ଧାନ ଧୂଷରୁ ଉଡିବାରୁ ଗଣ୍ଡଗୋଳ,ଜଣଙ୍କର ମୃତ୍ୟୁ

ରଣପୁର: ଏନ୍ଏସିର ୧୫ନଂ. ୱାର୍ଡ ପାମ୍ପଡା ଗ୍ରାମରେ ଧାନ ଧୂଷ ଉଡିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗତ ୬ ତାରିଖରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ରଣପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଗଣ୍ଡଗୋଳରେ ଗୁରୁତର ହୋଇ ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୁକାନ୍ତ ବେହେରାଙ୍କ ଗତକାଲି ମୃତ୍ୟୁ ହୋଇଯାଇଥିଲା । ଆଜି ଗ୍ରାମବାସୀ ଆସାମୀମାନଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରି ରଣପୁର-ଚାନ୍ଦପୁର ରାସ୍ତାକୁ ଅବରୋଧ କରିଥିଲେ ।
ଫଳରେ ଦୀର୍ଘ ସମୟ ଧରି ରଣପୁର ଚାନ୍ଦପୁର ରାସ୍ତାରେ କୌଣସି ଯାନବାହନ ଯାତାୟାତ କରିପାରି ନଥିଲା । ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଆର୍ôଥକ ସହାୟତା ଓ ଆସାମୀଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ମାମଲା ଅନୁସାରେ, ପାମ୍ପଡା ଗ୍ରାମର ସୁକାନ୍ତ ବେହେରା ଓ ତାଙ୍କ ଭାଇ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା ପକାଉଥିଲେ । ଧାନ ଧୁଷ ଉଡ଼ିବା ନେଇ ଗ୍ରାମର ରାଜ କିଶୋର ପ୍ରଧାନଙ୍କ ପରିବାର ଓ ସୁକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ରାଜ କିଶୋର ପ୍ରଧାନ ତାଙ୍କ ପୁଅ ସିକନ୍ ପ୍ରଧାନ ଓ ହୁଲୁମା ପ୍ରଧାନ ସୁକାନ୍ତଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର କରିଥିଲେ ।
ଗୁରୁତର ସୁକାନ୍ତ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆସାମୀମାନଙ୍କୁ ଗିରଫ ଏବଂ ମୃତ ସୁକାନ୍ତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରି ପାମ୍ପଡ଼ା ଛକଠାରେ ରଣପୁର-ଚାନ୍ଦପୁର ଅବରୋଧ କରିଥିଲେ । ଖବର ପାଇ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା, ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ରାସ୍ତାରୋକ ସ୍ଥଳରେ ପହଞ୍ଚି ରେଡ୍କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନୟାଗଡ଼ ଏସ୍ପିଙ୍କ ସହ କଥା ହୋଇ ଆସାମୀମାନଙ୍କୁ ଶୀଘ୍ର ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।