ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ହାଇଦ୍ରାବାଦ- ପୁଅ କରିଥିଲା ଚୋରି । ଚୋରା ଗହଣା ପିନ୍ଧି ସଜେଇ ହୋଇ ହ୍ୱାଟସ୍‌ଆପ୍‌ରେ ଡିପି ରଖିଥିଲା ମାଆ । ଚୋରି ହୋଇଥିବା ଲୋକ ଥାନାରେ ଚୋରି ବିଷୟରେ ଅଭିଯୋଗ କରିଥିଲେ । ପରେ ଏହି ଡିପି ଦେଖି ଥାନାରେ ଖବରଦେଇଥିଲେ । ପୁଲିସ ଅଭିଯୁକ୍ତର ମାଆକୁ ଥାନାକୁ ଉଠାଇ ଆଣିଥିଲା । ପ୍ରଥମେ ମାଆ ଚୋରି କଥାକୁ ସ୍ୱୀକାର କରି ନଥିଲା । ପରେ ସବୁ କଥା ସତ ମାନିଯାଇଥିଲା ।

ଚୋରି ପୁଣି ଏବେ ହୋଇ ନଥିଲା । ୧୫ ମାସ ତଳେ ଜଣଙ୍କ ଘରୁ ସୁନାଗହଣା ଏବଂ ଅନ୍ୟ କେତକ ଅଳଙ୍କାର ଚୋରି ହୋଇଥିଲା । ଏବେ ସେହି ଚୋରା ଗହଣାକୁ ପିନ୍ଧି ମାଆ ଫଟୋ ପୋଷ୍ଟ କରିଥିଲା । ହାଇଦ୍ରାବାଦର ରଚକୋଣ୍ଡାରେ ଥିବା ସାଇପୁରି କଲୋନୀରେ ରବି କିରଣ ନାମକ ବ୍ୟକ୍ତି ରୁହୁନ୍ତି । ଜୁଲାଇ ୧୨ , ୨୦୧୯ରେ ସେ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ । ଆସିବା ବେଳକୁ ତାଙ୍କ ଘରର କବାଟ ଖୋଲାଥିଲା । ସେ କବାଟ ଦେବାକୁ ଭୁଲି ଯାଇଥିବା କଥା ଭାବିଥିଲେ । ପରେ ତାଙ୍କ ଘରୁ କେତକ ସୁନା ଗହଣା ଚୋରି ହୋଇଥିବା କଥା ସେ ଜାଣିବା ପାଇଁ ପାଇଥିଲେ । ଥାନାରେ ଏ ନେଇ ଏକ ମାମଲା ରୁଜୁ କରିଥିଲେ ।

୧୫ ମାସପରେ ତାଙ୍କ ପଡୋଶୀ ସ୍ତ୍ରୀ ଲୋକ ସେହି ସୁନା ଗହଣା ପିନ୍ଧି ଫଟୋ ଉଠାଇ ହ୍ୱାଟସ୍‌ଆପ୍‌ରେ ପୋଷ୍ଟ କରିଥିଲେ । ହ୍ୱାଟସ୍‌ଆପ୍‌ରେ ଚୋରା ସୁନା ଗହଣା ପିନ୍ଧି ଡିପି ରଖିଥିଲେ । ରବି କିରଣ ତାଙ୍କର ଢିପି ଦେଖିଥିଲେ । ଏଥିରେ ସେ ତାଙ୍କ ଘରୁ ଚୋରି ହୋଇଥିବା ଅଳଙ୍କାର ଦେଖିବା ପାଇଁ ପାଇଥିଲେ । ଏ ନେଇ ସେ ଥାନାରେ ପ୍ରମାଣ ସହ ପହଞ୍ଚିଥିଲେ । ପୁଲିସ ମହିଳାଙ୍କୁ ପଚରା ଉଚରା କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଚୋରିକରିଥିବା ପି. ଜିତେନ୍ଦରକୁ ଗିରଫ କରିଛି । ସେ ଚୋରି କରିଥିବା ସ୍ୱୀକାର କରିଛି ।