ଧର୍ମେନ୍ଦ୍ରଙ୍କ ଅଭିଯୋଗ: ନିର୍ବାଚନ ପ୍ରତିଶ୍ରୁତି ପୂରଣରେ ମୁଖ୍ୟମନ୍ତ୍ରୀ ଫେଲ

ଭୁବନେଶ୍ୱର,୬ା୩(ବ୍ୟୁରୋ): ୨୦୧୪ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇନି । ମାତ୍ର ମୁଖ୍ୟମନ୍ତ୍ରୀ ଏବେ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ମିଛ କହୁଛନ୍ତି । ଏହା କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଟ୍ରାନ୍‌ସପରେନ୍ସି, ଟେକ୍‌ନୋଲୋଜି ଓ ଟିମ୍‌ୱର୍କରେ ବିଶ୍ୱାସ କରୁଥିବା କହୁଥିବା ବେଳେ ‘କାଳିଆ’ ଯୋଜନାର ହିତାଧିକାରୀଙ୍କ ତାଲିକା ୱେବସାଇଟରୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି, ସମସ୍ତଙ୍କୁ ପକ୍କା ଘର ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦ ବୈଠକରେ କହିଛନ୍ତି । ଗତ ୫ ବର୍ଷରେ ୨୦ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ସେ ଦର୍ଶାଇଥିଲା ବେଳେ ୧୭ ଲକ୍ଷ ଘର କେନ୍ଦ୍ର ପାଣ୍ଠିରେ ହୋଇଛି । ୩୦ ଲକ୍ଷ ଲୋକଙ୍କୁ ଘର ମିଳିନି ବୋଲି ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି । ଗତ ୩ ବର୍ଷ ହେବ ବଜେଟରେ ରାଜ୍ୟ ସରକାର ଗୃହ ନିର୍ମାଣ ପାଇଁ ବଜେଟରେ ପାଣ୍ଠି ବରାଦ କରିନାହାନ୍ତି । ଏପରିକି ଯେଉଁ ପରିବାରର ଜମି ନଥିବ ସରକାର ଘରଡିହ କିଣି ଯୋଗାଇବା ସହ ଘର ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଜାଗା ମିଶନର ଡିଣ୍ଡିମ ସରକାର ପିଟୁଥିଲା ବେଳେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀ ପଟ୍ଟା ମିଳିନି । ଏଥିରୁ ସରକାର ପ୍ରତିଶ୍ରୁତି ପୂରଣରେ କେତେ ସଫଳ ତାହା ଜଳଜଳ ।
ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ପ୍ରତିଶ୍ରୁତି ଦେଇଥିଲେ । ଏବେ ବି ରାଜ୍ୟ ଯୁବପିଢ଼ିର ଏକ ତୃତୀୟାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଶିଳ୍ପାୟନ ଓ ମେକ୍‌ ଇନ୍‌ ଓଡ଼ିଶାର ଡିଣ୍ଡିମ ପିଟାଯାଉଥିଲା ବେଳେ ଶିଳ୍ପାୟନ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ସାମାଜିକ ସୁରକ୍ଷାକୁ ଅଗ୍ରାଧିକାର ମିଳିଛି ବୋଲି ସରକାର କହୁଛନ୍ତି, ମାତ୍ର ୩୦ ବର୍ଷ ବୟସରୁ ଅଧିକ ଅବିବାହିତ, ସ୍ୱାମୀ ପରିତ୍ୟକ୍ତା, ନିରାଶ୍ରୟ ମହିଳାଙ୍କୁ ପେନ୍‌ସନ୍‌ ଦେବାର ବ୍ୟବସ୍ଥା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।
ଜଳସେଚନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମିଛ ତଥ୍ୟ ରଖିଛନ୍ତି । ବଲାଙ୍ଗୀରର ଲୋୟର ସୁକତେଲ, ଅପର କୋଲାବ ଓ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରବାସୀଙ୍କୁ ଜବାବ ଦିଅନ୍ତୁ । କୃଷି ଓ କୃଷକ କଲ୍ୟାଣ ନେଇ ବିଜେଡିର ନିର୍ବାଚନ ଇସ୍ତାହାର ପାଣିର ଗାର ପାଲଟିଛି । ସମବାୟ ବିଭାଗର ମାତ୍ର ୮ଟି ଶୀତଳଭଣ୍ଡାର ଥିଲାବେଳେ ମାତ୍ର ୨୦/୨୨ ଘରୋଇ ଶୀତଳଭଣ୍ଡାର ଅଛି । ଏ ଶୀତଳଭଣ୍ଡାର ମାଲିକମାନେ ପ୍ରୋତ୍ସାହନ ନପାଇ ଆନ୍ଦୋଳନକୁ ମଧ୍ୟ ଓହ୍ଲାଉଛନ୍ତି । ସବୁ ଗାଁକୁ ପାନୀୟ ଜଳ ଯୋଗାଣରେ ମଧ୍ୟ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାର୍ଚ୍ଚ ମାସରେ ୭୦ ଭାଗ ଗାଁ ରେ ପିଇବା ପାଣି ପାଇଁ ମା’ଭଉଣୀମାନେ ହନ୍ତସନ୍ତ ହେଉଛନ୍ତି । ଗ୍ରାମାଞ୍ଚଳରେ ମାତ୍ର ୩% ପରିବାରକୁ ପାଇପ୍‌ରେ ପାନୀୟ ଜଳ ପହଞ୍ଚିଛି ।
କୃଷକଙ୍କ ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଥିଲା ବେଳେ ଲାଭାର୍ଥୀ ସୂଚୀ କୁଆଡ଼େ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ‘କାଳିଆ’ ୱେବସାଇଟରେ କାଳିଆ ଲାଭାର୍ଥୀଙ୍କ ଆବେଦନ ଓ ସରକାରଙ୍କ ୩୬ ଲକ୍ଷ ହିତାଧିକାରୀଙ୍କ ତାଲିକା କୁଆଡ଼େ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ରାଜ୍ୟ ସରକାର ଚାଷୀଙ୍କ ତାଲିକା କାହିଁକି ଦେଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ତୁରନ୍ତ ୪୫ ଲକ୍ଷ ଚାଷୀଙ୍କ ନିର୍ଭୁଲ ତାଲିକା ଦିଲ୍ଲୀ ପଠାଇବାକୁ ସେ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରି ମିଛ ପ୍ରଚାର କରୁଛନ୍ତି । ଓଡ଼ିଆ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦାଉ ସାଧୁଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲା ବେଳେ କୁନ୍ଦୁଲି, ବେବିନା କ’ଣ ପରିବାରର ସଦସ୍ୟ ନୁହନ୍ତି କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମିଛ ପ୍ରଚାର ନକରି ମୁଖ୍ୟମନ୍ତ୍ରୀ ବିତର୍କକୁ ଆସନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ମେସିନ୍‌ ଜାଳି ଚାଷୀଙ୍କୁ ଅପମାନ କରିଛନ୍ତି ବିରୋଧୀ, କୃଷି ବିଲ୍‌ ନେଇ ବିରୋଧୀଙ୍କୁ ମୋଦିଙ୍କ କଡା ଜବାବ

ଦୁର୍ଗା ବେଶରେ ନୁସରତ୍‌ ଜାହାଁ, ମିଳିଲା ହତ୍ୟା ଧମକ

ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଓ ଫ୍ରାଞ୍ଚାଇଜ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଅ: ଯୁବ କଂଗ୍ରେସ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

କରୋନା ଡର ଭିତରେ ବିଧାନସଭା

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ