PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବିଜେଡିର ହ୍ୟାଟ୍ରିକ୍‌ ରାସ୍ତାରେ ବିଜେପି କଣ୍ଟା!

ଢେଙ୍କାନାଳ ଲୋକସଭା କ୍ଷେତ୍ରର ଅନ୍ୟତମ ପ୍ରମୁଖ ବିଧାନସଭା କ୍ଷେତ୍ର ପରଜଙ୍ଗ । ୨୦୧୯ ଲୋକସଭା ଓ ବିଧାନସଭା ପାଇଁ ଏକସାଙ୍ଗରେ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ରାଜ୍ୟବ୍ୟାପୀ ଯେଭଳି ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ସେଇ ଦୋ÷ଡ଼ରେ ଏହି ନିର୍ବାଚନମଣ୍ଡଳୀ ବି ସାମିଲ ହୋଇଛି । ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା, କେଉଁ ଦଳରୁ କାହାକୁ ଟିକେଟ୍‌ ମିଳିବ ସେସବୁ ନେଇ ଚାଲିଛି ଅଙ୍କକଷା । ଗତଥର ଭଳି ଏଥର ବି ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

ପରଜଙ୍ଗ ବ୍ଲକ୍‌ର ୨୯, କଙ୍କଡ଼ାହାଡ଼ ବ୍ଲକ୍‌ର ୨୧ ଓ କାମାକ୍ଷାନଗର ବ୍ଲକ୍‌ର ୬ଟି ପଞ୍ଚାୟତକୁ ନେଇ ୫୮ ନମ୍ବର ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ । ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ନିର୍ବାଚନମଣ୍ଡଳୀର ଅନେକ ଅଂଶ ପାଲଲହଡ଼ାରେ ସାମିଲ ହୋଇଥିଲା । ୨୦୦୯ ସୀମା ପୁନଃନିର୍ଦ୍ଧାରଣରେ ପରଜଙ୍ଗ ନୂତନ ନିର୍ବାଚନମଣ୍ଡଳୀର ମାନ୍ୟତା ପାଇଥିଲା । ଗତ ଦୁଇଟି ନିର୍ବାଚନରେ ଏଠାରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିଥିଲା । ବିଜେଡିରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ପରଜଙ୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି । ପୂର୍ବରୁ ଡା. ସାହୁ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ଜନତା ଦଳ ଟିକଟ୍‌ରୁ ବିଜୟୀ ହୋଇ ୧୯୯୦ରୁ ୧୯୯୫ ବିଧାୟକ ରହିଥିଲେ । ପରେ ଜନତା ଦଳ ଛାଡ଼ି ‘ହାତ’ ଧରିଥିଲେ ଏବଂ ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଜିଣି ୨୦୦୯ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ସେ ବିଜେଡିକୁ ଫେରିଥିଲେ । ପରଜଙ୍ଗରେ ଡା. ସାହୁ ବିଜେଡି ସ୍ଥିତି ଜାହିର କରିଥିଲେ ହେଁ ଭୋଟ୍‌ ହାର ସେତେଟା ପ୍ରଭାବୀ ନଥିବା ପରିଲକ୍ଷିତ ହୋଇଛି ।

ବିଜେପିରୁ ଜିଲ୍ଲା ସଭାପତି ବିଭୁତି ଭୂଷଣ ପ୍ରଧାନ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇ ଥର ଯାକ ପରାଜିତ ହୋଇଛନ୍ତି । ଏଥର ବି ସେ ବିଜେପି ଟିକେଟ୍‌ରେ ମଇଦାନକୁ ଓହ୍ଲାଇବା ନିଶ୍ଚିତ ବୋଲି ସମର୍ଥକ ଆଶାବାଦୀ ଅଛନ୍ତି । ଗତ ନିର୍ବାଚନରେ ବିଭୁତି ମାତ୍ର ୩୦୪୬ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ବିଜେପି ଗଡ଼ ଦଖଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । ୨୦୦୯ରେ ବି ମାତ୍ର ୫୧୯୩ ଭୋଟ୍‌ରେ ବିଭୁତିଙ୍କଠାରୁ ବିଜେଡି ପ୍ରାର୍ଥୀ ଡା. ସାହୁ ବିଜୟୀ ହୋଇଥିଲେ । ଗତ ଦୁଇ ଦୁଇଟି ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହୋଇଛି । ଡାକ୍ତର ସାହୁ ଦ୍ୱିତୀୟ ପାଳିରେ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ପଡ଼ୋଶୀ କାମାକ୍ଷାନଗର ଓ ପରଜଙ୍ଗର ଦୁଇ ବିଧାୟକଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ସେତେବେଳେ ଦଳୀୟ ବିଧାୟକ ମହଲରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପରଜଙ୍ଗରେ ବିଜେପିର ଶକ୍ତି ବୃଦ୍ଧି ପାଉଥିବା ସହ ସେ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ଥିବାରୁ ତାଙ୍କୁ ଚେକ୍‌ ଦେବାକୁ ଡାକ୍ତର ସାହୁଙ୍କୁ ମନ୍ତ୍ରୀପଦରେ ଅବସ୍ଥାପିତ କରାଯାଇଥିବା ସେତେବେଳେ ଚର୍ଚା ହୋଇଥିଲା । ଡାକ୍ତର ସାହୁ ମନ୍ତ୍ରୀ ହୋଇଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ଯଦିଓ ହ୍ରାସ ପାଇନାହିଁ ତଥାପି ତାଙ୍କ ଭୋଟ ବ୍ୟାଙ୍କ ହ୍ରାସ ପାଇଥିବା କୁହାଯାଉଛି ।

ବିଜେପି କିନ୍ତୁ ଗତ ଦୁଇ ଥରର ପରାଜୟ ଗ୍ଲାନିକୁ ସହଜରେ ହଜମ କରିପାରି ନାହିଁ । ବିଜେଡିକୁ ହ୍ୟାଟ୍ରିକ କରାଇ ନ ଦେବାକୁ ଚଳିତ ନିର୍ବାଚନରେ ବିଜେପି ସ୍ୱତନ୍ତ୍ର ରଣକୌଶଳ ଜାରି ରଖିଛି । ଔପଚାରିକ ଭାବେ ବିଜେପି ବିଭୁତିଙ୍କୁ ପ୍ରାର୍ଥୀ ଘୋଷଣା କରି ନ ଥିଲେ ହେଁ ଅନ୍ୟ କୌଣସି ଦଳୀୟ ନେତା ଟିକେଟ୍‌ ପାଇଁ ଅଣ୍ଟା ଭିଡ଼ି ନଥିବା ଜଣାଯାଇଛି । କଂଗ୍ରେସର ଚିତ୍ର ଏଥର ଭିନ୍ନ । ଏକାଧିକ ଆଶାୟୀ ଟିକେଟ୍‌ ଦୌଡ଼ରେ ଅଛନ୍ତି । ଗତଥର ପ୍ରାର୍ଥୀ ସନ୍ତୋଷ କୁମାର ରାଉତଙ୍କ ସମେତ ଆଇନ୍‌ଜୀବୀ ରମେଶ ଚନ୍ଦ୍ର ବେହେରା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ବିମଳ କୁମାର ବେହେରା ଲବି ଜାରି ରଖିଛନ୍ତି । ଯଦି ମହିଳାଙ୍କୁ ହିସାବ ନିଆଯାଏ ତେବେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ଯଶସ୍ୱିନୀ ରାଉତ କଂଗ୍ରେସ ଟିକେଟ୍‌ ପାଇବାକୁ ଆଶା ବାନ୍ଧିଛନ୍ତି । ପରଜଙ୍ଗ ନିର୍ବାଚନମଣ୍ଡଳୀରେ କଙ୍କଡ଼ାହାଡ଼ ବ୍ଲକ୍‌ର ଭୋଟ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ସେହି ଅଞ୍ଚଳ ଦୁର୍ଗମ ତଥା ଜନଜାତିର ଲୋକଙ୍କ ସଂଖ୍ୟା ଅଧିକ । ସେମାନଙ୍କ ଭୋଟକୁ ଯିଏ ହାତେଇ ପାରିବ ତା’ ସପକ୍ଷରେ ଫଳାଫଳ ରହିବ । ତେଣୁ ବିଜେପି, ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ଅଧିକାଂଶ ସମୟ ସେହି ଅଞ୍ଚଳରେ ବିତାଉଥିବା ଦେଖିବାକୁ ମିଳିଛି ।

ବିଜେପି ନେତା ବିଭୁତିଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଲୋକମାନଙ୍କର ଜୀବନ ଜୀବିକାରେ ଉନ୍ନତି ଆଶାନୁରୂପ ହୋଇପାରି ନାହିଁ । ଅଧିକାଂଶ ଲୋକ ଚାଷୀ, ଅଥଚ ଜଳସେଚନ ସୁବିଧା ନାହିଁ । ପାନୀୟ ଜଳ ସମସ୍ୟା ଲାଗି ରହିଛି । ଡାକ୍ତରଖାନାରେ ଡାକ୍ତର ମରୁଡ଼ି । ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି, ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନାହାନ୍ତି । ପରଜଙ୍ଗକୁ ଏନ୍‌ଏସି କରିବା ପ୍ରତିଶ୍ରୁତି ସରକାର ଭୁଲି ଯାଇଛନ୍ତି ।
କଂଗ୍ରେସ ନେତା ସନ୍ତୋଷ କୁମାର ରାଉତ କହିଛନ୍ତି ଯେ, ବିଧାୟକ ଜଣେ ଡାକ୍ତର ହୋଇ ସୁଦ୍ଧା ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଥିବା ମେଡିକାଲ ଗୁଡ଼ିକରେ ଡାକ୍ତର କି କର୍ମଚାରୀ ନାହାନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ବି କଙ୍କଡାହାଡ଼ ବ୍ଲକ୍‌ରେ ଲୋକେ ନାଳ ପାର ହୋଇ ଯାଆସ କରୁଛନ୍ତି. ସବୁଦିନିଆ ରାସ୍ତା ସାତସପନ ପାଲଟିଛି । ଯେଉଁଠି ରାସ୍ତାଘାଟ କାମ ହୋଇଛି ବର୍ଷେ ବି ଯାଇନି, ମରାମତି ଲୋଡୁଛି । ପରଜଙ୍ଗ ଛକଠାରୁ ପରଜଙ୍ଗ ବ୍ଲକ୍‌ ରାସ୍ତାରେ କେତେ ଦୁର୍ନୀତି ହୋଇ ବିଧାୟକଙ୍କୁ ଭଲଭାବେ ଜଣା ।

ବିଧାୟକ ଡାକ୍ତର ସାହୁ କିନ୍ତୁ କହିଛନ୍ତି ଯେ ପରଜଙ୍ଗ ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରାଯାଇଛି । ଗମନାଗମନ ସୁବିଧା ପାଇଁ ପ୍ରାୟ ୨ ଶହ କୋଟି ଟଙ୍କା ବିନିମୟରେ ରାସ୍ତା ନିର୍ମାଣ, ୭୩ କୋଟି ଟଙ୍କା ବ୍ୟୟରେ ଜଳସେଚନ ବ୍ୟବସ୍ଥା, ଶିକ୍ଷା ପାଇଁ ଆବଶ୍ୟକ ଭିତ୍ତିଭୂମି, ସ୍ୱାସ୍ଥ୍ୟ ପାଇଁ ଉନ୍ନତମାନର ଗୃହ ସହ ଅତ୍ୟାଧୁନିକ ସରଞ୍ଜାମ ଯୋଗାଇ ଦିଆଯାଇଛି । ଗାଁର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା, କଂକ୍ରିଟ୍‌ ରାସ୍ତା, ବିଜୁଳି, ସ୍କୁଲ, ପକ୍କାଘର, ଆଇଟିଆଇ, ଆଦର୍ଶ ବିଦ୍ୟାଳୟ, ଗ୍ରୀଡ୍‌ର ବ୍ୟବସ୍ଥା ଆଦି ଅନେକ ଯୋଜନା ହାତକୁ ନିଆଯାଇଛି ।