PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଓଡ଼ିଶାର ବିକାଶରେ ରାଜ୍ୟ ସରକାର ବାଧକ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ୨୦୬୭ କୋଟି ଟଙ୍କା ବ୍ୟୟବରାଦରେ ୧୧୯.୫ କିମି ଦୀର୍ଘ ୩ଟି ଜାତୀୟ ରାଜପଥ ପ୍ରକଳ୍ପ କାମ ଓଡ଼ିଶାରେ ନିର୍ମାଣ ହେବ । ଏହି ପ୍ରକଳ୍ପର କାମ ଆରମ୍ଭ ପାଇଁ ଆଜି ଭୂମି ପୂଜା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଖଣ୍ଡଗିରିରୁ ୩ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ମାତ୍ର ରାଜ୍ୟ ସରକାର ଏଥିରେ ବାଧକ ସାଜୁଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ମୋଦି ସରକାର ଓଡ଼ିଶାର ବିକାଶ କାମକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ୫୫ ହଜାର କୋଟି ଟଙ୍କା ବ୍ୟୟରେ ୪୫୦୦ରୁ ୫ ହଜାର କିମି ପର୍ଯ୍ୟନ୍ତ ନୂଆ ଏନ୍‌ଏଚ୍‌, କୋଷ୍ଟାଲ୍‌ ହାଇୱେ ଏବଂ ଅନେକ ଆଭ୍ୟନ୍ତରୀଣ ରାସ୍ତାକୁ ଏନ୍‌ଏଚ୍‌ରେ ପରିଣତ କରିବାକୁ ଯୋଜନା ହୋଇଛି । ମାତ୍ର ରାଜ୍ୟ ସରକାର ଏଥିରେ ଅସହଯୋଗ କରୁଛନ୍ତି ।
ସେ ଆହୁରି କହିଛନ୍ତି, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସୁବର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଏ ଅଞ୍ଚଳ ରାସ୍ତାର ନବକଳେବର ହୋଇଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଅଟଳଙ୍କ ୪ ଲେନ୍‌ ରାସ୍ତାକୁ ୬ ଲେନ୍‌ରେ ପରିଣତ କରିବାକୁ ଯାଉଛନ୍ତି । ତେବେ ଓଡ଼ିଶାର ବିକାଶ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସହଯୋଗ କରନ୍ତୁ ବୋଲି ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଆଜି ଓଡ଼ିଶାରେ ଏନ୍‌ଏଚ୍‌ ୧୬ (ପୂର୍ବରୁ ଏନ୍‌ଏଚ୍‌ ୫ ଥିଲା)ର ଅନେକ ପ୍ରକଳ୍ପର ଭୂମି ପୂଜା ଓ କାମ ଆରମ୍ଭ ହୋଇଛି । ଭୁବନେଶ୍ୱର, ଶିଖରପୁର, ବଡ଼ଚଣା ଓ ସୋର ୪ଟି ଜାଗାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭାରମ୍ଭ ହୋଇଯାଇଛି । ଏହାଦ୍ୱାରା ଓଡ଼ିଶାର ଅର୍ଥନୀତିରେ ବିକାଶ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ତାହା କରନ୍ତି । ଦେଶର ସୁରକ୍ଷା ହେଉ କିମ୍ବା ଢାଞ୍ଚା ବନାଇବା ବା ଅର୍ଥନୀତିର ବିକାଶ, ମୋଦି ସରକାର ଯାହା କହେ, ତାହାକୁ ସମ୍ଭବ କରି ଦେଖାଏ । ଭୂମି ପୂଜନ ସହ ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାସ୍ତାର ଉନ୍ନତିକରଣ କରାଯିବ । ଓଡ଼ିଶା ଓ ଜାତୀୟ ଅର୍ଥନୀତିକୁ ଏହି ରାସ୍ତା ସୁଦୃଢ଼ କରିବ । ଗମନାଗମନର ସୁବିଧା ବଢ଼ିବ । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ କାମ କରିବାର ସୁଯୋଗ ମିଳିପାରିବ । ଏହାବାଦ୍‌ କଟକର ବାଲିକୁଦା, ଶିଖରପୁର ଓ ଯାଜପୁରର ବଡ଼ଚଣାରେ ଏନ୍‌ଏଚ୍‌ ତଳେ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଯେଉଁ ଦାବି ହେଉଥିଲା, ତାହା ପୂରଣ ହୋଇଛି ।
ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଉନ୍ନତି ପାଇଁ ସହଯୋଗ କରିବାକୁ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ସହଯୋଗ କରିବା ପରିବର୍ତ୍ତେ ସେମାନେ ଓଲଟା ଗାଳି କରୁଛନ୍ତି । ଭୁବନେଶ୍ୱରରେ ଏନ୍‌ଏଚ୍‌ ହେବା କାରଣରୁ ପାଣି ଜମୁଛି ବୋଲି ରାଜ୍ୟ ସରକାର କହୁଛନ୍ତି । ହେଲେ ବର୍ଷା ହେଲେ ରାଜ୍ୟ ସଚିବାଳୟ ଓ ବିଧାନସଭା ଅଞ୍ଚଳ ବି ଜଳମଗ୍ନ ହେଉଛି । ଏହା କ’ଣ ଏନ୍‌ଏଚ୍‌ର ପାଖାପାଖି ଅଞ୍ଚଳ? ରାଜ୍ୟ ସରକାରଙ୍କ ଭୁଲ୍‌ ଟାଉନ୍‌ ପ୍ଲାନିଂ ସାଙ୍ଗକୁ ଅସାଧୁ ଉପାୟରେ ବିଲ୍‌ଡରଙ୍କୁ ଡ୍ରେନେଜ୍‌ ବି ଦେଇ ଦେଇଛନ୍ତି । ଏଥିଯୋଗୁ ରାଜଧାନୀରେ ନାଗରିକମାନେ ଡ୍ରେନେଜ୍‌ ସମସ୍ୟା ଭୋଗୁଛନ୍ତି । ରାଜ୍ୟ ସରକାର ପ୍ରକୃତ କଥାକୁ ଲୁଚାଇବା ପାଇଁ ଏନ୍‌ଏଚ୍‌କୁ ଦୋଷ ଦେଉଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଭଦ୍ରକ-ବାଲେଶ୍ୱର ମଧ୍ୟରେ ୬୨ କିମି ରାସ୍ତାର ଉନ୍ନତିକରଣ ସହ ୫ଟି ବଡ଼ ବ୍ରିଜ୍‌, ୨ଟି ଛୋଟ ବ୍ରିଜ୍‌, ୬ଟି ଅଣ୍ଡରପାସ୍‌, ଦୁଇଟି ରେଲୱେ ଓଭରବ୍ରିଜ୍‌ ଓ ୭୨ କିମି ସର୍ଭିସ୍‌ ଲେନ୍‌ ନିର୍ମାଣ ହେବ । ଟାଙ୍ଗୀ-ଭୁବନେଶ୍ୱର ଏନଏଚ୍‌ ଉନ୍ନତିକରଣ ସହ ସହ ଏଥିରେ ୪ଟି ଫ୍ଲାଏ ଓଭର ବ୍ରିଜ୍‌, ୮ଟି ଛୋଟ ବ୍ରିଜ୍‌, ୧୦ଟି ଅଣ୍ଡରପାସ୍‌, ୪୭ କିମି ସର୍ଭିସ୍‌ ରୋଡ୍‌ ଓ ବସ୍‌ ପାର୍କିଂ ପାଇଁ ବି ସୁବିଧା କରାଯିବ ।
ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ଅଧିକରୁ ଅଧିକ ଏନ୍‌ଏଚ୍‌ ନିର୍ମାଣ ହେଉ ବୋଲି ସମସ୍ତେ ଚାହୁଁଛନ୍ତି । ଏଥିରେ ରାଜ୍ୟ ରାଜକୋଷ ଉପରେ ବ୍ୟୟ ବରାଦର ଭାର ବଢ଼ିବ ନାହିଁ । କେନ୍ଦ୍ର ଅନୁଦାନରେ ରାଜ୍ୟର ବିକାଶ ହେବ । ମାତ୍ର ରାଜ୍ୟ ସରକାର ସବୁ କାମରେ ଅସହଯୋଗ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା, ପିଏମ୍‌ କିଷାନ ଯୋଜନା, ସ୍ୱଚ୍ଛ ଭାରତ, ରାସ୍ତା ନିର୍ମାଣରେ ରାଜ୍ୟ ସରକାର ଅସହଯୋଗ କରୁଛନ୍ତି । ଲୋକେ ହଇରାଣ ହେବା ସତ୍ତେ୍ୱ ରାଜ୍ୟର ଶାସକ ଦଳ କେବଳ ରାଜନୀତି କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର