳନଗର ଥାନ ପୁଲିସ ବସନ୍ତଙ୍କ ଠାରୁ ୩୦ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଛି ।
ସୂଚନା ଅନୁଯାୟୀ,ସହିଦନଗର ବିଶ୍ୱେଶ୍ୱର ବସ୍ତିରେ ରହୁଛନ୍ତି ଲଳିତା ମୁଣ୍ଡା । ବସନ୍ତ ତାଙ୍କ ମୋବାଇଲ ଫୋନ୍କୁ ବାରମ୍ବାର ଫୋନ୍ କରି ମୁଁ ତୁମର ଧରମ ଭାଇ ବୋଲି ପରିଚୟ ଦେଲା । ଏଭଳି ବାରମ୍ବାର ଫୋନ୍ କରି ଲଳିତାଙ୍କୁ ସେ ଫସାଇବାରେ ସକ୍ଷମ ହୋଇଥିଲା । ଲଳିତାଙ୍କର ଆର୍ଥିକ ସମସ୍ୟା ଥିଲା । ତେଣୁ ସେ ବସନ୍ତଙ୍କୁ ଜଣାଇବା ସହ ତାଙ୍କୁ ୩ ଲକ୍ଷ ଟଙ୍କା ମାଗିଥିଲେ । ବସନ୍ତ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ । ବସନ୍ତଙ୍କ ଗତ ୧୦ ତାରିଖରେ ଲଳିତାଙ୍କୁ ରାମ ମନ୍ଦିରକୁ ଡ଼କାଇଥିଲେ । ଲଳିତା ତାଙ୍କ ଭଉଣୀଙ୍କ ସହ ଦିନ ୧୧ଟାବେଳେ ସେଠାରେ ପହଞ୍ଚିବା ପରେ ବସନ୍ତ ତାଙ୍କ ହାତରେ ସୂତା ବାନ୍ଧି ଧରମ ଭଉଣୀ କରିଥିଲେ । ତାଙ୍କ ଆକାଉଣ୍ଟ୍ ବଡ଼ଗଡ଼ରେ ଏକ ବ୍ୟାଙ୍କରେ ଥିବା କହି ଲଳିତା ଓ ତାଙ୍କ ଭଉଣୀଙ୍କୁ ସ୍କୁଟିରେ ବସାଇଥିଲେ ।
ଲଳିତାଙ୍କ ଭ୍ୟାନିଟିକୁ ନେଇ ସେ ସ୍କୁଟି ହ୍ୟାଣ୍ଡେଲରେ ଓହଳାଇଥିଲେ । ସେମାନଙ୍କୁ ନେଇ ସେ କଳ୍ପନା ଛକରେ ପହଞ୍ଚିଥିଲେ । ଏହି ସମୟରେ ଟ୍ରାଫିକ୍ ରେଡ୍ ସିଗନାଲ ଦେଇଥିଲା । ଆଗରେ ଟ୍ରାଫିକ୍ ଚେକିଂ ଚାଲିଛି କହି ଲଳିତା ଓ ତାଙ୍କ ଭଉଣୀଙ୍କୁ ଚାଲି ଚାଲି ରାସ୍ତା ପାର ହେବାକୁ କହିଥିଲେ । ଲଳିତା ଓ ତାଙ୍କ ଭଉଣୀ ଚାଲି ଚାଲି ଯାଉଥିଲାବେଳେ ଟ୍ରାଫିକ୍ ଗ୍ରୀନ୍ ସିଗ୍ନାଲ ଦେଇଥିଲା । ଏତିକିବେଳେ ବସନ୍ତ ଭ୍ୟାନିଟି ବ୍ୟାଗ୍ ସହ ଦ୍ରୁତଗତିରେ ସେଠାରୁ ପଳାଇଥିଲେ । ଭ୍ୟାନିଟିରେ ଲଳିତାଙ୍କର ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ୍ ପାସ୍ବୁକ୍ ଥିଲା । କିଛି ସମୟ ଅପେକ୍ଷା କରିବା ପରେ ଲଳିତା ଧରମ ଭାଇ ବସନ୍ତଙ୍କ ମୋବାଇଲ ଫୋନ୍କୁ କଲ୍ କରିଥିଲେ । ହେଲେ ମୋବାଇଲ ସୁଇଚ୍ଅଫ୍ ଥିଲା । ଠକାମିର ଶିକାର ହୋଇଥିବା ଜାଣି ଲଳିତା ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍ ଓ ବସନ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ପୁଲିସ ତାଙ୍କୁ ଗିରଫ କରିବା ସହ ୩୦ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଥିଲା । ଆଜି ବସନ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।