ଓଡ଼ିଶାକୁ ଲୁଟିଥିବା ବିଜେଡି ସରକାରକୁ ଉଚିତ୍‌ ଜବାବ ମିଳିବ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ଓଡ଼ିଶାକୁ ଲୁଟୁଥିବା ବିଜେଡି ସରକାରକୁ ଏଥର ନିର୍ବାଚନରେ ଉଚିତ୍‌ ଜବାବ ଦିଆଯିବ । ତେବେ ବିଜେଡି ସରକାର ୧୯ ବର୍ଷରେ ଯେତିକି କାମ କରିନାହିଁ, ବିଜେପି କ୍ଷମତାକୁ ଆସିଲେ ୫ ବର୍ଷରେ ତା’ର ୫ ଗୁଣା କାମ କରିବ । ଏକଥା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା, ଯାଜପୁରର ବରୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାସୁଦେବପୁର ଓ ଭଣ୍ଡାରିପୋଖରୀରେ ଆଜି ବିଜେପିର ବିଜୟ ସଂକଳ୍ପ ସଭା ଆୟୋଜିତ ହୋଇଥିଲା । ଏଥିରେ ଉଦ୍‌ବୋଧନ ରଖି ଧର୍ମେନ୍ଦ୍ର କହିଛନ୍ତି, ମୋଦି ସରକାର ଭଦ୍ରକରେ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟେକ୍ସଟାଇଲ ପାର୍କ ନିର୍ମାଣ କରିବାକୁ ଯୋଜନା କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଏଥିପାଇଁ ଖଣ୍ଡେ ଜାଗା ଦେଉନାହାନ୍ତି । ଟେକ୍ସଟାଇଲ ପାର୍କ ନିର୍ମାଣରେ ମୁଖ୍ୟମନ୍ତ୍ରୀ ବାଧକ ସାଜିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବିକୁ ଏ ବିଜେଡି ସରକାର ସୁରକ୍ଷିତ ରଖିପାରୁନାହାନ୍ତି । ଏପଟେ ଦିଲ୍ଲୀ ଶାସନର ଚାବି କାଠି ରଖିବେ ବୋଲି ନବୀନ ବାବୁ କହୁଛନ୍ତି । ଦେଶରେ ଅସ୍ଥିର ସରକାର ଗଠନ ପାଇଁ ନବୀନ ବାବୁ ବାରମ୍ବାର କହୁଛନ୍ତି । ଦିଲ୍ଲୀରେ ଦୃଢ ସରକାର ଗଠନକୁ ଅଟକାଇବା ପାଇଁ ସେ ଚାହୁଁଛନ୍ତି । ରାଜ୍ୟରେ କଂଗ୍ରେସ ଓ ବିଜେଡି ଭିତରେ ଭିତିରିଆ ବୁଝାମଣା ହୋଇଛି । ଭଣ୍ଡାରିପୋଖରୀରେ କଂଗ୍ରେସ ଓ ବିଜେଡିର ଅସାଧୁ ମେଣ୍ଟ ଯୋଗୁ ମ୍ୟାଚ ଫିକ୍ସିଂ ହୋଇଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ଓଡ଼ିଶା ଛାରଖାର ହୋଇଥିଲା । ସେତେବେଳେ ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହିଥିଲେ । ସେ ସମୟରେ ଓଡ଼ିଶାକୁ ଇନ୍ଦିରା ଆବାସରେ ୭ ଲକ୍ଷ ଘର, ୧୨୦୦ କୋଟି ଟଙ୍କାର ଦାୟିତ୍ୱ ଓଡ଼ିଶା ପୁନରୁଦ୍ଧାର ପାଇଁ ବାଜପେୟୀ ନେଇଥିଲେ । ହେଲେ ଆମ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । ୧୯ ବର୍ଷର ଶାସନରେ ରାଜ୍ୟରେ ବିଶୁଦ୍ଧ ପିଇବା ପାଣି ନାହିଁ । ଜଳସେଚନ ନଥିବାରୁ ଚାଷ ଜମି ପଡି଼ଆ ପଡ଼ିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ୨୪ ଘଣ୍ଟା ବିଜୁଳି ନାହି । ଯୁବକ ଯୁବତୀଙ୍କ ପାଇଁ ରୋଜଗାର ନାହିଁ । ୧୯ ବର୍ଷ ଶାସନରେ ମୌଳିକ ସୁବିଧା ନକରି ମୁଖ୍ୟମନ୍ତ୍ରୀ କେଉଁ କଥାରେ ଦମ୍ଭ ଦେଖାଉଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଦାମୋଦର ରାଉତ କୃଷି ମନ୍ତ୍ରୀ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଜଣେ ଅଧିକାରୀଙ୍କୁ ନିଲମ୍ବିତ ବି କରିଥିଲେ । ହେଲେ ଦାମ ବାବୁ ଏହି ପଦକ୍ଷେପ ନେବା ପରେ ପରେ ସେ ମନ୍ତ୍ରୀ ପଦରୁ ବିଦା ହେଲେ । ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ଏପରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଜେଲ୍‌ ପଠାଯିବ ।

ଧର୍ମେନ୍ଦ୍ର କହିଛନ୍ତି, ଗୋପାଳପୁରରରୁ ଦୀଘା ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ବ୍ୟୟରେ ୪୦୦ କିମି କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି । ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ରାଜ୍ୟ ସରକାର ଏହି କାମରେ ଅସହଯୋଗ କରୁଛନ୍ତି । ତେବେ ଏଥର ନିର୍ବାଚନ ସାଂସଦ ଓ ବିଧାୟକ ପାଇଁ ନୁହେଁ, ବରଂ ଏଥର ନିର୍ବାଚନ ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍‌ର ଲଢ଼େଇ । ଓଡ଼ିଆ ସ୍ୱାଭିମାନର ଲଢ଼େଇ । ୧୯ ବର୍ଷ ଶାସନରେ ବିକାଶରେ ପଛରେ ପଡ଼ିଯାଇଛି ଓଡ଼ିଶା । ଏବେ ଓଡ଼ିଶାକୁ ଆଗକୁ ନେବା ପାଇଁ ଡବଲ ଇଂଜିନ୍‌ ସରକାର ଗଠନ କରିବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।