ଢେଙ୍କାନାଳ: କାଲି ଭୋଟ୍, ବୁଥ୍ରେ ପହଞ୍ଚିଲେ ପୋଲିଂ ପାର୍ଟି

ଢେଙ୍କାନାଳ,୨୧ା୪(ଆପ୍ର): ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୩ ତାରିଖ ମଙ୍ଗଳବାର ଭୋଟ୍ ଗ୍ରହଣ କରାଯିବ । ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ସଂଧ୍ୟା ୬ଟା ପରେ ନିର୍ବାଚନୀ ପ୍ରଚାର ଉପରେ ଅଙ୍କୁଶ ଲାଗିଛି । ସମସ୍ତ ୪ଟି ଯାକ ବିଧାନସଭା ଓ ଗୋଟିଏ ଲୋକସଭା ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ କର୍ମଚାରୀମାନେ ସେମାନଙ୍କ ବୁଥ୍କୁ ଯାଇଛନ୍ତି । ରାତି ୮ଟା ସୁଦ୍ଧା ଢେଙ୍କାନାଳ ଜିଲ୍ଲାର ସମସ୍ତ ଚାରିଗୋଟି ନିର୍ବାଚନ ମଣ୍ଡଳୀର ଭୋଟଗ୍ରହଣ କେନ୍ଦ୍ରଗୁଡିକରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ରଶ୍ମୀରେଖା ସ୍ୱାଇଁ ପ୍ରକାଶ କରିଛନ୍ତି ।
ରବିବାର ସକାଳୁ ପୋଲିଂ କର୍ମଚାରୀମାନେ ଭୋଟ୍ ଗ୍ରହଣ ନିମନ୍ତେ ଆବଶ୍ୟକୀୟ ଉପକରଣ ନେବାପାଇଁ ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟସ୍ଥିତ ୱୟାରହାଉସ୍, କାମାକ୍ଷାନଗର ମହାବିଦ୍ୟାଳୟ ଓ ହିନ୍ଦୋଳ ହାଇସ୍କୁଲ୍ ଆଦି ସ୍ଥାନରେ ପହଞ୍ଚିଥିଲେ । ଚଳିତ ନିର୍ବାଚନ ପାଇଁ ଢେଙ୍କାନାଳ ଜିଲ୍ଲାର ୫୫-ଢେଙ୍କାନାଳ ବିଧାନସଭା ଆସନ ପାଇଁ ୨୭୨ ବୁଥ୍, ୫୬-ହିନ୍ଦୋଳ ସଂରକ୍ଷିତ ବିଧାନସଭା ଆସନ ପାଇଁ ୨୭୦ ବୁଥ୍, ୫୭-କାମାକ୍ଷାନଗର ବିଧାନସଭା ଆସନ ପାଇଁ ୨୩୬ ବୁଥ୍ ଏବଂ ୫୮-ପରଜଙ୍ଗ ବିଧାନସଭା ଆସନ ପାଇଁ ୨୪୨ ବୁଥ୍କୁ ପୋଲିଂ ପାର୍ଟିକୁ ପଠାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାରେ ଗୋଟିଏ ସ୍ଥାନରେ ନିର୍ବାଚନ ପାଇଁ ଆବଶ୍ୟକ ସାମଗ୍ରୀ ଅଧିକାରୀମାନଙ୍କୁ ଯୋଗାଇ ଦିଆଯାଇଥିଲା । ନିର୍ବାଚନ ଦିନ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପ୍ରଦାନ କରିବା ପାଇଁ ସେକ୍ଟର ଅଫିସର ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ରହିଛି । ସମସ୍ତ ପୋଲିଂ କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍ରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଦିନ ପୋଲିଂ ଅଧିକାରୀଙ୍କ ସୁବିଧା ଏବଂ ନିର୍ବାଚନ କାର୍ଯ୍ୟ ତଦାରଖ ପାଇଁ ୧୦୪ ଜଣ ସେକ୍ଟର ଅଫିସର ନିୟୋଜିତ ରହିଛନ୍ତି । ୫୫ ଜଣ ମାଇକ୍ରୋ ଅବଜରଭର ରିଟର୍ଣ୍ଣିଂ ଅଫିସର ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାପାଇଁ ପ୍ରତି ବୁଥ୍ରେ ୬ ଜଣ ପୋଲିଂ କର୍ମଚାରୀ ହିସାବରେ ମୋଟ୍ ୬୭୩୨ ପୋଲିଂ କର୍ମଚାରୀ ନିୟୋଜିତ ରହିଛନ୍ତି । ସେହିହାରରେ ୧୧୨୨ ପ୍ରିଜାଇଡିଂ ଅଫିସର ମଧ୍ୟ ନିୟୋଜିତ ଅଛନ୍ତି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୦୨୦ ବୁଥ୍ରୁ ୧୧୦ ଗୋଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେତେକ ବୁଥ୍ରେ ସିସି କ୍ୟାମେରା ଖଞ୍ଜାଯାଇଛି । ଢେଙ୍କାନାଳ ପୌରାଞ୍ଚଳ, ହିନ୍ଦୋଳ, କାମାକ୍ଷାନଗର ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ କରାଯାଇଛି । ଯେଉଁ ଥିରେ କେବଳ ମହିଳାମାନେ ମତଦାନ କରିପାରିବେ । ଏଥିସହିତ ପ୍ରତି ନିର୍ବାଚନ ମଣ୍ଡଳୀରେ ୧୦ ଲେଖାଏଁ ଆଦର୍ଶ ବୁଥ୍ ମଧ୍ୟ ଖୋଲାଯାଇଥିବା ଜଣାଯାଇଛି ।