ବିଜୟଙ୍କ ଘରେ ଦିଲ୍ଲୀପ; ୨୦ରୁ ଧରିବେ ପ୍ରଚାର ମଙ୍ଗ, ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି!

କେନ୍ଦ୍ରାପଡ଼ା/ପାଟକୁରା,୧୮ା୪(ଆପ୍ର): ନିଜେ ବିଜେପି ଛାଡ଼ିଥିଲେ ବି ବନ୍ଧୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିର୍ବାଚନୀ ସହାୟତା ଲାଗି ଆଜି ତାଙ୍କ ଘରେ ପହଞ୍ଚିଛନ୍ତି ଶିଳ୍ପପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଆଜି ସକାଳ ପ୍ରାୟ ୮ଟାରେ ଶ୍ରୀ ରାୟ ବିଜୟଙ୍କ ତଳକୁସୁମାସ୍ଥିତ ବାସଭବନରେ ପହଞ୍ଚିଥିଲେ । ସେଠାରେ ଥିବା ବିଜୟଙ୍କ ଅନୁଗତ, ବିଜେପି କର୍ମୀମାନେ ତାଙ୍କୁ ପାଛୋଟି ନେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଦୀର୍ଘ ୨ ଘଣ୍ଟା ଧରି ବିଜୟ ଓ ଦିଲ୍ଲୀପଙ୍କ ମଧ୍ୟରେ ନିର୍ବାଚନ ସଂକ୍ରାନ୍ତରେ ଚାଲିଥିଲା ଆଲୋଚନା । ଏହି ସମୟରେ ସେ ତେଣ୍ଡାକୁଡ଼ା ବସ୍ତିର ଭୋଟରଙ୍କ ସହ ପରିଚିତ ହେବା ସହ ବିଜୟଙ୍କ ସପକ୍ଷରେ ଭୋଟ୍ ନିବେଦନ କରିଥିଲେ । ପରେ ଦିଲ୍ଲୀପ ସେଠାରୁ ଫେରିଆସିଥିଲେ । ଆସନ୍ତା ୨୦ ତାରିଖରୁ ପାଟକୁରା ନିର୍ବାଚନୀମଣ୍ଡଳୀରେ ବୁଲି ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ସେ ନିର୍ବାଚନ ପ୍ରଚାର କରିବେ ବୋଲି କହିଥିବା ସୂଚନା ମିଳିଛି ।
ବିଜୁ ପଟ୍ଟନାୟକଙ୍କ ମାନସପୁତ୍ର ଭାବେ ପରିଚିତ ଶ୍ରୀ ରାୟ ଓ ବିଜୁଙ୍କ ପଟ୍ଟଶିଷ୍ୟ ବିଜୟ ମହାପାତ୍ରଙ୍କ ଅନାବିଳ ବନ୍ଧୁତ୍ୱ ବେଶ୍ ଜଣାଶୁଣା । ବିଜେଡି ଗଠନରେ ସକ୍ରିୟ ଅଂଶଗ୍ରହଣ କରିଥିବା ଏହି ଦୁଇ ବନ୍ଧୁ ପରବର୍ତ୍ତୀ ସମୟରେ ବିଜେଡିରୁ ବିଦା ହେବା ପରେ କିଛିଦିନ ନିରବ ଥିଲେ । ବିଜୟ କିଛିଦିନ ଓଜିପି, ପରେ ଏନ୍ସିପିରେ ଓଜିପିର ବିଲୟ ପରେ ଦୁଇ ବନ୍ଧୁ ବିଜେପିରେ ଗୋଟିଏ ଦିନରେ ଏକାଠି ଯୋଗ ଦେଇଥିଲେ । ପରେ ଦିଲ୍ଲୀପ ରାୟ ବିଜେପି ଟିକେଟରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରାଉରକେଲାର ବିଧାୟକ ନିର୍ବାଚିତ ହୋଇଥିଲେ । ବିଜୟ ପାଟକୁରା ଓ ମହାକାଳପଡ଼ାରୁ ହାରିଯାଇଥିଲେ । ବିଜେପିର ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ଉଭୟ ୨୦୧୮ ନଭେମ୍ୱରରେ ବିଜେପିରୁ ଇସ୍ତଫା ଦେଇଥିଲେ । କିନ୍ତୁ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇନଥିବାରୁ ଚଳିତ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ନେତୃବୃନ୍ଦ ବିଜୟଙ୍କୁ ଅନୁରୋଧ କରି ପୁଣି ଥରେ ତାଙ୍କୁ ଦଳକୁ ଫେରାଇ ଆଣିଥିଲେ । ହେଲେ ରାଉରକେଲାର ଆଇଜିଏଚ୍କୁ ସୁପର ହସ୍ପିଟାଲ ମାନ୍ୟତା, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରତିଶ୍ରୁତିରେ ବିଜେପି ବିଫଳ ହୋଇଥିବା ଅଭିଯୋଗ କରି ଦିଲୀପ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଚଳିତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ସ୍ପଷ୍ଟ ଭାବେ ଘୋଷଣା କରିଥିଲେ ।
କୁହାଯାଏ ଦିଲ୍ଲୀପ ନବୀନ ନିବାସରୁ ଡାକରା ପାଇ ଯାଇଥିଲେ ବି ସେ ନିଜ ବନ୍ଧୁଙ୍କ ଲାଗି ବିଜେଡିକୁ ସହଯୋଗ କରିବାକୁ ଅରାଜି ହୋଇଥିଲେ । ଯେତେବେଳେ କି ଦଳ ତାଙ୍କୁ କୌଣସି ସ୍ଥାନରୁ ଲୋକସଭା ଆସନ ଲାଗି ପ୍ରାର୍ଥୀ କରାଇବାକୁ ପ୍ରସ୍ତାବ ରଖିଥିଲା । ହେଲେ ବନ୍ଧୁତ୍ୱ ଆଗରେ ତାଙ୍କ ଲାଗି ଆଉ କିଛି ବଡ଼ ନଥିଲା, ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଇଥିଲା । ନବୀନ ନିବାସ ଗମନର ରହସ୍ୟ ସେ ଏଯାଏ ଖୋଲିନାହାନ୍ତି । ଏ ବାବଦରେ ସେ ଗଣମାଧ୍ୟମ ଆଗରେ ବିଶେଷ କିଛି ସୂଚନା ଆଜି ବି ଦେଇନଥିଲେ । ନିକଟରେ ରାଉରକେଲାର ଆଇଜିଏଚ୍କୁ ସୁପର ହସ୍ପିଟାଲ ମାନ୍ୟତା, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥରାଶି ମଞ୍ଜୁର କରିଥିବାରୁ ଦିଲ୍ଲୀପ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସୋସିଆଲ ମିଡ଼ିଆ ଜରିଆରେ ସେ ଏହାର ପ୍ରଶଂସା କରିଥିଲେ । ଏଥିରୁ ତାଙ୍କର ବିଜେପି ପ୍ରତି ଆକର୍ଷଣ ତଥା ବନ୍ଧୁ ବିଜୟଙ୍କୁ ସହଯୋଗର ଆଭାସ ମିଳିଥିଲା । ଏଣେ ପ୍ରଧାନମନ୍ତ୍ରୀ ମୋଦି ୨୩ରେ କେନ୍ଦ୍ରାପଡ଼ା ଆସୁଛନ୍ତି ।
ପୂର୍ବରୁ ମୋଦିଙ୍କୁ ସମାଲୋଚନା କରିଥିବାବେଳେ ପରେ ସୋସିଆଲ ମିଡ଼ିଆରେ ତାଙ୍କର ଅଭିଯୋଗ ବାବଦରେ ବିଜେପିର ତତ୍ପରତାରେ ସେ ପ୍ରଶଂସା କରିଥିଲେ । ତେଣୁ ସେ କେନ୍ଦ୍ରାପଡ଼ାରେ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଦିଲୀପ ବିଜେପିକୁ ଫେରନ୍ତୁ କି ନଫେରନ୍ତୁ ଆସନ୍ତା ୨୦ରୁ ସେ ବିଜୟଙ୍କ ପାଇଁ ପ୍ରଚାରର ମଂଗ ଧରୁଥିବା କଥା ଆଜି ସ୍ପଷ୍ଟ ହୋଇଯିବା ପରେ ଏ ବଂଧୁତ୍ୱ ଉଦାହରଣୀୟ ବୋଲି ଚର୍ଚ୍ଚା ହେଉଛି ।