ଧର୍ମେନ୍ଦ୍ରଙ୍କ ବଡ଼ ଘୋଷଣା, ଟଙ୍କାଏରେ ମିଳିବ ୫ କେଜି ଚାଉଳ

ଭୁବନେଶ୍ୱର,୧୩ ।୪(ବ୍ୟୁରୋ): ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ, ଟଙ୍କାକରେ ଲୋକଙ୍କୁ ମିଳିବ ଚାଉଳ, ଡାଲି ଓ ଲୁଣ । ଦ୍ୱିତୀୟ ଦଫା ଭୋଟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବଡ଼ ଘୋଷଣା କରି ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ୍‌ ।

ଭୋଟ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଆଜି ଏ ନୂଆ ଘୋଷଣା କରିବା ସହ ରାଜ୍ୟର ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ସମସ୍ତ ଅଧିକାରୀ ଏହାର ଲାଭ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଏହାଛଡ଼ା ୍ମ୨ ପାସ୍‌ କରିଥିବା ମେଧାବୀ ଛାତ୍ରୀଙ୍କୁ ସ୍କୁଟି, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ସହରରେ ୍ମ୩ କଲେଜ ଖୋଲିବା ସହ ପ୍ରତି ଘରକୁ ୨୪ ଘଣ୍ଟିଆ ବିଜୁଳି ଓ ପାଣି ଯୋଗାଇ ଦିଆଯିବ । ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ୧୫ ହଜାର ଏବଂ ଆଶା କର୍ମୀଙ୍କୁ ୯ ହଜାର ଟଙ୍କା ମିଳିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

ଚୌଦ୍ୱାର, ଜଟଣୀ, ଖଣ୍ଡପଡ଼ା, ବାଙ୍କି ଆଦି ଅଞ୍ଚଳରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶ୍ରୀ ପ୍ରଧାନ ଭୋଟ ପ୍ରଚାର କରିବା ବେଳେ କହିଛନ୍ତି, ବିଜେପି ରାଜ୍ୟରେ ଶାସନ ଡୋରି ଧରିଲେ ମାତ୍ର ୧ ଟଙ୍କାରେ ୫ କିଗ୍ରା ଚାଉଳ, ୫୦୦ ଗ୍ରାମ୍‌ ଲେଖାଏଁ ଡାଲି ଓ ଲୁଣ ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇବେ । ବିଜେପି ସରକାର ଆସିଲେ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ସରକାର ପ୍ରତି କିଗ୍ରା ଚାଉଳରେ ୨୯ ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ମାତ୍ର ୩ ଟଙ୍କା ଦେଇ ନିଜର ପ୍ରଚାର କରୁଛନ୍ତି । ନବୀନ ବାବୁ ଦୀର୍ଘ ୧୯ ବର୍ଷ କାଳ ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି । ରାଜ୍ୟରେ ବିକାଶ ପାଇଁ ଭୋଟରମାନେ ଡବଲ ଇଞ୍ଜିନ ସରକାର ଆଣିବାକୁ ଧର୍ମେନ୍ଦ୍ର ଭୋଟରମାନଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରର ମୋଦି ସରକାର ଓଡ଼ିଶାକୁ ସର୍ବାଧିକ ଫୋକସ୍‌ କରୁଛି । ମାତ୍ର ଏଠାରେ ଗାଦି ମାଡି ବସିଥିବା ବିଜେଡି ସରକାର ବିକାଶରେ ପ୍ରତିବନ୍ଧକ ସାଜୁଛି ।

ବୃହତ୍‌ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁନି । ପରିବର୍ତ୍ତନର ସମୟ ଆସିଛି । ବିକାଶ ପାଇଁ ଓଡ଼ିଶାବାସୀ ମନ ବଳାଇ ସାରିଛନ୍ତି । କଟକ-ଭୁବନେଶ୍ୱରଓ ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳ ଚଳାଚଳ କରିବ । ଚୌଦ୍ୱାର ଓଟିଏମକୁ କାର୍ଯ୍ୟକ୍ଷମ କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ସହ ଘର ମିଳିବ । ୧୫ ସହରକୁ ସ୍ମାର୍ଟ ସହରରେ ପରିଣତ କରାଯିବ । ରାଜ୍ୟବାସୀ ଦ୍ରୁତ ବିକାଶ ପାଇଁ ଏଥର ବିଜେପିକୁ ଆଶୀର୍ବାଦ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।