ଧର୍ମେନ୍ଦ୍ର, ହେମା ମାଳିନୀଙ୍କ ପରେ ଏବେ ବିଜେପି ହାତ ଧରିପାରନ୍ତି ସନ୍ନି ଦେଓଲ, ଶାହାଙ୍କ ସହ ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ,୨୦।୪: ଲୋକସଭା ନିର୍ବାଚନ ୨୦୧୯ ପାଇଁ ଏବେ ଯୋରଦାର ଭାବରେ ଚାଲିଛି ପ୍ରଚାର ଆଉ ରାଜନେତାଙ୍କ ବୟାନବାଜି। ଏହା ଭିତରେ ଶୁଣିବାକୁ ମିଳିଛି ଯେ, ପ୍ରସିଦ୍ଧ ବଲିଉଡ ଅଭିନେତା ସନ୍ନି ଦେଓଲ ନିର୍ବାଚନ ଲଢିପାରନ୍ତି। ଅମୃତସରରୁ ସନ୍ନି ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ହେବାର କାରଣ ହେଉଛି ଗତ ଶକୁବ୍ରାର ସନ୍ଧ୍ୟାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ସନ୍ନିଙ୍କର ପୁନେ ବିମାନବନ୍ଦର ସାକ୍ଷାତ ହୋଇଥିଲା। ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଦୁହେଁ ଲାଉଞ୍ଜରେ ବସି ଆଲୋଚନା କରିଥିଲେ।
ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ସନ୍ନି ଦେଓଲଙ୍କ ଭିତରେ ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ସନ୍ନି ଅମୃତସର କିମ୍ବା ଚଣ୍ଡୀଗଡରୁ ନିର୍ବାଚନ ଲଢିପାରନ୍ତି। ପଞ୍ଜାବରେ ବିଜେପି ସନ୍ନିଙ୍କୁ କୌଣସି ବଡ ଦାୟିତ୍ବ ଦେଇପାରେ।
ଉଲ୍ଲେଖନୀୟ ଯେ ଲୋକସଭା ନିର୍ବାଚନ ୨୦୧୯ରେ ଦେଓଲ ପରିବାରୁ ହେମା ମାଳିନୀ ଉତ୍ତର ପ୍ରଦେଶର ମଥୁରାରୁ ଲୋକସଭା ନିର୍ବାଚନ ଲଢୁଛନ୍ତି। ହେମାଙ୍କ ପାଇଁ ବଲିଉଡର ହି-ମ୍ୟାନ ନାମରେ ପରିଚିତ ଧର୍ମେନ୍ଦ୍ର ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଏବେ ବିଜେପିରେ ସନ୍ନିଙ୍କ ଏଣ୍ଟ୍ରି କରିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ନେଇ ସନ୍ନି କିଛି ସ୍ପଷ୍ଟ କରିନାହାଁନ୍ତି।