ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଭୁବନେଶ୍ୱର ୨୭/୧୧: ଧର୍ମପଦ ପୁରସ୍କାର ଏବଂ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କରାଯାଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆଜି ଏହି ଘୋଷଣା ହୋଇଯାଇଛି । ଆଜି(ଶୁକ୍ରବାର) ସଂସ୍କୃତି ଭବନ ପରିସରରେ ଥିବା ପ୍ରେକ୍ଷାଳୟରେ ୨୦୧୬ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତର ପୁରସ୍କାର ତାଲିକା ଘୋଷଣା କରିଛନ୍ତି ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

୨୦୧୬ ମସିହା ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ବନବିହାରୀ ପରିଡା, ୨୦୧୭ ପାଇଁ ବିଶିଷ୍ଠ ସ୍ଥପତି ଶ୍ରୀ ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଶ୍ରୀ ଜଗଦିଶ ଚିତ୍ରଶିଳ୍ପୀ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀ ବିନୋଦ ମହାରଣା ଏବଂ ୨୦୨୦ ମସିହା ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି । ଧର୍ମପଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍, ତାମ୍ରଫଳକ ଏବଂ ଉପଢୌକନ ଏବଂ ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା, ତାମ୍ରଫଳକ, ଉପଢୌକନ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ ।

ଉକ୍ତ ଉତ୍ସବରେ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏକାଡେମୀର କାର୍ଯ୍ୟକାରୀ କମିଟିର ସଦସ୍ୟ ପଞ୍ଚାନନ ସାମଲ, ଶ୍ୟାମ ସୁନ୍ଦର ମେହେର ଏବଂ ଅକ୍ଷୟ କୁମାର ସାମଲ ମଧ୍ୟ ଉପସ୍ଥିତ ଥିଲେ । ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକୁ ପରିଚାଳନା କରିଥିଲେ ।