ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ’ ପ୍ରଦାନ: ବାସଭବନରେ ଶିଳ୍ପୀଙ୍କୁ ସମ୍ମାନିତ କଲେ ସରକାର

୭ ବିଶିଷ୍ଟ ଶିଳ୍ପୀଙ୍କ ମଧ୍ୟରୁ ୩ ଜଣଙ୍କୁ ମରଣୋତ୍ତର ସମ୍ମାନ

ଭୁବନେଶ୍ୱର ୧୧/୦୮: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶିଳ୍ପୀଙ୍କୁ ଦିଆଯାଇଛି ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର । ସେମାନଙ୍କର ଜୀବନବ୍ୟାପୀ ସାଧନା ଓ ରାଜ୍ୟର କଳା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ମର୍ଯ୍ୟାଦାବାନ ସମ୍ମାନ ଦିଆଯାଇଛି । ମନୋନୀତ ୭ଜଣ ବିଶିଷ୍ଟ ଶିଳ୍ପୀଙ୍କ ମଧ୍ୟରୁ ୩ଜଣଙ୍କୁ ମରଣୋତ୍ତର ପୁରସ୍କୃତ କରାଯାଇଛି । ମହାମାରୀ କରୋନା କଟକଣା ନିୟମ ମାନି ସାମାଜିକ ଦୂରତା ରଖି ୩ଜଣଙ୍କ ଉପସ୍ଥିତିରେ ଶିଳ୍ପୀମାନଙ୍କୁ ସେମାନଙ୍କ ବାସଭବନରେ ନିରାଡ଼ମ୍ବର ଭାବେ ପୁରସ୍କାର ଦିଆଯାଇଛି ।

୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୭ ବର୍ଷ ପାଇଁ ୭ଜଣ ପ୍ରସିଦ୍ଧ ଶିଳ୍ପୀ ଏହି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ୨୦୦୯ ଲାଗି ପଟ୍ଟଚିତ୍ର ଶିଳ୍ପୀ ସ୍ୱର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଚିତ୍ର ଓ ମଞ୍ଚଶିଳ୍ପୀ ସ୍ୱର୍ଗତ ଅସୀମ ବସୁ, ୨୦୧୧ ଲାଗି ଖଲ୍ଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସାଦ ଦାସ, ୨୦୧୨ ଲାଗି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ଲାଗି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ, ୨୦୧୪ ପାଇଁ ଶିଳ୍ପୀ ଓ କଳା ସମାଲୋଚକ ସ୍ୱର୍ଗତ ଡ. ଦିନନାଥ ପାଠୀ ଓ ୨୦୧୫ ପାଇଁ ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର ପୁରସ୍କୃତ ହୋଇଛନ୍ତି । ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ଅସୀମ ବସୁ ଓ ଡ. ଦିନନାଥ ପାଠୀଙ୍କୁ ମରଣୋତ୍ତର ଭାବେ ଦିଆଯାଇଥିବା ପୁରସ୍କାରକୁ ପରିବାର ଲୋକ ଗ୍ରହଣ କରିଛନ୍ତି ।

ସ୍ୱର୍ଗତ ପଟ୍ଟନାୟକଙ୍କ ପାଇଁ ପତ୍ନୀ ଅନସୂୟା ପଟ୍ଟନାୟକ, ସ୍ୱର୍ଗତ ବସୁଙ୍କ ପତ୍ନୀ ଗୀତା ବସୁ ଓ ସ୍ୱର୍ଗତ ପାଠୀଙ୍କ ପୁତ୍ର ସୌଭାଗ୍ୟ ପାଠୀ ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁରସ୍କୃତ ଶିଳ୍ପୀମାନଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ସମ୍ମାନିତ କରିଥିଲେ । ପ୍ରତି ଶିଳ୍ପୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ତାମ୍ରଫଳକ ଓ ଉପଢ଼ୌକନ ଦିଆଯାଇଥିଲା । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପ୍ରସିଦ୍ଧ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଏକାଡେମୀର ସଚିବ ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ଦୃଷ୍ଟିରୁ ଏବଂ କରୋନା କଟକଣା ଯୋଗୁ ଭୁବନେଶ୍ୱରରେ ଉପସ୍ଥିତ ହୋଇପାରି ନଥିଲେ । ତେଣୁ ଲଳିତ କଳା ଏକାଡେମୀର ପ୍ରତିନିଧି ନୂଆଦିଲ୍ଲୀ ଯାଇ ସେଠାରେ ତାଙ୍କୁ ପୁରସ୍କୃତ କରିବେ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ପଞ୍ଜାବର ସମସ୍ତ ସହରରେ ପୁଣିଥରେ ଲାଗୁହେଲା ନାଇଟକର୍ଫ୍ୟୁ, ମାସ୍କ ନପିନ୍ଧିଲେ ଲାଗିବ ୧ହଜାର ଟଙ୍କାର ଜରିମାନା…

ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ