PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ବିଜେଡିକୁ ଧର୍ମେନ୍ଦ୍ରଙ୍କ ଭର୍ତ୍ସନା, ମହିଳା ଅସମ୍ମାନକାରୀ ଏବେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାର ମୁଖ୍ୟ ଅଭିଯୁକ୍ତମାନେ ଶାସକ ଦଳର ବଡ଼ ପଣ୍ଡା ସାଜିଛନ୍ତି । ବେବିନା ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସୁରକ୍ଷାକାରୀଙ୍କୁ ନିର୍ବାଚନ ଲଢ଼ିବାକୁ ପୁଣି ଥରେ ଟିକେଟ୍‌ ମିଳିଛି । ମହିଳାଙ୍କୁ ଅସମ୍ମାନ କରିଥିବା ଅନନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ । ରାଜ୍ୟରେ ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ସେମାନେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଏଭଳି ଭର୍ତ୍ସନା କରିଛନ୍ତି ।

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ଦଶପଲ୍ଲାଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦମ୍ରନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟରେ ବିଜେପି ସରକାର ହେଲେ ଛବି ବର୍ଦ୍ଧନ ହତ୍ୟାକାଣ୍ଡ ମାମଲାର ପୁନଃ ଅନୁସନ୍ଧାନ କରାଯିବ । ଦୋଷୀ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ତାକୁ ଜେଲ୍ ପଠାଯିବ । ମୁଖ୍ୟମନ୍ତ୍ରୀଙ୍କୁ ସିଧା ଆକ୍ରମଣ କରି ଧର୍ମେନ୍ଦ୍ର କହିଥିଲେ, ଓଡ଼ିଆ ଲୋକଙ୍କ ମୁଣ୍ଡ ଉପରେ ନବୀନ ବାବୁ ଏକ ଲକ୍ଷ କୋଟି ଟଙ୍କା ରଣ ଭାର ଲଦି ସାରିଲେଣି । ଓଡିଆ ଲୋକଙ୍କ ପଇସାରେ ମଉଜ ମସ୍ତି କରିବାରେ ସାମିଲ ହୋଇଛନ୍ତି କିଛି ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ଅଫିସର । ଓଡି଼ଶାବାସୀ ଏଥର ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହୁଛନ୍ତି ଦେଶରେ ଅସ୍ଥିର ସରକାର ହେବ ଓ ସରକାର ଗଠନର ଚାବି ମୋ ପାଖରେ ରହିବ । ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜାଇଦେଲେ । ହେଲେ ଏପଟେ ସେ ଦିଲ୍ଲୀ ଯାଇ ଦେଶର ଚାବି କିପରି ରଖିବେ ବୋଲି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କନ୍ଧମାଳ ଜିଲ୍ଲାର ହଳଦୀକୁ ଜିଆଇ ଟ୍ୟାଗ୍‌ ମିଳିଛି । ଏଠାକାର ହଳଦୀ ବିଶ୍ୱପ୍ରସିଦ୍ଧ । କନ୍ଧମାଳର ଏତେ ତାକତ୍‌ ଅଛି ଯେ ଏଠାରେ ହଳଦୀର ଉଦ୍ୟୋଗ ତିଆରି ହେଲେ ଓଡ଼ିଶାର ଅଧା ଲୋକେ ରୋଜଗାର ପାଇବେ । ମାତ୍ର ଏଠାକାର ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି । ଓଡ଼ିଶାରେ ମୋଦିଙ୍କ ଡବଲ ଇଞ୍ଜିନ୍‌ର ସରକାର ହେଲେ କୃଷି ଉଦ୍ୟୋଗ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ସବୁ ଯୁବକଙ୍କୁ ସ୍ୱରୋଜଗାର କରାଯିବ ।

୧୯ ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳରେ ପିଇବା ପାଣି ନାହିଁ । ଶିକ୍ଷକ ଓ ଡାକ୍ତର ନାହାଁନ୍ତି । ଜଳସେଚନର ସୁବ୍ୟବସ୍ଥା ନାହିଁ । ଚାଷୀ ଧାନର ଠିକ୍‌ ମୂଲ୍ୟ ପାଉନି । ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଏଣୁ ଏଠାରେ ପରିବର୍ତ୍ତର୍ନର ଆବଶ୍ୟକତା ରହିଛି ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । କାଳିଆ ଯୋଜନାରେ ଲାଭାର୍ଥୀଙ୍କ ତାଲିକା ନାହିଁ । ଲାଭ ପାଇବାକୁ ଥିବା ଲୋକଙ୍କ ନାଁ ନାହିଁ । ବଜେଟରେ ଟଙ୍କାର ବ୍ୟବସ୍ଥା ନାହିଁ । ଖାଲି ବିଜ୍ଞାପନ ଓ ଭାଷଣରେ ନବୀନ ବାବୁଙ୍କ କାଳିଆ ଅଛି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରି କହିଛନ୍ତି ।

ସମ୍ବନ୍ଧିତ ଖବର