୪ ଜିଲ୍ଲାରେ ବର୍ଷିଲେ ଧର୍ମେନ୍ଦ୍ର: ଓଡ଼ିଶାକୁ କାଙ୍ଗାଳ କରିଦେଲେ

ଭୁବନେଶ୍ୱର,୨୧ ।୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରୁ ଗରିବୀ ହଟାଇବାକୁ ଚାହୁଁଛନ୍ତି । ଆୟୁଷ୍ମାନ ଭାରତ ଲାଗୁ ସହ ସ୍ୱଚ୍ଛତା ପାଇଁ ଶୌଚାଳୟ ତିଆରି କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାକୁ ଲାଗୁ କରାଇ ଦେଉନାହାନ୍ତି । ଗତ ୧୯ ବର୍ଷରେ ନବୀନ ବାବୁ ରାଜ୍ୟର ଋଣ ଭାର ବଢାଇ ଓଡ଼ିଶାକୁ କାଙ୍ଗାଳ କରି ଦେଲେ । ଆଜି ୪ ଜିଲ୍ଲାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେଡିକୁ ଏମିତି ଭର୍ତ୍ସନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କଟକ ଜିଲ୍ଲା ନିଆଳି, ଯାଜପୁରର ବିଞ୍ଝାରପୁର, ଅନୁଗୁଳର ପାଲଲହଡା, ଜଗତସିଂହପୁରର ପାରାଦୀପ ଓ ତିର୍ତ୍ତୋଲରେ ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ର ଯୋଗ ଦେଇଥିଲେ । ବିଜେଡି ବିରୋଧରେ ସେ ଭୀଷଣ ବର୍ଷିଥିଲେ । କହିଥିଲେ, ଗତ ନିର୍ବାଚନରେ ବିଜେଡିର ୨୦ ଜଣ ସାଂସଦ ଜିତିଥିଲେ । କିନ୍ତୁ ଚାଷୀଙ୍କ ସମସ୍ୟା ଓ ଲୋକଙ୍କ ସମସ୍ୟା କଥା କେହି ଉଠାଇନଥିଲେ । ବିଜେପି ସରକାର ହେଲେ ଚିଟ୍‌ଫଣ୍ଡକାରୀ ଓ ଖଣି ମାଫିଆଙ୍କୁ ୩ ମାସରେ ଜେଲ୍‌ ପଠାଯିବ । ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସମ୍ପତ୍ତି ବାଜ୍ୟାପ୍ତ କରି ସେ ଅର୍ଥରେ ଧର୍ମଶାଳା, ସରକାରୀ ସ୍କୁଲ, ଡାକ୍ତରଖାନା ଓ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍‌ ଖୋଲାଯିବ ।

ଧର୍ମେନ୍ଦ୍ର କଟାକ୍ଷ କରି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଏବେ ମୋଦି ନିଶା ଘାରିଛି । ଦିନରାତି ମୋଦିଙ୍କୁ ଗାଳି କରୁଛନ୍ତି । ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ସେ ଭୟ କରୁଛନ୍ତି । ଗୋଟେ ପଟେ ୧୯ ବର୍ଷର ପ୍ରତାରଣା ଓ ଅନ୍ୟପାଖେ ୫ ବର୍ଷର ସେବା । ଲୋକେ ଏହାର କଡ଼ା ଜବାବ ଦେବେ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ଆଗାମୀ ୫ ବର୍ଷରେ ପାରାଦୀପ ବିଶ୍ୱ ବଜାରର କେନ୍ଦ୍ରସ୍ଥଳ ହେବ । ପାରାଦୀପକୁ ସ୍ମାର୍ଟ ସିଟି କରାଯିବ । ପାଲଲହଡ଼ାରେ ଶୀତଳଭଣ୍ଡାର କରାଯିବ । ନିଆଳିକୁ ଏନ୍‌ଏସିରେ ପରିଣତ କରାଯିବ । ଡାଲି ଦୁର୍ନୀତିରେ ସଂପୃକ୍ତ ଲୋକଙ୍କୁ ଜେଲ୍‌ ପଠାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ୧୯ବର୍ଷର ଅପାରଗ, ଦୁର୍ନୀତିଗ୍ରସ୍ତ, ଚିଟଫଣ୍ଡଖିଆ, ମହିଳା ଓ ଚାଷୀ ବିରୋଧୀ ଓ ରୋଜଗାର ଦେଉନଥିବା ରାଜ୍ୟ ସରକାରକୁ ବଦଳାଇବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ଖାଦ୍ୟ ସୁରକ୍ଷା ସହ ପୁଷ୍ଟି ନିରାପତ୍ତା ନିଶ୍ଚିତ: ଧର୍ମେନ୍ଦ୍ର

ଭୋଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କୁ ଧମକାଉଛନ୍ତି । ସାମାଜିକ ଗଣମାଧ୍ୟମରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ଯାଏଁ ଗରିବଙ୍କ କେହି ଅନିଷ୍ଟ କରିପାରିବେନି । ଏଥର ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ, ଖାଦ୍ୟ ସୁରକ୍ଷା ସହ ପୁଷ୍ଟି ନିରାପତ୍ତା ନିଶ୍ଚିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ବିଜେଡି ୧୯ ବର୍ଷ ହେଲାଣି ଶାସନରେ ଅଛି । ତଥାପି ରାଜ୍ୟର ୨୫ ଜିଲ୍ଲାରେ ଗରିବଙ୍କ ଘରେ ଗର୍ଭବତୀ ମହିଳା ଓ ଶିଶୁ କୁପୋଷଣର ଶିକାର ଅଛନ୍ତି । କୁପୋଷଣ ହାର ଜାତୀୟ ହାରଠୁ ତଳେ ଅଛି । ତଥାପି କେନ୍ଦ୍ର ଉପରେ ଇର୍ଷା କରି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ।

ସେ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ, ୩ କୋଟି ୨୬ ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ୫ କେଜି ଚାଉଳ ମିଳିବ । ଅଧ କେଜି ଲେଖାଏଁ ଡାଲି ଓ ଲୁଣ ବି ଦିଆଯିବ । ରାଜ୍ୟରୁ କୁପୋଷଣ ହଟାଇବା ସହ ଖାଦ୍ୟ ସୁରକ୍ଷା ଉପରେ ଦଳ ଜୋର୍‌ ଦେବ । ଧର୍ମେନ୍ଦ୍ର ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦେଉନାହାନ୍ତି ରାଜ୍ୟ ସରକାର । ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣରେ ସହଯୋଗ କରୁନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇ ଗୁଣ ପାଣ୍ଠି ପଠାଇବା ସତ୍ତେ୍ୱ ଏଠି ପିସି କାରବାର, ଦୁର୍ନୀତି ବନ୍ଦ ହେଉନି । ବିଜେପି ସରକାର ଆସିଲେ ରାଜ୍ୟରୁ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ଶାସକ ଦଳ ଅପପ୍ରଚାର କରୁଛି । ଏଥିପାଇଁ କେନ୍ଦ୍ର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୨ ଟଙ୍କା ଦେଉଛନ୍ତି । ପର ଘର ତିଅଣରେ ଅତିଥି ସତ୍କାର କରିବା ଭଳି ଶାସକ ଦଳ ଏହି ଯୋଜନାର ବାଃ ବାଃ ନେଉଥିବା ସେ କହିଛନ୍ତି ।

ସେ କହିଛନ୍ତି, ଓଡିଶାରେ ମନ୍ଦିର, ସମୁଦ୍ରକୂଳ, ଜଳ ସମ୍ପଦ, ନଦୀ, ପାହାଡ, ଜଙ୍ଗଲରେ ଭରା ଓଡି଼ଶାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । ଯଦି ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର ଜୋର ଦେଇଥାନ୍ତେ, ତେବେ ଓଡି଼ଶାକୁ ପୃଥିବୀର ଗୋଟିଏ ଆକର୍ଷଣୀୟ କେନ୍ଦ୍ର କରାଯାଇପାରନ୍ତା । ହେଲେ ଶାସକ ଦଳର ଅପାରଗତା ଯୋଗୁଁ ରାଜ୍ୟ ଏଥିରେ ଫେଲ୍‌ ମାରିଛି । ଏହି ସମ୍ଭାବନାକୁ ଉପଯୋଗ କରି ରାଜ୍ୟକୁ ପ୍ରଗତିର ରାସ୍ତାରେ ନେବାକୁ ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…