ତାଳଚେର ମେଡିକାଲ କଲେଜର ଏକାଡେମିକ୍ ବ୍ଲକ୍ ଉଦ୍ଘାଟିତ, ରାଜ୍ୟ ବୈମାତୃକ ମନୋଭାବ ପୋଷଣ କରୁଛି: ଧର୍ମେନ୍ଦ୍ର

ତାଳଚେର,୫ା୩(ଆପ୍ର): ମହାନଦୀ କୋଲ୍ ଫିଲଡ୍ସ ଲିମିଟେଡ୍ (ଏମ୍ସିଏଲ୍) ଦ୍ୱାରା ନିର୍ମିତ ତାଳଚେର ମେଡିକାଲ୍ କଲେଜ (ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ)ର ନୂତନ କୋଠା ତଥା ଏକାଡେମିକ୍ ବ୍ଲକ୍ ମଙ୍ଗଳବାର ଲୋକାର୍ପିତ ହୋଇଛି । ଅପରାହ୍ଣରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆ କୋଠାକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ମେଡିକାଲ୍ କଲେଜ ପରିସରରେ କ୍ୟାନ୍ସର ୟୁନିଟ୍ ତଥା ତାଳଚେର ରେଳ ଷ୍ଟେସନର ସଞ୍ଚାର କ୍ଷେତ୍ରରେ ପୂର୍ବ ନିର୍ମିତ ଶୌଚାଳୟ ସମୂହ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ସମ୍ବାଧିତ କରି କହିଛନ୍ତି, କୌଣସି କର୍ପୋରେଟ୍ ସେକ୍ଟର ଦ୍ୱାରା ସିଏସ୍ଆର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଏପରି ପୁଞ୍ଜି ବିନିଯୋଗ ଅନନ୍ୟ । ମେଡିକାଲ୍ କଲେଜ ଗୃହ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଏମ୍ସିଆଇକୁ ଆବେଦନ ନକରିବା ଦୁର୍ଭାଗ୍ୟଜନକ । ଏହା ତାଳଚେରବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପରିଚୟ ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିଥିଲେ । ତାଳଚେର ମେଡିକାଲ୍ କଲେଜର ପରିଚାଳନା ନେଇ ୨୦୧୫ ମସିହାରେ ଏମ୍ସିଏଲ୍ ପକ୍ଷରୁ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇ ଦିଆଯାଇଥିଲା ବେଳେ ଆଜି ସୁଦ୍ଧା ଏମ୍ସିଆଇକୁ ଆବେଦନ ସୁଦ୍ଧା କରାଯାଇ ପାରିନାହିଁ । ଏଥିରୁ ସରକାରଙ୍କ ଆନ୍ତରିକତା ନଥିବା ତଥା ତାଳଚେରବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ । ୨୦୧୯-୨୦ରୁ କଲେଜରେ ନାମଲେଖା ପାଇଁ ଯୋଜନା ରହିଥିଲା ଓ ଏନେଇ ଏମ୍ସିଏଲ୍ ପକ୍ଷରୁ ଏମ୍ସିଆଇକୁ ଦରଖାସ୍ତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଏନ୍ଓସି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏସେନ୍ସିଆଲ୍ ସାର୍ଟିଫିକେଟ୍ ଦେବେ ବୋଲି କହି ଅନୁମୋଦନ ପାଇଁ ଅକ୍ଟୋବର ମାସରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ୍ ପଠାଇଥିଲେ ମଧ୍ୟ ଜାଣିଶୁଣି ଏହାକୁ ଚପାଇ ରଖାଯାଇଛି । ଯେଉଁଥିପାଇଁ ଏମ୍ସିଆଇ ଆଜି ପର୍ଯ୍ୟନ୍ତ ମେଡ଼ିକାଲ୍ କଲେଜ ପରିଦର୍ଶନରେ ଆସିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ । ଜାଣିଶୁଣି ରାଜ୍ୟ ସରକାର ଯଦି ଏପରି କରୁଥାନ୍ତି, ଏମ୍ସିଏଲ୍ ପକ୍ଷରୁ ଏହି ମେଡିକାଲ୍ କଲେଜକୁ ଚଳାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚାଇଥିଲେ ।
ରାଜ୍ୟରେ ପୁଲିସ ସୁରକ୍ଷା ବ୍ୟବସ୍ଥା ନେଇ ତୀବ୍ର ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସହିଦ୍ନଗର ଥାନାରେ ନିକଟରେ ପୁଲିସ ଉପରେ ଆକ୍ରମଣ ଘଟଣାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାରେ ଯେଉଁଠି ପୁଲିସ ନିଜେ ସୁରକ୍ଷିତ ନୁହଁ, ସେଠି ଜନସାଧାରଣ କି ଏମ୍ସିଏଲ୍ ଅଧିକାରୀମାନେ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଥିଲେ । ପୂର୍ବରୁ ସିଏସ୍ଆର ଅର୍ଥ ଓ ଜିଲ୍ଲା ଖଣିଜ ପାଣ୍ଠି ବାହାରେ ଖର୍ଚ୍ଚ ହେଉଥିଲା ବେଳେ ଏବେ ଏହା ଖଣି ଖାଦାନ ଅଞ୍ଚଳରେ ଖର୍ଚ୍ଚ କରାଯିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଅନୁଗୁଳ ଜିଲ୍ଲାରେ ଡିଏମ୍ଏଫ୍ରେ ୯୦୦ କୋଟି ଟଙ୍କା ରହିଥିଲା ବେଳେ ପାନୀୟ ଜଳ, ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ଆସିଲା ନାହିଁ କି ଗରିବଙ୍କୁ ରୋଜଗାର ବ୍ୟବସ୍ଥା ହୋଇପାରିନାହିଁ । କେବଳ ତାଳଚେର ନୁହେଁ, ଜିଲ୍ଲା ତଥା ରାଜ୍ୟର ପ୍ରଗତି କ୍ଷେତ୍ରରେ ଏମ୍ସିଏଲ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେଣୁ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆସିଲେ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ । ତାଳଚେର ମେଡିକାଲ୍ କଲେଜର ସିଟ୍ ସଂଖ୍ୟା ୧୦୦ରୁ ୨୦୦କୁ ବୃଦ୍ଧି ସହ ଜାତୀୟ ସ୍ତରରେ ଏକ ଶ୍ରେଷ୍ଠ ମେଡିକାଲ୍ କଲେଜରେ ପରିଣତ କରାଯାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ତାଳଚେର ରେଳ ଷ୍ଟେସନର ଆଧୁନିକୀକରଣ କରାଯିବା ସହିତ ତାଳଚେର ଷ୍ଟେସନ ଦେଇ ସମ୍ବଲପୁର-ହାୱଡା ଯାତ୍ରୀବାହୀ ଟ୍ରେନ୍ ସପ୍ତାହକୁ ଚାରି ଦିନ ଚାଲିବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଏମ୍ସିଏଲ୍ର ନିର୍ଦ୍ଦେଶକ ଓ. ପି. ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ଲୀଳାନନ୍ଦ ମିଶ୍ର ଧନ୍ୟବାଦ ଦେଇଥିଲେ । ଏମ୍ସିଏଲ୍ ମହାପ୍ରବନ୍ଧକ ଏମ୍.ଜି. ବ୍ରହ୍ମପୁରକର, ଆର୍.ଭି. ରିଙ୍ଗେ, ମୁରାରୀ ପ୍ରସାଦ ମିଶ୍ର, ପି.ବି. ରେଡ୍ଡୀ, ଏମ୍ସିଏଲ୍ର ଚିଫ୍ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଡାକ୍ତର ବିଜୟ କୁମାର ସାମଲଙ୍କ ସମେତ ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ବରିଷ୍ଠ ପଦାଧିକାରୀ, ଜେବିସିସିଆଇ ସଦସ୍ୟ, ଶ୍ରମିକ ସଂଗଠନର କର୍ମକର୍ତ୍ତା, ଖଣି ଶ୍ରମିକ ଏବଂ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।