PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଧର୍ମେନ୍ଦ୍ରଙ୍କ ଅଭିଯୋଗ: ଓଡ଼ିଶାର ବିକାଶକୁ ବାଟବଣା କରାଉଛି ବିଜେଡି ସରକାର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକରେ କେଁ ପୂରାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଓଡ଼ିଶାର ବିକାଶକୁ ବାଟବଣା କରାଉଛି । ସେହିଭଳି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜେ ଅପାରଗ, ସ୍ଥାଣୁ, ସମ୍ବେଦନହୀନ, ମିଛୁଆ ଓ ଭ୍ରଷ୍ଟାଚାରୀ । ତାଙ୍କ ମନ ଭିତରେ ଅଛି, ‘ସ୍ୱାମୀ ମରୁ ପଛେ, ସଉତୁଣୀ ବିଧବା ହେଉ’ର ଭାବନା । ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଭାଷାରେ ସମାଲୋଚନା କରିଛନ୍ତି ।
ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ପେଟ୍ରୋଲିୟମ ମନ୍ତ୍ରୀ ଆଜି ରାଜ୍ୟ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ୧,୩୬,୪୧୭ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଆଗେଇ ପାରୁନାହିଁ । ଏପରିକି ଏଥିପାଇଁ ୨୦୧୭ ପରଠାରୁ କେନ୍ଦ୍ର ସରକାର ୬୨ ଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେଥିମଧ୍ୟରୁ ସେ ନିଜେ ୪୪ ଥର ଚିଠି ଲେଖିଛନ୍ତି । କିନ୍ତୁ ଶିଳ୍ପାୟନ ଓ ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାର ନିଦାବିଷ୍ଣୁ ପାଲଟି ଯାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଏବେ ଓଡ଼ିଶାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରର ୫୧,୩୯୫ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥିବା ବେଳେ ସଡ଼କ, ପରିବହନ ଓ ରାଜପଥ କ୍ଷେତ୍ରର ୫୬,୫୬୩ କୋଟି ଟଙ୍କା, ରେଳପଥର ୧୨,୨୮୬ କୋଟି, ଅଣ-ପେଟ୍ରୋଲିୟମ କ୍ଷେତ୍ରର ୧୫,୪୧୩ କୋଟି ଟଙ୍କାର ପ୍ରକଳ୍ପ କାମ ଆଗେଇ ପାରୁନି । ଏହାବାଦ୍‌ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ୫୬୦ କୋଟି ଟଙ୍କା ଓ ପର୍ଯ୍ୟଟନ ଓ ଐତିହ୍ୟ କ୍ଷେତ୍ରର ୨୦୦ କୋଟି ଟଙ୍କାର ଯୋଜନା କାର୍ଯ୍ୟରେ ପରିଣତ ହୋଇପାରୁନି ।
ରାଜ୍ୟରେ ବାଧାପ୍ରାପ୍ତ ହୋଇ ପଡ଼ିରହିଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି, ଆଇଓସିଏଲ୍‌ ନିଜ ପାରାଦୀପ ରିଫାଇନରି ପ୍ରକଳ୍ପକୁ ୨୫ ନିୟୁତ ଟନ୍‌ କ୍ଷମତାକୁ ବଢ଼ାଇବାକୁ ଯୋଜନା ରଖିଛି । ଏଥିପାଇଁ ଏହା ଅତିରିକ୍ତ ୨୨,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । କିନ୍ତୁ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଆବଶ୍ୟକ ୨,୨୯୦ ଏକର ଜମି ଆବଣ୍ଟନ କରୁନଥିବାରୁ ରିଫାଇନରି ସମ୍ପ୍ରସାରଣ କାମ ଅଟକି ରହିଛି ।
ସେ କହିଛନ୍ତି, ତାଙ୍କ ପ୍ରଚେଷ୍ଟା ଯୋଗୁ ତାଇୱାନଭିତ୍ତିକ ସିପିସି କର୍ପୋରେସନ ପାରାଦୀପ ରିଫାଇନରି କମ୍ପେ୍ଲକ୍ସରେ ୪୩,୦୦୦ କୋଟି ଟଙ୍କାର ପେଟ୍ରୋକେମିକାଲ୍‌ ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହ ଦେଖାଇଛି । କିନ୍ତୁ ରାଜ୍ୟ ସରକାର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମି, ଜଳ, ବିଜୁଳି ଓ ପରିବହନ ସୁବିଧା ଯୋଗାଉନାହାନ୍ତି । ଏଣୁ କାମ ଆରମ୍ଭ ହୋଇପାରୁନି ।
ଆଇଓସିଏଲ୍‌ ଦ୍ୱାରା ଭଦ୍ରକରେ ପ୍ରସ୍ତାବିତ ବୟନ ପାର୍କ ପ୍ରକଳ୍ପକୁ ସରକାର ୭୫ ଏକର ଜମି ଦେଉ ନ ଥିବା କାରଣରୁ ୧,୯୭୦ କୋଟିର ଏ ପ୍ରକଳ୍ପ ଅଗ୍ରଗତି କରିପାରୁନି । ଏପଟେ ପାରାଦୀପରେ ଏକ ପ୍ଲାଷ୍ଟିକ୍‌ ପାର୍କ ପାଇଁ ନିଜେ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ ମଧ୍ୟ କେନ୍ଦ୍ରୀୟ ସଂସ୍ଥା ସହ ଯୌଥ ଉଦ୍ୟୋଗ କରୁ ନ ଥିବା କାରଣରୁ ୧୦୬ କୋଟି ଟଙ୍କାର ଏ ପ୍ରକଳ୍ପ ପଡ଼ିରହିଛି । ଏହାବାଦ୍‌ ସରକାରଙ୍କ ଦ୍ୱାରା ଜମି ଯୋଗାଇ ଦିଆଯାଉ ନ ଥିବା କାରଣରୁ ପାରାଦୀପରେ ୧୧,୦୦୦ କୋଟି ଟଙ୍କାର ପେଟ୍‌ କୋକ୍‌ ଗ୍ୟାସିଫିକେସନ୍‌ ପ୍ରକଳ୍ପ, ପିଏକ୍ସ-ପିଟିଏ ପ୍ରକଳ୍ପ, ଚଣ୍ଡିଖୋଲରେ ପ୍ରସ୍ତାବିତ ୬,୫୦୦ କୋଟି ଟଙ୍କାର ଅଶୋଧିତ ତୈଳ ଭଣ୍ଡାର ପ୍ରକଳ୍ପ, ଭୁବନେଶ୍ୱରରେ ଏଲ୍‌ପିଜି ବଟ୍‌ଲିଂ ପ୍ଲାଣ୍ଟ କାମ ବଢ଼ିପାରୁନି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ଅଭିଯୋଗ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଜମି ଆବଣ୍ଟନ, ପରିବେଶ ଓ ସିଆର୍‌ଜେଡ୍‌ ମଞ୍ଜୁରିରେ ବିଳମ୍ବ କାରଣରୁ ରାଜ୍ୟରେ ୧୦,୦୦୦ କୋଟି ଟଙ୍କା ମୂଲ୍ୟର ୪୧୫ କିଲୋମିଟରର ଉପକୂଳ ରାଜପଥ ପ୍ରକଳ୍ପ କାମ ବାଧାପ୍ରାପ୍ତ ହୋଇଛି । ଏପରିକି ଓଡ଼ିଶାରେ ୫,୦୦୦ କିଲୋମିଟରର ରାଜପଥ ସମ୍ପ୍ରସାରଣ ପାଇଁ ସମ୍ଭାବନା ରହିଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ‘ସ୍ୱାମୀ ମରୁ ପଛେ…’ ନୀତି କାରଣରୁ ଏହା ବନ୍ଦ ପଡ଼ିଛି । ଏପରିକି ରାଜ୍ୟର ଜମି ଓ ଜଙ୍ଗଲ ମଞ୍ଜୁରି ଅଭାବରୁ ପ୍ରାୟ ୧୨,୨୮୬ କୋଟି ଟଙ୍କା ମୂଲ୍ୟର ୧,୦୬୦ କିଲୋମିଟରର ରେଳ ପ୍ରକଳ୍ପ କାମ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବରୁଣେଇ ପାହାଡ଼ ପାଦଦେଶରେ ୨୦୦ କୋଟି ଟଙ୍କା ମୂଲ୍ୟର ଏକ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଯୋଜନା କରାଯାଇଛି । ଏଥିପାଇଁ ମାଗଣାରେ ଜମି ଯୋଗାଇ ଦିଆଯିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଏ ସ୍ମାରକୀ ପାଇଁ ଜମି ଯୋଗାଇବାରେ ସରକାର ଜାଣିଶୁଣି ବିଳମ୍ବ କରୁଥିବାରୁ ଏହା ବାସ୍ତବ ରୂପ ନେଇପାରୁନି । ସ୍ୱଚ୍ଛ ଭାରତ ମିସନ ପାଇଁ କେନ୍ଦ୍ର ରଖିଥିବା ଲକ୍ଷ୍ୟ ପୂରଣରେ ଓଡ଼ିଶା ନିଜ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ବହୁ ପଛରେ ପଡ଼ିଛି । ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ଛତିଶଗଡ଼ର ୧୦୦% ଘରେ ଟଏଲେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାରେ ଏ ହାର ମାତ୍ର ୮୨.୪୫% । ଏପରିକି ପଶ୍ଚିମବଙ୍ଗରେ ୯୯.୭୬% ଘରେ ଟଏଲେଟ୍‌ ଅଛି । ଗ୍ରାମୀଣ ବିଦ୍ୟୁତୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ମୋଟ୍‌ ୮,୦୭୭ କୋଟି ଟଙ୍କାର ସବ୍‌ସିଡି ଆବଣ୍ଟନ କରିଛନ୍ତି । କିନ୍ତୁ ଓଡ଼ିଶା ଏ ଅର୍ଥକୁ ଦକ୍ଷ ଭାବେ ବିନିଯୋଗ କରିପାରୁନି । ସୌଭାଗ୍ୟ ଯୋଜନାରେ ମିଳିଥିବା ୫୦୯ କୋଟି ଟଙ୍କାରୁ ୨୦୧୮ ଡିସେମ୍ବର ସୁଦ୍ଧା କେବଳ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଅଧୀନରେ ଓଡ଼ିଶା ଦେଶର ସର୍ବାଧିକ ଅର୍ଥାତ ୬,୪୩୮ କୋଟି ଟଙ୍କା ପାଣ୍ଠି ପାଇଛି । କିନ୍ତୁ ରାଜ୍ୟ ସେଥିମଧ୍ୟରୁ କେବଳ ୧୫% (୧,୦୧୧ କୋଟି) ଟଙ୍କା ଖର୍ଚ୍ଚ କରିବାରେ ସମର୍ଥ ହୋଇପାରିଛି । ଏଥିରୁ ରାଜ୍ୟର ବିକାଶ ପାଇଁ ନବୀନ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହେଉଛି ବୋଲି କହି ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି । ଗତ ସାଢ଼େ ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ପାଇଁ ଗ୍ରହଣ କରିଥିବା ପଦକ୍ଷେପକୁ ଓଡ଼ିଆ ଲୋକେ ଜାଣିପାରିଛନ୍ତି । ସେମାନେ ମୋଦିଙ୍କୁ ଭଲ ପାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ସେମାନଙ୍କ ଭଲ ପାଇବା ବଢ଼ିବାରେ ଲାଗିଛି । ଏଣୁ ନବୀନ ସରକାର ଯେତେ ଚେଷ୍ଟା କଲେ ବି ମୋଦିଙ୍କ ପ୍ରତି ଓଡ଼ିଆଙ୍କ ଭଲପାଇବାକୁ ରୋକି ପାରିବେ ନାହିଁ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ।