ଧର୍ମେନ୍ଦ୍ରଙ୍କ ସମାଲୋଚନା: ‘ମୋଦି’, ‘ପରିବର୍ତ୍ତନ’ ଶବ୍ଦକୁ ଡରୁଛି ବିଜେଡି

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଓଡି଼ଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି । ପାଦତଳୁ ମାଟି ଖସିଲେ ଏ ପ୍ରକାର ହତାଶର ମନ୍ତବ୍ୟ ଆସେ । ଏହା ବିଜେଡିର ୧୯ ବର୍ଷ ଶାସନ ଅହଙ୍କାରର ପ୍ରତିଫଳନ । ବାସ୍ତବରେ ‘ମୋଦି’ ଏବଂ ‘ପରିବର୍ତ୍ତନ’ ଶବ୍ଦକୁ ବିଜେଡି ଡରୁଛି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଏଭଳି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ବିଜେଡିକୁ କଟାକ୍ଷ କରି କହିଛନ୍ତି, ନବୀନ ଯଦି ଓଡ଼ିଶାର ପରିଚୟ ତା’ହେଲେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜ, ମା’ ସମଲେଶ୍ୱରୀ, ଧର୍ମପଦ, ଚାଖି ଖୁଣ୍ଟିଆଙ୍କ ବଳିଦାନ, ଚିଲିକା ହ୍ରଦ, ସମୁଦ୍ର କୂଳ, କୋଣାର୍କ ମନ୍ଦିର, ସମ୍ବଲପୁର ଶାଢ଼ୀ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ୭୦ ଦଶକରେ କଂଗ୍ରେସ ଏକଛତ୍ରବାଦୀ ଶାସନ ଲାଗୁ କରିବା ସମୟରେ କଂଗ୍ରେସର ତତ୍କାଳୀନ ସଭାପତି ଦେବକାନ୍ତ ବୋରୁଆ, ଇନ୍ଦିରା ଇଜ୍‌ ଇଣ୍ଡିଆ, ଇଣ୍ଡିଆ ଇଜ୍‌ ଇନ୍ଦିରା’ମନ୍ତବ୍ୟ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ତାଙ୍କର ସ୍ୱେଚ୍ଛାଚାରିତା ଓ ଏକଚାଟିଆ ମନୋବୃତ୍ତିକୁ ପଦାରେ ପକାଇଛି । ରାଜ୍ୟବାସୀ ଏହାକୁ ଜାଣିଗଲେଣି । ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆର ଭାବାବେଗକୁ ବୁଝିପାରୁନଥିବା ଲୋକଙ୍କୁ ଲୋକେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେଡି ପାଖରେ ୧୯ ବର୍ଷର ସ୍ଥାୟୀ ଓ ନିର୍ଣ୍ଣାୟକ ସରକାରର ଦାୟିତ୍ୱ ଥିଲା । ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଗରିବ ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ସଦିଚ୍ଛା ନଥିବାରୁ ଓଡ଼ିଶା ପଛରେ ପଡ଼ିଛି । ଶିଶୁ ମୃତ୍ୟୁ ହାର, ଦାରିଦ୍ର‌୍ୟ ଓ କୁପୋଷଣ ମାନକରେ ଓଡ଼ିଶା ତଳ ଆଡୁ ଏକ ନମ୍ବର ଓ ଦୁଇ ନମ୍ବରରେ ରହୁଛି । ଏତେ ସମୟ ଦାୟିତ୍ୱରେ ରହିବା ପରେ ବି ରାଜ୍ୟ ସରକାର ଓଡି଼ଆ ଲୋକଙ୍କୁ ଠକିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ମୋଦି ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ୨୯ ଟଙ୍କା ଦେଇ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଉପଲବ୍ଧ କରାଇଲେ । ଏଥିରେ ନବୀନ ବାବୁ ୨୩ ଲକ୍ଷ ଲୋକଙ୍କୁ ଯୋଡି଼ଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ କଥା କହୁଛନ୍ତି । ୧୯ ବର୍ଷର ଶାସନ ବିଫଳ ହୋଇଥିବାରୁ ରାଜ୍ୟରେ ଦାରିଦ୍ର‌୍ୟ କମିବା ପରିବର୍ତ୍ତେର୍ ବଢ଼ିଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକ ଯୋଡ଼ା ହେଉଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ୨୯ ମାର୍ଚ୍ଚରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ୧୧୭ଟି ଜନସଭାକୁ ସମ୍ବୋଧିତ କରିବା ପାଇଁ ୧୧୭ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ଗସ୍ତ କରିଛନ୍ତି । ନିର୍ବାଚନରେ ମୋଦିଙ୍କଠାରୁ ବୁଥ୍‌ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ାଯାଇଛି । କେନ୍ଦ୍ରାପଡ଼ାରେ ବିଜେଡି ଗୁଣ୍ଡାରାଜ ଓ ଆତଙ୍କ ସୃଷ୍ଟି କରିଛି । ଏଥର କେନ୍ଦ୍ରାପଡ଼ା ନିର୍ବାଚନ ଓଡ଼ିଶା ନିର୍ବାଚନରେ ନୂଆ ଅଧ୍ୟାୟ ତିଆରି କରିବ । ମୋଦିଙ୍କୁ ଓଡ଼ିଆ ଲୋକେ ଆଶୀର୍ବାଦ କରି ରାଜ୍ୟରେ ବିଜେପି ସରକାର ହେବ ବୋଲି ସେ କହିଛନ୍ତି । ରାଜ୍ୟର ତିନୋଟି ନିର୍ବାଚନ ପର୍ଯ୍ୟାୟରେ ୭୦%ରୁ ଅଧିକ ଲୋକେ ଭୋଟ୍‌ ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ନୂଆପିଢ଼ି, ଯୁବପିଢ଼ି, ମହିଳା, ଆଦିବାସୀ, ଦଳିତ, ଗରିବ ଶେଣୀର ଲୋକେ ଭୋଟ୍‌ ଦାନରେ ସାମିଲ ହୁଅନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ରାଜ୍ୟରେ ବାକି ପଡ଼ିଛି ୩୯୩୬ କୋଟିର ଜଳ କର

ବଦଳିଲା ୨ ସ୍ୱତନ୍ତ୍ର ଟ୍ରେନ୍‌ର ଚଳାଚଳ ସମୟ: ଡିସେମ୍ବର ୧ରୁ ହାଓଡା-ସିକନ୍ଦରାବାଦ, ବିଶାଖାପାଟଣା-ବିଜୟୱାଡା ଚାଲିବ

ଟ୍ୱିନ୍‌ ସିଟି ଏନ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ: ନିୟମ ଭାଙ୍ଗିଲେ ଧରିବ ସିସିଟିଭି ଓ ଇଣ୍ଟରସେପ୍ଟର, ଘରରକୁ ପଠାଯିବ ଇ-ଚାଲାଣ