ପାଟକୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଘୋଷଣା; ‘କେନ୍ଦ୍ରାପଡ଼ାରେ ହେବ ଅଟୋମୋବାଇଲ୍ କ୍ଲଷ୍ଟର୍’

କେନ୍ଦ୍ରାପଡ଼ା/ପାଟକୁରା/ମାର୍ଶାଘାଇ,୧୭ା୪(ଆପ୍ର): ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ଯୁବକମାନଙ୍କ ରୋଜଗାର ଲାଗି କ’ଣ କରିଛନ୍ତି? ଛୁଞ୍ଚି ତିଆରି କାରଖାନାଟିଏ ବି ହୋଇପାରିନି ଏଠାରେ । ବିଜେପି ଏଥର ଓଡ଼ିଶାରେ କ୍ଷମତାକୁ ଆସିଲେ ଯୁବକମାନଙ୍କୁ ରୋଜଗାର ଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ଅଟୋମୋବାଇଲ୍ କ୍ଲଷ୍ଟର୍ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣା ହାଟପଡ଼ିଆଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବା ଅବସରରେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଏବଂ ପାରାଦୀପ-ହରିଦାସପୁର ରେଳ ଚଳାଚଳର ବି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି, ଏଠାରେ ପାରାଦୀପ ଅଏଲ୍ ରିଫାଇନାରୀ (ତୈଳ ବିଶୋଧନାଗାର)ରେ ପଲିପ୍ରପ୍ଲିନ କାରଖାନା ବନାଯାଇଛି । ଓଡ଼ିଶା ଲୁହା ପଥରକୁ ନେଇ ବିଶ୍ୱର ଲୋକେ ଧନୀ ହେଉଛନ୍ତି । ଓଡ଼ିଶାର ଆଲୁମିନିୟମ ବିଶ୍ୱ ବଜାରରେ ପହଞ୍ଚିଛି । ଏସବୁକୁ ଉପଯୋଗ କରି ଏଠାରେ କାରଖାନା ନିର୍ମାଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେହିପରି କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ହେବା ବିଜୁ ବାବୁଙ୍କ ସ୍ୱପ୍ନ ଥିବାବେଳେ ନବୀନ ବାବୁ ୨୦ ବର୍ଷରେ ଏହାକୁ ପୂରଣ କରିବାରେ ସମର୍ଥ ହେଲେନି । ରାଜ୍ୟରେ ବିଜେପି ସରକାରକୁ ଆସିଲେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ନିର୍ମାଣ ହେବ । ମଞ୍ଚରେ ଉପସ୍ଥିତ ବରିଷ୍ଠ ନେତା, ପାଟକୁରା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ତାଙ୍କୁ ଏଥର ଅଞ୍ଚଳବାସୀଙ୍କୁ ସେବା କରିବାର ସୁଯୋଗ ଦେବାକୁ ନିବେଦନ କରିଥିଲେ । ଏଥିଲାଗି ସହଯୋଗ ଭିକ୍ଷା କରିଥିଲେ । ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ରାଜ୍ୟରେ ସରକାର ବଦଳାଇବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପୌରୋହିତ୍ୟରେ ରାଜ୍ୟ ବିଜେପି ଉପସଭାପତି ଭୁବନ ମୋହନ ଜେନା, ସରୋଜକାନ୍ତ ସାହୁ, ଉମାକାନ୍ତ ନାୟକ, ଉମାକାନ୍ତ ପଟ୍ଟନାୟକ, ମାନସ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।