ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର, ହାଣ୍ଡି ଓ ବାଲଟିରେ ଲୋକେ ବୋହି ନେଲେ ଡିଜେଲ

ଜୟପୁର, ୨୦।୧ କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟରେ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ୟାଙ୍କର ଓଲଟି ପଡିବା ପରେ ଏଥିରୁ ତେଲ ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। କିଏ ବାଲଟିରେ ତ ଆଉ କିଏ ହାଣ୍ଡି ଓ ଡ୍ରମରେ ତେଲ ବୋହି ନେଇଥିଲେ।
ବିଶାଖାପାଟଣାରୁ ଜଗଦଲପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ୟାଙ୍କର ବୋରିଗୁମ୍ମା ନିକଟରେ ଓଲଟି ପଡିଥିଲା। ଏଥିରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର ଆହତ ହୋଇ ନ ଥିବା ସୂଚନା ମିଳିଛି। ତେବେ ଡିଜେଲ ଟ୍ୟାଙ୍କରଟିରୁ ଡିଜେଲ ନେବାକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଦେଖା ଦେଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଲୋକମାନେ ସେଠାରୁ ହଟିଥିଲେ।